ନୂଆଦିଲ୍ଲୀ ୦୨/୧୧: ଲେହରେ ଭାରତ ଲଞ୍ଚ୍‌ କରିଛି ଦେଶର ପ୍ରଥମ ଆନାଲଗ୍‌ ସ୍ପେସ୍‌ ମିଶନ । ଦେଶର ମହାକାଶ ଅନୁସନ୍ଧାନ ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଭବିଷ୍ୟତରେ ଅନ୍ୟ ଗ୍ରହରେ ରହଣିରେ ମହାକାଶଚାରୀ ସାମ୍ନା କରିବାକୁ ଯାଉଥିବା ଆହ୍ୱାନଗୁଡ଼ିକର ସମାଧାନ ଏହି ମିଶନ୍‌ର ଲକ୍ଷ୍ୟ । ଇସ୍ରୋର ହ୍ୟୁମାନ ସ୍ପେସ୍‌ଫ୍ଲାଇଟ୍‌ ସେଣ୍ଟର୍‌, ଏଏକେଏ ସ୍ପେସ୍‌ ଷ୍ଟୁଡିଓ, ୟୁନିଭର୍ସିଟି ଅଫ୍‌ ଲଦାଖ, ଆଇଆଇଟି ବମ୍ବେର ମିଳିତ ଉଦ୍ୟମ ଏବଂ ଲଦାଖ ଅଟୋନମସ୍‌ ହିଲ୍‌ ଡେଭଲପ୍‌ମେଣ୍ଟ କାଉନସିଲ୍‌ର ସମର୍ଥନରେ ଏହି ମିଶନ ଲଞ୍ଚ୍‌ ହୋଇଛି । 

ମଙ୍ଗଳ ଓ ଚନ୍ଦ୍ର ଭୂଭାଗ ସହ ଖୁବ୍‌ ମେଳ ଖାଉଥିବା ଲଦାଖର ଅନନ୍ୟ ଭୂବୈଜ୍ଞାନିକ ବୈଶିଷ୍ଟ୍ୟ ଯୋଗୁ ଆନାଲଗ୍‌ ମିଶନ୍‌କୁ ସେଠାରେ ସ୍ଥାପନା କରାଯିବ । ଏହାର ଥଣ୍ଡା ଓ ଶୁଷ୍କ ସ୍ଥିତି ଏବଂ ଅଧିକ ଉଚ୍ଚତା ଦୀର୍ଘ-କାଳୀନ ମହାକାଶ ମିଶନ୍‌ ନିମନ୍ତେ ଆବଶ୍ୟକ ପରୀକ୍ଷଣ ଟେକ୍ନୋଲୋଜି ଓ ରଣନୀତି ପାଇଁ ଏହା ଆଦର୍ଶ ପରିବେଶ ପ୍ରଦାନ କରେ । ଏହି ପ୍ରୟାସ ମାନବ ମହାକାଶ ଯାତ୍ରା ଓ ଅନ୍ୟ ଗ୍ରହ ଅନ୍ୱେଷଣରେ ନିଜର ସାମର୍ଥ୍ୟକୁ ବଢ଼ାଇବାର ଭାରତର ବ୍ୟାପକ ଅଭିଳାଷର ଅଂଶ । ଗଗନଯାନ କାର୍ଯ୍ୟକ୍ରମ ମଧ୍ୟ ଏହି ପ୍ରୟାସରେ ସାମିଲ ଯାହା ମହାକାଶକୁ ଭାରତୀୟ ମହାକାଶଚାରୀଙ୍କୁ ପଠାଇବାକୁ ଲକ୍ଷ୍ୟ ରଖିଛି । 

ମିଶନ୍‌ ସମୟରେ ଅନୁସନ୍ଧାନକାରୀ ଅନ୍ୟ ଗ୍ରହରେ ଜୀବନର ନକଲ କରିବା ପାଇଁ ଡିଜାଇନ୍‌ ହୋଇଥିବା ବିଭିନ୍ନ କାର୍ଯ୍ୟକଳାପରେ ଜଡ଼ିତ ହେବେ । ଏଥିରେ ଆବାସ ଡିଜାଇନ୍‌ ମୂଲ୍ୟାଙ୍କନ, ସଂଶାଧନ ପ୍ରବନ୍ଧନ ଅଧ୍ୟୟନ ଏବଂ କ୍ରୁ ସଦସ୍ୟଙ୍କ ଉପରେ ନିଃସଙ୍ଗତା ପ୍ରଭାବର ମନସ୍ତାତ୍ତ୍ୱିକ ଆକଳନ ସାମିଲ । ଏହି ମିଶନ୍‌ରୁ ଯାହା ଅବଲୋକନ କରାଯିବ, ତାହା ଭବିଷ୍ୟତରେ ଉଭୟ ଚନ୍ଦ୍ର ଓ ମଙ୍ଗଳ ପରିବେଶ ନିମନ୍ତେ ବାସସ୍ଥଳୀ ଡିଜାଇନ୍‌ରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ । ପୃଥିବୀରେ ଥାଇ ମହାକାଶରେ ବଞ୍ଚିବାର ଆହ୍ୱାନକୁ ଅନୁକରଣ କରି ବ୍ରହ୍ମାଣ୍ଡୀୟ ଯାତ୍ରା ସମୟରେ ମହାକାଶଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବୈଜ୍ଞାନିକମାନେ ଆଶାବାଦୀ । ବୈଜ୍ଞାନିକ ଜ୍ଞାନ ବୃଦ୍ଧି ସହିତ ମହାକାଶ ବିଜ୍ଞାନ ଓ ଅନ୍ୱେଷଣ ସହ ଭବିଷ୍ୟତ ପିଢ଼ିକୁ ପ୍ରେରିତ କରିବା ଏହି ମିଶନ୍‌ର ଲକ୍ଷ୍ୟ ।