ନୂଆଦିଲ୍ଲୀ,୨୬/୦୭: ଇତିହାସ ରଚିଲା ଭାରତୀୟ ରେଳବାଇ। ହାଇଡ୍ରୋଜେନ୍ ଚାଳିତ ଟ୍ରେନର ସଫଳ ପରୀକ୍ଷଣ। ଏହି ପରୀକ୍ଷଣ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ କରାଯାଇଛି। ତେବେ ଅଗଷ୍ଟ ଶେଷ ସୁଦ୍ଧା ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଲିବା ନେଇ ପ୍ରସ୍ତୁତି ଚାଲିଛି। ଏହା ଜିନ୍ଦ-ସୋନିପତ ମଧ୍ୟରେ ପ୍ରାୟ ୯୦ କିଲୋମିଟର ଚାଲିବ। ଏହା ସହିତ ଆଗକୁ ପ୍ରାୟ ୩୫ଟି ଏପରି ଟ୍ରେନ୍ ଚଲାଇବାର ଯୋଜନା ମଧ୍ୟ ରହିଛି।
ତେବେ ଏହା ଏକ ନନ୍-ଏସି ଟ୍ରେନ୍ ହେବ। ଏଥିରେ ୨ଟି ହାଇଡ୍ରୋଜେନ୍ ଇଞ୍ଜିନ୍ ରହିବ। ଏହା ସହିତ ଏଥିରେ ୮ଟି ଯାତ୍ରୀବାହୀ କୋଚ୍ ରହିବ। ଏହି ଟ୍ରେନ୍ ଉତ୍ତର ରେଳବାଇ ଦ୍ୱାରା ଜିନ୍ଦ-ସୋନିପତ ଟ୍ରାକ୍ ଉପରେ ଚାଲିବ। ଏହାର ଗତି ଘଣ୍ଟା ପ୍ରତି ପ୍ରାୟ ୧୧୦ କିଲୋମିଟର ହେବ। ICF ଦ୍ୱାରା ଏକ ୧୨୦୦ ହର୍ସପାୱର୍ ପ୍ରୋଟୋଟାଇପ୍ ହାଇଡ୍ରୋଜେନ୍ ଇଞ୍ଜିନ୍ ବିକଶିତ କରାଯାଉଛି।ଏହି ଟ୍ରେନକୁ କମ୍ ଦୂରତା କଭର କରିବା ପାଇଁ ବିକଶିତ କରାଯାଉଛି। ICF ଜେନେରାଲ ମ୍ୟାନେଜର ସୁବ୍ବା ରାଓ ଏକ ସାକ୍ଷାତକାରରେ ଡେକାନ ହେରାଲ୍ଡକୁ କହିଛନ୍ତି ଯେ, ଆମେ ପ୍ରଥମ ପାୱାର କାରର ପରୀକ୍ଷଣ କରିଛୁ। ଦ୍ୱିତୀୟ ପାୱାର କାରର ପରୀକ୍ଷଣ ଆଗାମୀ ଦୁଇ ସପ୍ତାହ ମଧ୍ୟରେ କରାଯିବ। ଏହା ପରେ, ସମ୍ପୂର୍ଣ୍ଣ ଟ୍ରେନର ପରୀକ୍ଷଣ କରାଯିବ, ଯେଉଁଥିରେ ୮ଟି ଯାତ୍ରୀବାହୀ କାର ରହିବ। ଆମେ ଅଗଷ୍ଟ ୩୧ ସୁଦ୍ଧା ପ୍ରଥମ ହାଇଡ୍ରୋଜେନ ଚାଳିତ କାର ଚଲାଇବାକୁ ଯୋଜନା କରୁଛୁ। ଶେଷ ପରୀକ୍ଷଣ ଉତ୍ତର ରେଳବାଇ ଦ୍ୱାରା କରାଯିବ।
ତେବେ ଟ୍ରେନଟି ଏକ ହାଇଡ୍ରୋଜେନ୍ ଇନ୍ଧନ ପ୍ରଣାଳୀରେ ଚାଲିବ। ଯେଉଁଥିରେ ହାଇଡ୍ରୋଜେନ୍ ଗ୍ୟାସ୍ ଟ୍ୟାଙ୍କରେ ଭର୍ତ୍ତି କରାଯିବ। ଟ୍ରେନରେ ଏକ ବ୍ୟାଟେରୀ ପ୍ରଣାଳୀ ମଧ୍ୟ ରହିବ, ଯାହାକୁ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଦ୍ୱାରା ଚାର୍ଜ କରାଯିବ। ହାଇଡ୍ରୋଜେନ୍ ରୁ ଉତ୍ପାଦିତ ବିଦ୍ୟୁତ୍ ବ୍ୟାଟେରୀରେ ସଂରକ୍ଷଣ କରାଯିବ। ଏହା ପରେ ଏହା ଏକ ବୈଷୟିକ ପ୍ରକ୍ରିୟା ଦେଇଯିବ ଏବଂ ଟ୍ରେନର ଆକ୍ସଲରେ ଥିବା ଟ୍ରାକ୍ସନ୍ ମୋଟର ପର୍ଯ୍ୟନ୍ତ ପହଞ୍ଚିବ। ଏହି ଶକ୍ତି ସହିତ ଟ୍ରେନ ଚାଲିବ।ବର୍ତ୍ତମାନ ଜର୍ମାନୀ, ଫ୍ରାନ୍ସ, ସ୍ୱିଡେନ ଏବଂ ଚୀନ୍ ଭଳି ଦେଶ ହାଇଡ୍ରୋଜେନ୍ ଟ୍ରେନ୍ ଚଲାଉଛନ୍ତି। ଏହାର ଏକ ବିଶେଷତ୍ୱ ହେଉଛି ଏହା ପ୍ରଦୂଷଣ ସୃଷ୍ଟି କରିବ ନାହିଁ। ଏହା କୌଣସି ବିଷାକ୍ତ ଗ୍ୟାସ୍ ନିର୍ଗତ କରିବ ନାହିଁ।
ପ୍ରାୟ ୨ ବର୍ଷ ପୂର୍ବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଏହି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଏପରି ୩୫ଟି ଟ୍ରେନ୍ ଚଲାଇବାର ଯୋଜନା ରହିଛି। ଯାହା ପାଇଁ ପ୍ରତି ଟ୍ରେନ୍ ପାଇଁ ଖର୍ଚ୍ଚ ୮୦ କୋଟି ଟଙ୍କା ଏବଂ ଭିତ୍ତିଭୂମି ପାଇଁ ପ୍ରତି ରୁଟ୍ ପାଇଁ ପ୍ରାୟ ୭୦ କୋଟି ଟଙ୍କା ହେବ। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶୁକ୍ରବାର ଏକ ଭିଡିଓ ସେୟାର କରି ଏହି ଟ୍ରେନ୍ର ଏକ ଝଲକ ଦେଇଛନ୍ତି। ଯେଉଁଥିରେ ଏକ ଧଳା ରଙ୍ଗର ଟ୍ରେନ୍ ଚାଲୁଥିବାର ଦେଖାଯାଉଛି। ରେଳମନ୍ତ୍ରୀ ଭିଡିଓ ସେୟାର କରି ଲେଖିଛନ୍ତି - ଚେନ୍ନାଇ ସ୍ଥିତ ICF ରେ ପ୍ରଥମ ହାଇଡ୍ରୋଜେନ୍ ଚାଳିତ କୋଚ୍ର ସଫଳତାର ସହ ପରୀକ୍ଷଣ କରାଯାଇଛି। ଭାରତ ୧୨୦୦ ହର୍ସପାୱର୍ ହାଇଡ୍ରୋଜେନ୍ ଟ୍ରେନ୍ ବିକଶିତ କରୁଛି।