ନୂଆଦିଲ୍ଲୀ,୧୨।୧୧:  ସବୁଠାରୁ ବଡ ଇସଲାମିକ୍ ଦେଶ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିୟାନ୍ତୋ ଆମେରିକା ଗସ୍ତରେ ଓ୍ବାଶିଂଟନ୍‌ରେ ପହଁଞ୍ଚିଛନ୍ତି। ମଙ୍ଗଳବାର ସେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କରିବେ ସାକ୍ଷାତ। ସେ ନବ ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜିତିବା ନେଇ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଗତ ମାସ ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ସେ ସବୁଠାରୁ ପ୍ରଥମେ ଚୀନ୍‌ ଗସ୍ତରେ ଯାଇଥିଲେ। ଏହାପରେ ଯେତେବେଳେ ସେ ଟ୍ରମ୍ପଙ୍କ ସହ କଥା ହୋଇଥିଲେ, ସେ କହିଥିଲେ କାହାପଟକୁ ନଇଁବାର ରାଜନୀତି କରିବେନି।

ସୁବିୟାନ୍ତୋ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି, ଯଦି ସମ୍ଭବ ହୁଏ ତେବେ ମୁଁ ନିଜେ ଆପଣଙ୍କୁ ଫୋନ୍ କରିବି। ଆପଣ ଯେଉଁଠି ବି ଥିଲେ ମୁଁ ପହଁଞ୍ଚିବି ଓ ମିଶିକି ଆପଣଙ୍କୁ ଶୁଭେଚ୍ଛା ଦେବି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଟ୍ରମ୍ପ ତାଙ୍କୁ ଜବାବ ଦେଇଛନ୍ତି, ଆପଣ ଯେତେବେଳେ ଚାହିଁବେ, ଆମେ ପ୍ରସ୍ତୁତ ଅଛୁ। ସେ ନିଜର ବିଜୟକୁ ନେଇ ମଧ୍ୟ ଖୁସି ପ୍ରକାଶ କରିଛନ୍ତି। ଟ୍ରମ୍ପ କହିଛନ୍ତି,ଏହା ବହୁତ ବଡ ସଫଳତା। ଗତ ୧୦୦ ବର୍ଷରେ ଏହା ବଡ ବିଜୟ। 

ଟ୍ରମ୍ପଙ୍କ ଉପରେ ଆକ୍ରମଣକୁ ନେଇ ସୁବିୟାନ୍ତୋ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସୌଭାଗ୍ୟବଶଃତ ଆପଣଙ୍କ ଜୀବନ ବଞ୍ଚିଗଲା। ଏହାଉପରେ ଟ୍ରମ୍ପ କହିଛନ୍ତି, ହଁ ମୁଁ ବହୁତ ବଡ ଭାଗ୍ୟଶାଳୀ। ମୁଁ ଠିକ୍ ସ୍ଥାନରେ ଥିଲି ଓ ସଠିକ ଦିଗରେ ଥିଲି। ନଚେତ ଆଜି ଆପଣଙ୍କ ସହ କଥା ହୋଇପାରଥାନ୍ତି।