ପାଟନା: ବିହାରର ସବୁଠାରୁ ବଡ଼ ବିରୋଧୀ ଦଳ ଆରଜେଡିରୁ ବହିଷ୍କୃତ ତେଜ ପ୍ରତାପ ଯାଦବ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସେ ମହୁଆ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ । ସେ ଟିମ୍ ତେଜ ପ୍ରତାପ ଗଠନ କରିଛନ୍ତି । ଏହା ସହ ଜୁଲାଇ ୩୧ରେ ବୈଶାଳୀ ଜିଲ୍ଲାର ମହୁଆରେ ମଧ୍ୟ ଟିମ୍ ତେଜ ପ୍ରତାପର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । 

ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ କହିଛନ୍ତି, ‘ଟିମ୍ ତେଜ ପ୍ରତାପ ଯାଦବ ଜନସାଧାରଣଙ୍କ ପାଖକୁ ପହଞ୍ଚିବା ପାଇଁ ଏକ ପ୍ଲାଟଫର୍ମ । ଏଥର କାକା ନୀତୀଶ କୁମାରଙ୍କ ସରକାର ଗଠନ ହେବ ନାହିଁ । ଯେଉଁ ସରକାର ଯୁବପିଢ଼ି, ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ବିଷୟରେ କଥା ହେବେ , ତେବେ ତେଜ ପ୍ରତାପ ଯାଦବ ତାଙ୍କ ସହିତ ପୂର୍ଣ୍ଣ ଶକ୍ତି ସହିତ ଛିଡ଼ା ହେବେ । ଆମେ ମହୁଆରୁ ନିର୍ବାଚନ ଲଢ଼ିବୁ, ଆମର ଅନେକ ବିରୋଧୀ ଅଛନ୍ତି ।’ 

ତେଜ ପ୍ରତାପ ଯାଦବ କହିଛନ୍ତି ଯେ, ‘ମୋ ଦଳର ରଙ୍ଗ ହଳଦିଆ, ହଳଦିଆ ଆମ ଧର୍ମର ମଧ୍ୟ ରଙ୍ଗ । ମଦନ ଯାଦବ ଶାହାପୁରରୁ ଟିମ୍ ତେଜ ପ୍ରତାପ ଯାଦବଙ୍କ ପ୍ରାର୍ଥୀ ହେବେ । ଯିଏ ଆଜି ଆମ ଦଳରେ ଯୋଗ ଦେଇଛନ୍ତି। ମୁଁ ମହୁଆରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବି। ଆହୁରି ଅନେକ ଲୋକ ଟିମ୍ ତେଜ ପ୍ରତାପ ବ୍ୟାନର ତଳେ ନିର୍ବାଚନ ଲଢ଼ିବେ। ବିହାରର ଯେକୌଣସି ବ୍ୟକ୍ତି ଟିମ୍ ତେଜ ପ୍ରତାପରେ ଯୋଗ ଦେଇପାରିବେ ।’ 

ଏହା ପୂର୍ବରୁ ଜୁଲାଇ ୨୫ ତାରିଖରେ ତେଜ ପ୍ରତାପ ଯାଦବ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ମିସା ଭାରତୀ, ରାଜଲକ୍ଷ୍ମୀ ଏବଂ ହେମା ଯାଦବଙ୍କୁ ଅନଫଲୋ କରିଥିଲେ । ସେ ଆରଜେଡିର ଅଫିସିଆଲ୍ ଆକାଉଣ୍ଟକୁ ମଧ୍ୟ ଅନଫଲୋ କରିଛନ୍ତି ଏବଂ ଏବେ ତାଙ୍କର ନୂତନ ଟିମ୍‌ ଗଠନ କରିଛନ୍ତି । ଆଉ ଏହା ସହ, ତେଜ ପ୍ରତାପ ଯାଦବ ପରିବାରଠାରୁ ନିଜକୁ ଦୂରେଇ ରଖିଛନ୍ତି । ଏହା ତାଙ୍କର ପରିବାର ବିରୋଧରେ ବିଦ୍ରୋହ ନା ନିଜର ଜିଦ୍, ତାହା ସମୟ କହିବ । ନିର୍ବାଚନ ସମୟରେ, ଏସବୁ ଲାଲୁ ପରିବାର ଏବଂ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ ।