ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତର ଲେଜର ଅସ୍ତ୍ରର ସଫଳ ପରୀକ୍ଷଣ: ଆକାଶମାର୍ଗରେ ବିମାନ, ମିସାଇଲ, ଡ୍ରୋନକୁ କରିବ ଧ୍ୱଂସ

Published By : Prameya | April 14, 2025 9:43 AM

ନୂଆଦିଲ୍ଲୀ,୧୪/୦୪: ଯୁଦ୍ଧ ଏବେ ହାଇବ୍ରିଡ ଓ ମାନବ ବିହୀନ ଅସ୍ତ୍ରରେ  ଲଢ଼ାଯାଉଛି । ଏଭଳି ଯୁଦ୍ଧକୁ ରୋକିବା ସବୁଠାରୁ  ମହଙ୍ଗା ସାବ୍ୟସ୍ତ ହୋଇପଡିଛି । କାରଣ କିଛି ଲକ୍ଷ ଟଙ୍କାରେ ନିର୍ମିତ ଲଢୁଆ ଡ୍ରୋନକୁ ରୋକିବା ଲାଗି  କୋଟି କୋଟି ଟଙ୍କାର ଏୟାର ଡିଫେନ୍ସ ସିଷ୍ଟମ ବ୍ୟବହାର ହେଉଛି । ଭାରତ ଏହି ଆହ୍ୱାନର  ମୁକାବିଲା କରିବା ପାଇଁ ଲେଜର ଅଧାରିତ ଡାଇରେକ୍ଟ ଏନର୍ଜି ୱିପନ ବିକଶିତ କରିଛି । ରବିବାର ଏହି ୱିପନର ସଫଳ ପରୀକ୍ଷଣ ମଧ୍ୟ  କରାଯାଇଛି । ଫଳରେ ଏଭଳି ଅସ୍ତ୍ର ବିକଶିତ  କରିବାରେ ଆମେରିକା, ରୁଷ ଓ ଚୀନ୍‌ ସହ ଏଲିଟ କ୍ଲବରେ ଭାରତ ସାମିଲ ହୋଇଛି । 

ଆନ୍ଧ୍ରପ୍ରଦେଶର କୁର୍ନୁଲ ଠାରେ ଡିଆରଡିଓ  (ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ)  ପକ୍ଷରୁ  ୩୦ କିଲୋୱାଟ ଲେଜର  ଆଧାରିତ ୱିପନ ପରୀକ୍ଷଣ କରାଯାଇଛି । ଏହି  ଉଚ୍ଚ କ୍ଷମତାସମ୍ପନ୍ନ ଲେଜର ବିମ୍‌ଡ ୱିପନ ମାଧ୍ୟମରେ ଆକାଶ ମାର୍ଗରେ ଆସୁଥିବା ଏକ  ଡେମୋ ଡ୍ରୋନକୁ ଧ୍ୱଂସ କରିଦିଆଯାଇଛି । ଏହାର ନାମ ରଖାଯାଇଛି ଡାଇରେକ୍ଟ ଏନର୍ଜି  ୱିପନ (ଡିଇଡବ୍ଲ୍ୟୁ) ଏମକେ-୨ (ଏ) ।  ପରୀକ୍ଷଣ ବେଳେ ଡିଆରଡିଓ ଅଧ୍ୟକ୍ଷ ସମୀର  ବି. କାମାଥ ଓ ଅନ୍ୟ ବରିଷ୍ଠ ବୈଜ୍ଞାନିକମାନେ  ଉପସ୍ଥିତ ଥିଲେ । ଏହି ଅବସରରେ କାମାଥ  କହିଛନ୍ତି ଯେ ଏହା କେବଳ ଆରମ୍ଭ ମାତ୍ର ।  ଆଗକୁ ଡିଆରଡିଓର ବୈଜ୍ଞାନିକମାନେ ହାଇ  ଏନର୍ଜି ମାଇକ୍ରୋୱେଭ, ଇଲେକ୍ଟ୍ରୋମ୍ୟାଗ୍ନେଟିକ  ପଲ୍‌ସ ଟେକ୍ନୋଲୋଜି ଭଳି ହାଇ ଏନର୍ଜି ସିଷ୍ଟମ  ଆଧାରିତ ୱିପନ ମଧ୍ୟ ବିକଶିତ କରିବେ ।  ବର୍ତ୍ତମାନ ଏହା ଉପରେ କାମ ଜାରି ରହିଛି । ଡିଆରଡିଓ ଏବେ ୩୦୦ କିଲୋୱାଟ ଡିଇଡବ୍ଲ୍ୟୁ  ବିକଶିତ କରିବାରେ ଲାଗିଛି । ଏହାର ନାମ  ସୂର୍ଯ୍ୟ ରଖାଯାଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୨୦ କିଲୋମିଟର ହେବ । ଏହା ବିମାନ,  ମିସାଇଲ ଓ ଡ୍ରୋନ ଭଳି ହାଇସ୍ପିଡ୍‌ ଟାର୍ଗେଟକୁ  ଧ୍ୱଂସ କରିବାରେ ସକ୍ଷମ ହେବ । 

ଡିଇଡବ୍ଲ୍ୟୁକୁ ଡିଆରଡିଓର  ହାଇଦ୍ରାବାଦସ୍ଥିତ ସେଣ୍ଟର ଫର ହାଇ ଏନର୍ଜି  ସିଷ୍ଟମ ଆଣ୍ଡ ସାଇନ୍ସ ଲ୍ୟାବରେ ବିକଶିତ  କରାଯାଇଛି । ଏହା ଏକ ୩୦ କିଲୋୱାଟ  ଲେଜର ଆଧାରିତ ୱିପନ ସିଷ୍ଟମ । ଏହା ୫  କିଲୋମିଟର ଦୂରରୁ ଆସୁଥିବା କୌଣସି ବିମାନ,  ହେଲିକପ୍ଟର, ମିସାଇଲ କିମ୍ବା ଡ୍ରୋନକୁ ଟାର୍ଗେଟ  କରି ଧ୍ୱଂସ କରିପାରିବ । ଏହି ସିଷ୍ଟମ ୩୬୦  ଡିଗ୍ରୀ ଇଲେକ୍ଟ୍ରୋ ଅପଟିକାଲ ଇନଫ୍ରାରେଡ  ସେନ୍‌ସର ସହ ସଜ୍ଜିତ। ଏହା ଶତ୍ରୁର  ଫିକ୍ସଡ ୱିଙ୍ଗ ଡ୍ରୋନ, ସର୍ଭେଲାନ୍ସ ସେନ୍‌ସର  ଓ ଆଣ୍ଟିନାକୁ ସହଜରେ ଧ୍ୱଂସ କରିପାରିବ ।  ରାଡାରରେ ଟାର୍ଗେଟ ଠାବ କରାଯିବା ପରେ  ଲେଜର ଡିଇଡବ୍ଲ୍ୟୁ ବିଦ୍ୟୁତ ବେଗରେ  ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ । ଖର୍ଚ୍ଚ  ଦୃଷ୍ଟିରେ ଦେଖିଲେ ଏହା ବେଶ୍‌ ଲାଭଦାୟକ ।  ଗୋଟିଏ ଟାର୍ଗେଟକୁ ଧ୍ୱଂସ କରିବା ଲାଗି ଅଳ୍ପ  କିଛି ଲିଟର ପେଟ୍ରୋଲର ଦାମ ଲାଗିବ । ଆହୁରି  ଏକ ବଡକଥା ହେଉଛି ଏହି ୱିପନ ସିଷ୍ଟମକୁ  ରେଳ, ସଡକ କିମ୍ବା ଆକାଶ ପଥରେ ଗୋଟିଏ  ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ନେଇ ହେବ । 

ଇତିମଧ୍ୟରେ ଭାରତୀୟ ସେନା ଓ  ବାୟୁସେନା ଡ୍ରୋନ ବିଧ୍ୱଂସୀ ସିଷ୍ଟମ କ୍ରୟ  କରିବାକୁ ପ୍ରୟାସ ଆରମ୍ଭ କରିଛି । ଆତ୍ମନିର୍ଭର  ଭାରତ ଓ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ  ଅଧୀନରେ ସ୍ୱଦେଶୀ କମ୍ପାନି ଠାରୁ ଏହା  କିଣାଯିବ । ଏଥିପାଇଁ ଆରଏଫଆଇ ଅର୍ଥାତ  ରିକ୍ୱେଷ୍ଟ ଫର ଇନ୍‌ଫର୍ମେସନ ମଧ୍ୟ ଜାରି  କରାଯାଇଛି । ଭାରତ ତାର ଆବଶ୍ୟକତା  ଅନୁସାରେ ସମସ୍ତ ତଥ୍ୟ ସ୍ୱଦେଶୀ କମ୍ପାନି  ନିକଟରେ ରଖିଛି । ସିଷ୍ଟମ ଏଭଳି ହେବା  ଦରକାର ଯାହାକି ଶତ୍ରୁପକ୍ଷର ଡ୍ରୋନକୁ  ସହଜରେ ଚିହ୍ନଟ କରିବା ସହ ତାକୁ ଠାବ  କରି ଧ୍ୱଂସ କରିପାରିବ । ଏଥିରେ ଫେଜ୍‌ଡ  ଏରୋ ରାଡାର, ଆରଏଫ ସେନ୍‌ସର,  ଇଲେକ୍ଟ୍ରୋ ଅପ୍‌ଟିକାଲ ଓ ଇନ୍‌ଫ୍ରାରେଡ୍‌  ସିଷ୍ଟମ ଭଳି ଡ୍ରୋନ ନିରୋଧୀ ସେନ୍‌ସର ରହିବା ଆବଶ୍ୟକ । ଶତ୍ରୁପକ୍ଷର ଡ୍ରୋନକୁ ଧ୍ୱଂସ  କରିବା କିମ୍ବା ଖସାଇବା ଭଳି ସଫ୍ଟ ଓ ହାର୍ଡ  କିଲ୍‌ ଉଭୟ ବିକଳ୍ପ ଉପରେ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି । ତେବେ ହାର୍ଡ କିଲ୍‌  ବିକଳ୍ପ ଲାଗି ଲେଜର ଆଧାରିତ ଡିଇଡବ୍ଲ୍ୟୁର  ବିକାଶ ଏବେ ହୋଇପାରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.