ଦୁବାଇ,୦୩/୧୦: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତା ତାଲିକାରେ ଭାରତୀୟ ଖେଳାଳିଙ୍କ ରାଜୁତି ଜାରି ରହିଛି ।  ବ୍ୟାଟିଂ, ବୋଲିଂ ଓ ଅଲ୍‌ରାଉଣ୍ଡର ମାନ୍ୟତା  ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ ୩ଟି ଲେଖାଏଁ  ସ୍ଥାନ ଭାରତୀୟ ଖେଳାଳି କବ୍‌ଜା କରିଛନ୍ତି ।  

ଷ୍ଟାର୍‌ ପେସ୍‌ ବୋଲର ଯଶପ୍ରୀତ ବୁମରା ବୋଲିଂ ମାନ୍ୟତାର ଶୀର୍ଷକୁ ଫେରିଛନ୍ତି ।  ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟରେ ବୁମରା  ୬ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଚଳିତ  ବର୍ଷ ବୁମରା ଦ୍ୱିତୀୟ ଥର ପାଇଁ ମାନ୍ୟତା  ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ଗତ  ଜାନୁଆରୀ ଓ ଫେବ୍ରୁଆରୀ ମଧ୍ୟରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ବୁମରା  ପ୍ରଥମ କରି ଶୀର୍ଷ ସ୍ଥାନ ଦଖଲ କରିଥିଲେ ।  ଭାରତର ପ୍ରଥମ ପେସ୍‌ ବୋଲର ଭାବେ  ବୁମରା ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନରେ  ପହଞ୍ଚିଥିଲେ । ଗତ ସପ୍ତାହରେ ଶୀର୍ଷ ସ୍ଥାନ  ଦଖଲ କରିଥିବା ରବି ଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ  ସ୍ଥାନକୁ ଖସିଛନ୍ତି । ସେହିପରି ରବିନ୍ଦ୍ର ଜାଡେଜା  ମାନ୍ୟତା ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି ।  

ବ୍ୟାଟିଂ ମାନ୍ୟତାରେ ଯଶସ୍ୱୀ ଜୈସ୍ୱାଲ୍‌  ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ମାତ୍ର  ୧୧ଟି ଟେଷ୍ଟ ଖେଳି ତୃତୀୟ ସ୍ଥାନ ଦଖଲ  କରିବା ଜୈସ୍ୱାଲଙ୍କ ଦକ୍ଷତା ଓ ପ୍ରଦର୍ଶନକୁ  ପ୍ରମାଣିତ କରୁଛି । ସେ କାନପୁର ଟେଷ୍ଟର  ଉଭୟ ଇନିଂସରେ ଅର୍ଦ୍ଧଶତକ ଅର୍ଜନ  କରିଥିଲେ । ସେହିପଯରି ବିରାଟ କୋହଲିଙ୍କ  ମାନ୍ୟତାରେ ୬ଟି ସ୍ଥାନ ଉନ୍ନତି ହୋଇଛି ଓ  ସେ ପୁନର୍ବାର ଷଷ୍ଠ ସ୍ଥାନ ଦଖଲ କରିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ରିଷଭ ପନ୍ତ  ନବମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡର  ଜୋ ରୁଟ୍‌ ପୂର୍ବବତ୍‌ ଶୀର୍ଷ ସ୍ଥାନ ବଜାୟ  ରଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଲଙ୍କାର  କାମିଣ୍ଡୁ ମେଣ୍ଡିସ୍‌ ମାତ୍ର ୮ଟି ଟେଷ୍ଟ ଖେଳି  ମାନ୍ୟତା ତାଲିକାର ୧୧ତମ ସ୍ଥାନରେ ପହଞ୍ଚି  ଯାଇଛନ୍ତି । ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ  ଟେଷ୍ଟରେ ଅପରାଜିତ ୧୮୨ ରନ୍‌ର ଇନିଂସ  ଖେଳିଥିଲେ । ଅନ୍ୟ ଶ୍ରୀଲଙ୍କା ଖେଳାଳିଙ୍କ  ମଧ୍ୟରେ ପ୍ରବଥ ଜୟସୂରିୟା ବୋଲିଂ  ମାନ୍ୟତାର ସପ୍ତମ ସ୍ଥାନ ଦଖଲ କରିଛନ୍ତି ।