ଭୁବନେଶ୍ୱର,୩୧/୦୫: ଆସନ୍ତା ଜୁନ୍ ୧୨ ତାରିଖରେ ଓଡ଼ିଶା ବିମାନ ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହେଉଛି । ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିବ । ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍ ଓ କୁଆଲାଲାମ୍ପୁର ପରେ ଅନ୍ୟ ଏକ ଦେଶ ସହ ବିମାନ ସେବା ଯୋଡ଼ି ହେବ ।
ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଏହି ବିମାନଯାତ୍ରାର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ନୂଆ ଡେଷ୍ଟିନେସନ୍ ପଲିସି (ଏନ୍ଡିପି) ୨୦୨୪ ଆଧାରରେ ରାଜ୍ୟର ପର୍ଯ୍ୟଟନ ଓ ବ୍ୟବସାୟ ଉନ୍ନତିକରଣକୁ ଗୁରୁତ୍ୱ ଦିଆଯାଉଛି । ଏହି ନୂଆ ଉଡ଼ାଣ ଦ୍ୱାରା ଅର୍ଥନୈତିକ ବିକାଶ ହେବା ସହ ସଂସ୍କୃତିର ଆଦାନପ୍ରଦାନ ବଢ଼ିବ । ବିକଶିତ ଓଡ଼ିଶା ଅଭିଯାନରେ ରାଜ୍ୟ ଆଉ ପାଦେ ଆଗେଇବ ବୋଲି ସରକାର ସୂଚାଇଛନ୍ତି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଇଣ୍ଡିଗୋର ଏକ ବିମାନ ସପ୍ତାହକୁ ୩ ଦିନ (ମଙ୍ଗଳବାର, ଗୁରୁବାର ଓ ଶନିବାର) ଭୁବନେଶ୍ୱରରୁ ଆବୁଧାବିକୁ ଚଳାଚଳ କରିବ ।
ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ଭୁବନେଶ୍ୱରରୁ ଦୈନିକ ହାରାହାରି ୪ଟି ବିମାନ ବିଦେଶକୁ ଚଳାଚଳ କରୁଛି । ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ ଓ କୁଆଲାଲାମ୍ପୁରକୁ ବିମାନ ସେବା ଜାରି ରହିଛି । ୨୦୨୩-୨୪ ବର୍ଷରେ କୁଆଲାଲାମ୍ପୁରକୁ ବିମାନ ସେବା ବନ୍ଦ ଥିଲା । ସପ୍ତାହକୁ ୩ ଥର ଦୁବାଇ, ୨ଥର ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ବିମାନ ଯାତାୟାତ କରୁଛି ।
ଗତ ଜାନୁଆରୀ ମାସରୁ ଏଯାବତ୍ ପ୍ରାୟ ୯ଟି ନୂଆ ସହରକୁ ବିମାନ ସେବା ଆରମ୍ଭ ହୋଇଛି । ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର, କେରଳର କୋଚି ସମେତ ଲକ୍ଷେ୍ମø, ପାଟନା, ଡେରାଡୁନ୍, ଇନ୍ଦୋର, ଗୋଆ ସହ ବିମାନ ଚଳାଚଳ ହେଉଛି । ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରରୁ ଉତ୍ତରପ୍ରଦେଶର ଗାଜିଆବାଦ୍ ଓ ଆଣ୍ଡମାନ ନିକୋବରର ରାଜଧାନୀ ପୋର୍ଟବ୍ଲେୟାରକୁ ସବୁଦିନ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଚଳାଚଳ କରୁଛି ।