ନୂଆଦିଲ୍ଲୀ, ୨୭/୧୧ : ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା। ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ ଉନ୍ମୋଚିତ। ଭିଡିଓ କନଫରେନ୍ସ ଜରିଆରେ ରକେଟ୍ ବିକ୍ରମ-୧ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହାଇଦ୍ରାବାଦର ସ୍ପେଶ୍ ଷ୍ଟାର୍ଟଅପ୍ ଫାର୍ମ ସ୍କାଏରୁଟ୍ ରକେଟ୍ ବିକ୍ରମ-୧କୁ ତିଆରି କରିଛି। ଏହା ସହ ପ୍ରଧାନମନ୍ତ୍ରୀ ୨ ଲକ୍ଷ ବର୍ଗଫୁଟରେ ନିର୍ମିତ ସ୍କାଇରୁଟ୍‌ର ବିଶାଳ ଇନଫିନିଟି କ୍ୟାମ୍ପସ୍‌ର ଶୁଭ ଉଦଘାଟନ କରିଛନ୍ତି। ଏହି କ୍ୟାମ୍ପସ୍ ପ୍ରତି ମାସରେ ଏକ ଅର୍ବିଟାଲ ରକେଟ୍ ତିଆରି କରିବାର କ୍ଷମତା ରଖିଛି। 

ବିକ୍ରମ-୧ ରକେଟ୍ ଉପଗ୍ରହଗୁଡ଼ିକୁ ପୃଥିବୀର କକ୍ଷରେ ସ୍ଥାପିତ କରିବାର କ୍ଷମତା ରଖିଛି। ଏହା କମ୍ ଖର୍ଚ୍ଚରେ ଓ ତୀବ୍ର ଗତିରେ ଛୋଟ ଉପଗ୍ରହଗୁଡ଼ିକୁ ଅନ୍ତରୀକ୍ଷକୁ ପଠାଇବା ପାଇଁ ବିକଳ୍ପ ଭାବରେ କାମ କରିବ। ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ପ୍ରତିଷ୍ଠାତା ଡ. ବିକ୍ରମ ସାରାଭାଇଙ୍କ ନାମରେ ଏହି ରକେଟ୍‌କୁ ନାମିତ କରାଯାଇଛି। ଏହା ୩୦୦ କିଲୋଗ୍ରାମର ଭାର ବହନ କରି ପୃଥିବୀର ନିମ୍ନ କକ୍ଷ ପର୍ଯ୍ୟନ୍ତ ବହନ କରିବା ଭଳି ଡିଜାଇନ୍ କରାଯାଇଛି। ରକେଟ୍‌ଟି ସମ୍ପୂର୍ଣ୍ଣ କାର୍ବନ-ଫାଇବର୍‌ରେ ନିର୍ମିତ। ଯାହାକି ଅନ୍ୟ ରକେଟ୍‌ ଠାରୁ ଏହାକୁ ସ୍ଵତନ୍ତ୍ର କରୁଛି। କମ୍ପାନୀ ଦାବି କରିଛି ଯେ, ଏହି ରକେଟ୍‌କୁ ଯେକୌଣସି ପ୍ରଶିକ୍ଷଣ ସ୍ଥାନରୁ ୨୪ ଘଣ୍ଟା ଭିତରେ ଆସେମ୍ଵଲ କରି ପ୍ରକ୍ଷେପଣ କରାଯାଇପାରିବ। ସେହିପରି ସ୍କାଇରୁଟ୍‌ର ଇନଫିନିଟି କ୍ୟାମ୍ପସ୍ ଭାରତର ନୂଆ ଚିନ୍ତାଧାରା ଏବଂ ଯୁବଶକ୍ତିର ପ୍ରତୀକ।