ନୂଆଦିଲ୍ଲୀ,୨୫/୦୩: ଏକାଧିକ କାରଣ ଯୋଗୁ ଭାରତର ମଧ୍ୟବିତ୍ତଙ୍କ ଆର୍ଥିକ ସମସ୍ୟା ବଢ଼ିଚାଲିଛି । ସ୍ଥିର ଆୟ, ଅଟୋମେଶନ-ଚାଳିତ ନିଯୁକ୍ତି  ହ୍ରାସ ଏବଂ ସାମ୍ପ୍ରତିକ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁ ମଧ୍ୟବିତ୍ତମାନେ ଆର୍ଥିକ ବୋଝରେ ସନ୍ତୁଳି ହେଉଥିବା ମାର୍ସେଲସ୍‌ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜର୍ସର ପ୍ରତିଷ୍ଠାତା ଏବଂ ମୁଖ୍ୟ  ନିବେଶ ଅଧିକାରୀ ସୌରଭ ମୁଖାର୍ଜୀ  ପ୍ରକାଶ କରିଛନ୍ତି । 

ଏହି ସମସ୍ୟାଗୁଡ଼ିକୁ ନେଇ  ଆଲୋକପାତ କରିବା ସହ ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ, ଏସବୁ ସମସ୍ୟା ବିଭିନ୍ନ ଉପାୟରେ ମଧ୍ୟବିତ୍ତଙ୍କ ଆର୍ଥିକ ସୁରକ୍ଷାକୁ ବାଧା ଦେଉଛି । ସେ କହିଛନ୍ତି ଯେ, ମଧ୍ୟବିତ୍ତଙ୍କ  ଆୟ ଯେଉଁଠି ସେଇଠି ସ୍ଥିର ରହିଛି ।  ଏହା ଏକ ପ୍ରମୁଖ ସମସ୍ୟା । ଗତ ୧୦ ବର୍ଷ ଧରି ଏହି ବର୍ଗଙ୍କ ବାର୍ଷିକ ହାରାହାରି ଆୟ ପ୍ରାୟ ସାଡେ ୧୦ ଲକ୍ଷ ଟଙ୍କାରେ ସ୍ଥିର ରହିଛି । ବାସ୍ତବରେ ଯଦି ଦେଖାଯାଏ ତେବେ ମୁଦ୍ରାସ୍ଫୀତି ଯୋଗୁ ମଧ୍ୟବିତ୍ତଙ୍କ ଆୟ ଏବେ ଅଧା କହିଲେ ଚଳେ । ଏହା ଏକ  ବଡ଼ ସମସ୍ୟା ।  

ଲୋକେ ଏକ ଭଲ ଜୀବନଶୈଳୀ ଜିଇଁବାକୁ ଚାହାନ୍ତି । କିନ୍ତୁ  ଦରଦାମ ବୃଦ୍ଧି ଯୋଗୁ ଭଲ ଜୀବନଶୈଳୀ ପାଇଁ ଲୋକଙ୍କୁ ମୋଟା  ଋଣ କରିବାକୁ ପଡୁଥିବା ମୁଖାର୍ଜୀ  ପ୍ରକାଶ କରିଛନ୍ତି ।  

ଅଟୋମେଶନ ଯୋଗୁ ନିଯୁକ୍ତି  ସମ୍ଭାବନା ବି ହ୍ରାସ ପାଇଛି । ଫ୍ୟାକ୍ଟ୍ରି  ହେଉ କିମ୍ବା ଅଫିସ୍‌, ପାରମ୍ପରିକ  ମଧ୍ୟବିତ୍ତ ବର୍ଗଙ୍କ ନିଯୁକ୍ତିର ଜାଗା ନେଉଛି ମେଶିନ୍‌  । ଉଦାହରଣ  ଭାବେ ମୁଖାର୍ଜୀ ବ୍ୟାଙ୍କ ଟେଲର୍‌ଙ୍କୁ  ଦର୍ଶାଇଛନ୍ତି । ସେ କହିଛନ୍ତି ଯେ,  ଏଟିଏମ୍‌ ସହ ଅଟୋମେଶନ୍‌ର ପ୍ରଥମ  ଲହର ଆସିଛି । ଦ୍ୱିତୀୟ ଲହର  ହେଉଛି ବ୍ୟାଙ୍କ ଟେଲର୍‌ଙ୍କ ସ୍ଥାନ ନେବ  ବଟ୍‌ । ଜେନେରେଟିଭ୍‌ ଏଆଇ ଦ୍ୱାରା  ଚାଳିତ ଅଟୋମେଶନ୍‌ର ପରବର୍ତ୍ତୀ  ପର୍ଯ୍ୟାୟରେ ଉଭୟ ମାନୁଫାକ୍‌ଚରିଂ  ଏବଂ ହ୍ୱାଇଟ୍‌-କୋଲାର କ୍ଷେତ୍ରର ନିଯୁକ୍ତି ପ୍ରଭାବିତ ହେବ । 

ସେହିଭଳି ମଧ୍ୟବିତ୍ତଙ୍କ ଉପରେ  ପ୍ରଭାବ ପକାଉଛି ଆର୍ଥିକ ମାନ୍ଦାବସ୍ଥା । କୋଭିଡ୍‌-ପରବର୍ତ୍ତୀ  ଚକ୍ରାକାର ଅର୍ଥନୈତିକ ମାନ୍ଦାବସ୍ଥାର ସବୁଠାରୁ ବଡ଼ ପ୍ରଭାବ  ମଧ୍ୟମ ବର୍ଗଙ୍କ ଉପରେ ପଡ଼ିବ ବୋଲି ମୁଖାର୍ଜୀ ପ୍ରକାଶ କରିଛନ୍ତି ।  

ମୁଖାର୍ଜୀ ଆହୁରି କହିଛନ୍ତି ଯେ, ଅର୍ଥନୈତିକ ମାନ୍ଦାବସ୍ଥା  କ୍ଷୀଣସ୍ଥାୟୀ । କିନ୍ତୁ ସ୍ଥିର ଆୟ ଏବଂ ଅଟୋମେଶନଚାଳିତ  ନିଯୁକ୍ତି ହ୍ରାସ ଢ଼ାଞ୍ଚାଗତ । ଆସନ୍ତା ଦଶନ୍ଧିରେ ଏହାର  ବୃହତ୍‌ ପ୍ରଭାବ ଦେଶର ମଧ୍ୟବିତ୍ତ ଅନୁଭବ କରିବେ ।