ନୂଆଦିଲ୍ଲୀ,୩୧/୧୨: ଚଳିତ ଆର୍ଥିକ ବର୍ଷ ଜୁଲାଇ ସେପ୍ଟେମ୍ବର ଅବଧିରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ହୋଇଛି । ଏହା ୭ ତ୍ରୈମାସର ସର୍ବନିମ୍ନ ସ୍ତର ୫.୪%କୁ ଖସିଛି । ଘରୋଇ ବଜାର ୬.୫% ହାରରେ ବଢ଼ିବ ବୋଲି ବିଶେଷଜ୍ଞ ଆକଳନ କରିଥିଲେ । ସେହିଭଳି ଆର୍ବିଆଇ କହିଥିଲା ଭାରତ ୭% ହାରରେ ବଢ଼ିବ । ଖାଦ୍ୟ ସାମଗ୍ରୀ ଦର ବଢ଼ିଥିବାରୁ ଏବେ ସହରାଞ୍ଚଳରେ ଚାହିଦା ପ୍ରଭାବିତ। ଜିଡିପିର ୬୦% ଅଂଶ ଘରୋଇ ଚାହିଦା ହାସଲ କରିଛି । ତେବେ ସହରାଞ୍ଚଳ ଚାହିଦା ପ୍ରଭାବିତ ଥିବାରୁ ଏହା ଚିନ୍ତାଜନକ ହୋଇଛି । ବିଭିନ୍ନ ଆହ୍ୱାନ ସତ୍ତେ୍ୱ ଅଭିବୃଦ୍ଧି ଦୃଢ଼ ରହିବ ବୋଲି ବିଶେଷଜ୍ଞ ଆଶା ପ୍ରକଟ କରୁଛନ୍ତି ।
ଏହାବାଦ ଉଚ୍ଚ ସୁଧହାର, ମଜୁରୀ ଅଭିବୃଦ୍ଧି ମଧ୍ୟ ଧୀମା ରହିଛି । ତେବେ ଗ୍ରାମାଞ୍ଚଳ ଚାହିଦା ସ୍ଥିତାବସ୍ଥାକୁ ଫେରୁଛି । ଏବେ ଅଭିବୃଦ୍ଧି ପ୍ରଭାବିତ ହୋଇଥିବାରୁ ରିଜର୍ଭ ବ୍ୟାଙ୍କ ରେପୋ ହ୍ରାସ କରିବାକୁ ଦାବି ଜୋର ଧରିଛି । ଅର୍ଥନୀତି ଏବେ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ବେଳେ ସରକାର ଏହାକୁ ମାନୁନାହାନ୍ତି ।
ବ୍ଲୁମବର୍ଗ ବିଶେଷଜ୍ଞ ଆଣ୍ଡି ମୁଖାର୍ଜୀ କହିଛନ୍ତି, ଘରୋଇ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଘରୋଇ ବଜାର ଏବେ ପ୍ରଭାବିତ ସ୍ଥିତି ଦେଇ ଗତି କରୁଛି । ନିର୍ବାଚନ ଯୋଗୁ ସରକାରୀ ଖର୍ଚ୍ଚ କମିଥିବାରୁ ଏହା ଅର୍ଥନୀତିକୁ ଧୀମା କରିବାରେ ଏକ ପ୍ରମୁଖ କାରଣ ଭାବେ ଉଭା ହୋଇଛି ।
ଦେଶର ଅଭିବୃଦ୍ଧି ୭.୨% ରହିବ ବୋଲି ପୂର୍ବରୁ ଆର୍ବିଆଇ କହିଥିଲା । ତେବେ କେନ୍ଦ୍ରୀୟ ବ୍ୟାଙ୍କ ଏହି ଆକଳନକୁ ୬.୬%କୁ ହ୍ରାସ କରିଛି । ଏବେ ବିଶ୍ୱ ବଜାର ଯୁଦ୍ଧ ଯୋଗୁ ବଡ ଆହ୍ୱାନ ଦେଇ ଗତି କରୁଛି । ଏପଟେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ଅନ୍ୟ କିଛି ଦେଶ ଉପରେ ବଡ ଧରଣର ଟିକସ ଲାଗୁ କରିବାକୁ କହିଛନ୍ତି ।
ଏହା ଭାରତ ଲାଗି ବଡ ସମସ୍ୟା ସୃଷ୍ଟି କରିବ ବୋଲି ଆକଳନ କରାଯାଇଛି । ଏଭଳି ଦିଗ ଗୁଡିକ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ମଧ୍ୟ ସଙ୍କଟ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ନୂଆ ବର୍ଷ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି ଆଡକୁ ଯିବାକୁ ପ୍ରୋତ୍ସାହିତ କରିବ କି ଦେଶ ଏଭଳି ଅଡୁଆ ସୂତାରେ ବାନ୍ଧି ହୋଇଯିବ ସେ ନେଇ କିଛି ସ୍ପଷ୍ଟ ଭାବେ କହିପାରୁନାହାନ୍ତି ବିଶେଷଜ୍ଞ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶର ଜିଡିପି ତୃତୀୟ ତ୍ରୈମାସରେ ପୁଣି ଥରେ ସ୍ଥିତାବସ୍ଥାକୁ ଫେରିବ । ଧାର୍ଯ୍ୟ ୧୧.୧୧ ଲକ୍ଷ କୋଟିର ପୁଞ୍ଜି ଖର୍ଚ୍ଚ ମଧ୍ୟରୁ ସରକାର ପ୍ରଥମାର୍ଦ୍ଧରେ ୩୭.୩% ବିନିଯୋଗ କରିଛନ୍ତି । ଭାରତୀୟଙ୍କ କ୍ରୟ ଶକ୍ତି ବଢ଼ୁଛି । ସେହିଭଳି ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ କହିଛନ୍ତି, ଘରୋଇ ବଜାର ଦୃଢ଼ତା ବଜାୟ ରଖିବ । ଅଭିବୃଦ୍ଧି ଧାରା ଜାରି ରହିବ ।
ମାର୍ଚ୍ଚ ବେଳକୁ ଭାରତ ଟ୍ରାକକୁ ଫେରି ଆସିବ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି । ତେବେ ଆର୍ବିଆଇର ନୀତି ମଧ୍ୟ ଅଭିବୃଦ୍ଧିକୁ ପ୍ରଭାବିତ କରିଥିବା ନିକଟରେ ସରକାର କହିଥିଲେ । ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଖର୍ଚ୍ଚ ଜାରି ରଖିବେ ବୋଲି ନିକଟରେ କହିଥିଲେ । ଚଳିତ ଆର୍ôଥକ ବର୍ଷରେ ଦେଶ ୬.୫% ହାରରେ ବଢ଼ିବ ବୋଲି ଅର୍ଥମନ୍ତ୍ରଣାଳୟ କହିଛି ।
ବମ୍ପର ରବି ଫସଲ ଏବଂ ଅଶୋଧିତ ତୈଳ ଚାପ ନ ଥିବାରୁ ଏହା ଘରୋଇ ବଜାର ଲାଗି ଲାଭକାରୀ ସାବ୍ୟସ୍ତ ହେବ । ଦରଦାମ ସ୍ୱାଭାବିକ ହେଉଥିବାରୁ ନୂଆ ଆର୍ବିଆଇ ଗଭର୍ଣ୍ଣର ଫେବ୍ରୁଆରିରେ ରେପୋ କମାଇପାରନ୍ତି ବୋଲି ଆଶା କରାଯାଉଛି । ଚଳିତ ଆର୍ଥିକ ବର୍ଷ ଏବଂ ଆସନ୍ତା ଆର୍ôଥକ ବର୍ଷରେ ଦେଶ ଯଥାକ୍ରମେ ୬.୮% ଏବଂ ୬.୯% ଅଭିବୃଦ୍ଧି ହାସଲ କରିବ ବୋଲି ଆଉଟଲୁକ ଏବଂ ଏସ୍ପି ରେଟିଂ ପକ୍ଷରୁ ଅନୁମାନ କରାଯାଇଛି ।
୨୦୨୫ ଦୃଢ଼ ସହରାଞ୍ଚଳ ଚାହିଦା ଫେରିବ ବୋଲି ଆଶା କରାଯାଉଛି । ସେବା କ୍ଷେତ୍ରର ଦୃଢ଼ ଅଭିବୃଦ୍ଧି, ଭିତ୍ତିଭୂମିରେ ନିବେଶ, ଦରଦାମ ଚାପ କମିବା ଘରୋଇ ବଜାରର ବୃଦ୍ଧିରେ ସହାୟକ ହେବ । ଆଗାମୀ ଆର୍ôଥକ ବର୍ଷ ଗୁଡିକରେ ମଧ୍ୟ ଘରୋଇ ବଜାର ଅଭିବୃଦ୍ଧି ଜାରି ରଖିବ । ଚୀନ ଉପରେ ଆମେରିକାର କଟକଣା ଭାରତ ବଜାର ଲାଗି ଲାଭକାରୀ ହେବ ବୋଲି ଅନୁମାନ କରାଯାଏ ।