ମୁମ୍ବାଇ,୧୬।୮: ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଲା ଇଣ୍ଡିଗୋ ବିମାନ। ପ୍ରବଳ ବର୍ଷା ଯୋଗୁଁ ଶନିବାର ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ବିମାନର ପଛ ଅଂଶ ରନୱେରେ ଧକ୍କା ଦେଇଥିଲା। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ବ୍ୟାଙ୍କକରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ଏୟାରବସ୍ A321 ବିମାନ ସହ ଏହି ଘଟଣା ଘଟିଛି। ବିମାନରେ ଥିବା କୌଣସି ଯାତ୍ରୀଙ୍କ କ୍ଷତି ହେବାର କୌଣସି ଖବର ନାହିଁ, କିନ୍ତୁ ଏହା କିଛି ସମୟ ପାଇଁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା।
ଖବର ଅନୁସାରେ, ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ସମୟରେ ଇଣ୍ଡିଗୋ ଏୟାର ଲାଇନ୍ସର ବିମାନର ପଛ ଅଂଶ ରନୱେରେ ଧକ୍କା ଦେଇଥିଲା। ମୁମ୍ବାଇରେ ପ୍ରବଳ ବର୍ଷା ଏବଂ କମ୍ ଭିଜିବିଲିଟି କାରଣରୁ ଏହି ଘଟଣା ଘଟିଥିଲା। ଇଣ୍ଡିଗୋ ଏୟାରଲାଇନ୍ସର ସୂଚନା ଅନୁଯାୟୀ, ବିମାନକୁ ଯାଞ୍ଚ ଏବଂ ମରାମତି ପାଇଁ ପଠାଯିବ, ଯାହା ପରେ ଏହାକୁ ପୁଣି ଉଡ଼ାଣ ପାଇଁ ଅନୁମତି ଦିଆଯିବ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ( ଡିଜିସିଏ)ର ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ଘଟଣାର ତଦନ୍ତ କରିବୁ। ଏଥିପାଇଁ ଏକ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯିବ। ଅଧିକାରୀଙ୍କ ଅନୁଯାୟୀ, ବିମାନଟି ବ୍ୟାଙ୍କକରୁ ମୁମ୍ବାଇ ଆସୁଥିଲା । ଶନିବାର ଭୋର ୩ଟା ୬ ମିନିଟ୍ରେ ରନୱେ ୨୭ ରେ ଅବତରଣ କରିବା ସମୟରେ, ବିମାନର ପଛପାର୍ଶ୍ବ ରନୱେରେ ଧକ୍କା ଦେଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଖରାପ ପାଗ ଯୋଗୁଁ ଏହି ଘଟଣା ଘଟିଛି। ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇ ନାହାଁନ୍ତି।