ଭୁବନେଶ୍ୱର,୩୧/୦୫: ଆସନ୍ତା  ଜୁନ୍‌ ୧୨ ତାରିଖରେ ଓଡ଼ିଶା ବିମାନ ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହେଉଛି । ଭୁବନେଶ୍ୱର ବିମାନବନ୍ଦରରୁ  ସିଧା ୟୁନାଇଟେଡ୍‌ ଆରବ ଏମିରେଟ୍ସ  (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ  ଉଡ଼ିବ । ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍‌ ଓ କୁଆଲାଲାମ୍ପୁର ପରେ ଅନ୍ୟ ଏକ  ଦେଶ ସହ ବିମାନ ସେବା ଯୋଡ଼ି ହେବ । 

ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଏହି ବିମାନଯାତ୍ରାର  ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀଙ୍କ ମାର୍ଗଦର୍ଶନରେ ନୂଆ  ଡେଷ୍ଟିନେସନ୍‌ ପଲିସି (ଏନ୍‌ଡିପି)  ୨୦୨୪ ଆଧାରରେ ରାଜ୍ୟର ପର୍ଯ୍ୟଟନ  ଓ ବ୍ୟବସାୟ ଉନ୍ନତିକରଣକୁ ଗୁରୁତ୍ୱ ଦିଆଯାଉଛି । ଏହି ନୂଆ ଉଡ଼ାଣ ଦ୍ୱାରା  ଅର୍ଥନୈତିକ ବିକାଶ ହେବା ସହ  ସଂସ୍କୃତିର ଆଦାନପ୍ରଦାନ ବଢ଼ିବ ।  ବିକଶିତ ଓଡ଼ିଶା ଅଭିଯାନରେ ରାଜ୍ୟ  ଆଉ ପାଦେ ଆଗେଇବ ବୋଲି ସରକାର  ସୂଚାଇଛନ୍ତି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ  ସୂଚନା ମୁତାବକ, ଇଣ୍ଡିଗୋର ଏକ  ବିମାନ ସପ୍ତାହକୁ ୩ ଦିନ (ମଙ୍ଗଳବାର,  ଗୁରୁବାର ଓ ଶନିବାର) ଭୁବନେଶ୍ୱରରୁ  ଆବୁଧାବିକୁ ଚଳାଚଳ କରିବ ।  

ରାଜ୍ୟ ସରକାରଙ୍କ ସୂଚନା ମୁତାବକ,  ଭୁବନେଶ୍ୱରରୁ ଦୈନିକ ହାରାହାରି  ୪ଟି ବିମାନ ବିଦେଶକୁ ଚଳାଚଳ  କରୁଛି । ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ  ଓ କୁଆଲାଲାମ୍ପୁରକୁ ବିମାନ ସେବା  ଜାରି ରହିଛି । ୨୦୨୩-୨୪ ବର୍ଷରେ  କୁଆଲାଲାମ୍ପୁରକୁ ବିମାନ ସେବା ବନ୍ଦ ଥିଲା ।  ସପ୍ତାହକୁ ୩ ଥର ଦୁବାଇ, ୨ଥର ସିଙ୍ଗାପୁର  ଓ ବ୍ୟାଙ୍କକ୍‌କୁ ବିମାନ ଯାତାୟାତ କରୁଛି ।  

ଗତ ଜାନୁଆରୀ ମାସରୁ ଏଯାବତ୍‌ ପ୍ରାୟ  ୯ଟି ନୂଆ ସହରକୁ ବିମାନ ସେବା ଆରମ୍ଭ  ହୋଇଛି । ଭୁବନେଶ୍ୱରରୁ ରାଜସ୍ଥାନର  ଜୟପୁର, କେରଳର କୋଚି ସମେତ  ଲକ୍ଷେ୍ମø, ପାଟନା, ଡେରାଡୁନ୍‌, ଇନ୍ଦୋର,  ଗୋଆ ସହ ବିମାନ ଚଳାଚଳ ହେଉଛି ।  ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରରୁ  ଉତ୍ତରପ୍ରଦେଶର ଗାଜିଆବାଦ୍‌ ଓ  ଆଣ୍ଡମାନ ନିକୋବରର ରାଜଧାନୀ  ପୋର୍ଟବ୍ଲେୟାରକୁ ସବୁଦିନ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଚଳାଚଳ କରୁଛି ।