ନୂଆଦିଲ୍ଲୀ,୧୧/୦୩ : ନିଯୁକ୍ତି ଖାଇବନି ଓଲଟା ଚାକିରି ଦେବ ଏଆଇ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା(ଏଆଇ) ନିଯୁକ୍ତି ଖାଇଯିବ ବୋଲି ଏକ ଭୟ ରହିଆସିଛି, କିନ୍ତୁ ବେନ୍ ଆଣ୍ଡ୍ କମ୍ପାନି ପକ୍ଷରୁ ଜାରି ଏକ ରିପୋର୍ଟରେ ବିପରୀତ ଅନୁମାନ କରାଯାଇଛି । ଏଥିରେ କୁହାଯାଇଛି ଯେ, ଭାରତର ଏଆଇ କ୍ଷେତ୍ର ଦ୍ରୁତ ଅଭିବୃଦ୍ଧି ହାସଲ କରିବ । ୨୦୨୭ ସୁଦ୍ଧା ଭାରତୀୟ ଏଆଇ କ୍ଷେତ୍ରରେ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନିଯୁକ୍ତି ସମ୍ଭାବନା ଦେଖିବାକୁ ମିଳିପାରେ । ବର୍ତ୍ତମାନ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପେସାଦାରଙ୍କ କୌଶଳ ବିକାଶ ପାଇଁ ବଡ଼ ସୁଯୋଗ ସୃଷ୍ଟି ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ସୂଚନାଯୋଗ୍ୟ, କମ୍ପାନିଗୁଡ଼ିକ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସଲ୍ୟୁସନ୍ସଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ଦକ୍ଷ ପ୍ରଫେସନାଲଙ୍କ ଅଭାବ ଅନୁଭବ କରୁଛନ୍ତି । ୪୪% ଅଧିକାରୀଙ୍କ ନିକଟରେ ଇନ୍-ହାଉସ୍ ଏଆଇ ଅଭିଜ୍ଞତାର ଅଭାବ ରହିଛି । ଫଳରେ ଏଆଇ ପ୍ରଯୁକ୍ତିକୁ ଗ୍ରହଣ କରିବାରେ କମ୍ପାନିଗୁଡ଼ିକର କ୍ଷମତା କମୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୧୯ରୁ ଏଆଇଭିତ୍ତିକ ଦକ୍ଷତାର ଚାହିଦା ବାର୍ଷିକ ଆଧାରରେ ୨୧% ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ, ଏଆଇ ପ୍ରଫେସନାଲଙ୍କ ପାରିଶ୍ରମିକ ବାର୍ଷିକ ଆଧାରରେ ୧୧% ବୃଦ୍ଧି ପାଇଛି । ଏହାସତ୍ତ୍ଵେ ଦକ୍ଷ ପ୍ରାର୍ଥୀଙ୍କ ଅଭାବ ଦୂର ହେଉନାହିଁ, ଯାହାକି ଏଆଇର ଅଗ୍ରଗତିକୁ ପ୍ରଭାବିତ କରୁଛି । ବେନ୍ ଆଣ୍ଡ୍ କମ୍ପାନିର ଆମେରିକା ମୁଖ୍ୟ(ଏଆଇ, ଇନ୍ସାଇଟ୍ସ ଏବଂ ସଲ୍ୟୁସନ୍ସ) ସାରା ଏଲ୍କ କୁହନ୍ତି, କର୍ପୋରେଟ୍ ଟ୍ରାନ୍ସଫର୍ମେଶନ୍ରେ ଏଆଇ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ପ୍ରକୃତ ପ୍ରତିଭା ବିନା ବ୍ୟବସାୟିକ ସଂସ୍ଥାଗୁଡ଼ିକ ଏହାକୁ କାର୍ଯ୍ୟକାରୀ କରିପାରିବେ ନାହିଁ । ତେବେ ୨୦୨୭ ସୁଦ୍ଧା ଏଆଇ କ୍ଷେତ୍ରରେ ଦକ୍ଷତା ଅଭାବ ଜାରି ରହିବ ବୋଲି ରିପୋର୍ଟରେ କୁହାଯାଇଛି ।
ଏହି ଖବରଟିକୁ ପଢନ୍ତୁ-ଓଡ଼ିଶାକୁ ଫିନ୍ଟେକ ହବ୍ ଗଢ଼ି ତୋଳିବା ଲକ୍ଷ୍ୟ, ଆସିବ ନୂଆ ଫିନ୍ଟେକ୍ ନୀତି