ଚେନ୍ନାଇ: ସ୍ୱପ୍ନ ଥିଲା ଭାରତକୁ ମୋଟୋସ୍ପୋର୍ଟ ହବ କରେଇବାର। ଦେଶ ପାଇଁ ଏ ସ୍ୱପ୍ନ ଦେଖୁଥିବା ମଣିଷ କିନ୍ତୁ ଆଜି ଆମ ଗହଣରେ ନାହାନ୍ତି। ଫେଡେରେସନ ଅଫ ମୋଟର ସ୍ପୋର୍ଟ କ୍ଲବ ଅଫ ଇଣ୍ଡିଆ(ଏଫଏମଏସସିଆଇ)ର ପ୍ରତିଷ୍ଠାତା ସଦସ୍ୟ ଇନ୍ଦୁ ଚନ୍ଦୋକଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। 

କୋଲକାତାରେ ଜନ୍ମନେଇଥିଲେ ଚନ୍ଦୁକ। ବଡ଼ ହେବା ପରେ ସେ ମାଡ୍ରାସ(ଏବର ଚେନ୍ନାଇ) ଚାଲି ଆସିଥିଲେ। ସେ ମାଡ୍ରାସରେ ୧୯୫୩ ମସିହାରେ ମାଡ୍ରାସ ମୋଟର ସ୍ପୋର୍ଟ କ୍ଲବ ଖୋଲିଥିଲେ। ଏହାପରେ ସେ ୧୯୭୧ ମସିହାରେ ଏଫଏମଏସସିଆଇର ପ୍ରତିଷ୍ଠା କରିଥିଲେ। ୧୯୭୮ରୁ ୧୯୭୯ ଯାଏ ସେ ଏଫଏମଏସସିଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। 

ମାଡ୍ରାସ ଇଣ୍ଟରନେସନାଲ ସର୍କିଟ(ମାଡ୍ରାସ ମୋଟର ରେସ ଟ୍ରାକ)କୁ ସେ କିଣିବା ସହ ଏହାର ବିକାଶ ମଧ୍ୟ ସେ ନିଜ ତତ୍ତ୍ୱାବଧାନରେ କରିଥିଲେ। ଚେନ୍ନାଇ ସନ୍ନିକଟ ଶ୍ରୀପେରୁମ୍ୱୁଦୁର ଠାରେ ଥିବା ଏହି ରେସ ଟ୍ରାକ ବର୍ତ୍ତମାନ ଭାରତର ମୋଟୋସ୍ପୋର୍ଟ ହବ ଭାବେ ପରିଣତ ହୋଇଛି।

ମୋଟୋସ୍ପୋର୍ଟ ସହ ଚନ୍ଦୋକ ଦୀର୍ଘ ୬ ଦଶନ୍ଧି ଧରି ରହିଥିଲେ। ପ୍ରଥମେ ଏକ ପ୍ରତିଯୋଗୀ ଭାବେ ମଇଦାନକୁ ଓହ୍ଲାଇଥିବା ଚନ୍ଦୋକ ପରେ ମୋଟୋସ୍ପର୍ଟର ଆୟୋଜକଙ୍କ ସ୍ଥାନ ନେଇଥିଲେ। ଏଥିପାଇଁ ତାଙ୍କୁ ଗଡଖାଦର ଅଫ ମୋଟର ସ୍ପୋର୍ଟ ଇନ ଇଣ୍ଡିଆ ବୋଲି କୁହାଯାଏ। 

ବାପାଙ୍କ ବିୟୋଗ ପରେ ତାଙ୍କ ପୁଅ ତଥା ପୂର୍ବତନ ରେସିଂ ଡ୍ରାଇଭର ଭିକ୍କି କହିଛନ୍ତି “ବିଗତ ଦଶନ୍ଧିର ମହାନ ମୋଟୋସ୍ପୋର୍ଟ ନାୟକ ଚନ୍ଦୁକ ଆଜି ଶୋଇଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଇଣ୍ଡିଆନ ମୋଟୋସ୍ପୋର୍ଟକୁ ନୂଆ ରାସ୍ତା ଦେଖାଇଥିଲେ ସେ। ସେ ଜଣେ ଚମତ୍କାର ବାପା ଓ ରକ୍ଷାକର୍ତ୍ତା ଥିଲେ। ପରିବାର ଓ ମୋଟୋସ୍ପୋର୍ଟର ସଦସ୍ୟ ମାନେ ତାଙ୍କୁ ସବୁବେଳେ ମନେ ପକେଇବେ।”