ନୂଆଦିଲ୍ଲୀ,୧୬/୦୪: ଚଳିତ ବର୍ଷ ମାର୍ଚ୍ଚରେ ଦେଶର ବେକାରି ହାର ୫.୧%କୁ ବୃଦ୍ଧି ପାଇଛି । ଏହା ୫ ମାସର ସର୍ବୋଚ୍ଚ ସ୍ତର । ଫେବ୍ରୁଆରୀରେ ବେକାରି ହାର ଥିଲା ୪.୯% । ବିଶେଷ କରି ସହରାଞ୍ଚଳରେ ନିଯୁକ୍ତି କମିବା ଫଳରେ ଦେଶର ହାରାହାରି ବେକାରି ହାର ବଢ଼ିଥିବା ବୁଧବାର ଜାରି ସରକାରୀ ତଥ୍ୟରୁ ଜଣାପଡ଼ିଛି । ମହିଳାଙ୍କ କ୍ଷେତ୍ରରେ ବେକାରି ହାର ଅଧିକ ରହିଛି । ପୁରୁଷ ବେକାରି ହାର ୫% ଥିବାବେଳେ ମହିଳାଙ୍କ କ୍ଷେତ୍ରରେ ଏହା ରହିଛି ୫.୩% ।
ମାର୍ଚ୍ଚରେ ସହରାଞ୍ଚଳ ବେକାରି ହାର ବଢ଼ି ୬.୮% ହୋଇଛି, ଯାହାକି ଫେବ୍ରୁଆରୀରେ ଥିଲା ୬.୬% । ଅନ୍ୟପକ୍ଷରେ, ଗ୍ରାମାଞ୍ଚଳରେ ଏହା ୪.୨%ରୁ ବଢ଼ି ୪.୩% ହୋଇଥିବା ପିରିୟଡିକ୍ ଲେବର୍ ଫୋର୍ସ ସର୍ଭେ(ପିଏଲ୍ଏଫ୍ଏସ୍) ରୁ ଜଣାପଡ଼ିଛି । ୧୫ବର୍ଷରୁ ଅଧିକ ବୟସର ବ୍ୟକ୍ତିବିଶେଷ ଯେଉଁମାନେ ବେକାର କିନ୍ତୁ ସକ୍ରିୟ ଭାବେ କାର୍ଯ୍ୟ ସନ୍ଧାନରେ ଅଛନ୍ତି ସେମାନଙ୍କୁ ନେଇ ଏହି ସର୍ଭେ କରାଯାଇଛି । ଯୁବବର୍ଗ ବା ୧୫ରୁ ୨୯ ବର୍ଷ ବୟସ୍କଙ୍କ ମଧ୍ୟରେ ବେକାରି ହାର ୧୫.୨%ରେ ପହଞ୍ଚିଛି, ଯାହାକି ଫେବ୍ରୁଆରୀରେ ୧୪.୮% ଥିଲା ।
ଅଧିକ ପଢ଼ନ୍ତୁ :- 8th Pay Commission: ସର୍ବନିମ୍ନ ଦରମା ୬୯ ହଜାର, ବାର୍ଷିକ ୬% ଇନକ୍ରିମେଣ୍ଟ, ଆହୁରି କେତେ କ'ଣ...
ଯୁବକମାନଙ୍କ ମଧ୍ୟରେ ଏହା ୧୩.୭%ରୁ ବଢ଼ି ୧୪.୩% ହୋଇଥିବାବେଳେ ଯୁବତୀମାନଙ୍କ ମଧ୍ୟରେ ଏହା ୧୭.୬% ରୁ ବଢ଼ି ୧୭.୭% ହୋଇଛି । ଗ୍ରାମୀଣ ଏବଂ ସହରାଞ୍ଚଳର ୮୯,୨୩୪ ପରିବାର ଓ ୩୭୫,୨୬୨ ବ୍ୟକ୍ତିବିଶେଷଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ମାର୍ଚ୍ଚରେ ଶ୍ରମବଳ ଯୋଗଦାନ ହାର(ଏଲ୍ଏଫ୍ପିଆର୍) ୫୫.୪%କୁ ଖସିଯାଇଛି, ଯାହାକି ୫ ମାସରେ ସର୍ବନିମ୍ନ । ପୁରୁଷଙ୍କ ମଧ୍ୟରେ ଶ୍ରମବଳ ଯୋଗଦାନ ହାର ୭୭.୫%ରୁ ୭୭.୪% କୁ ଏବଂ ମହିଳାଙ୍କ କ୍ଷେତ୍ରରେ ଏହା ୩୫.୩%ରୁ ୩୪.୪%କୁ ଖସିଯାଇଛି ।