ଭୁବନେଶ୍ୱର, ୨୧।୨ : ପ୍ରତିବର୍ଷ ରାଜ୍ୟ ବଜେଟ୍ରେ ଭିତ୍ତିଭୂମି ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଉଛି । ସେସବୁ ବୃହତ୍ ଭିତ୍ତିଭୂମିପ୍ରକଳ୍ପ ରାଜ୍ୟର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରିତାରେ ରହୁଥିବା ସମସ୍ୟାର ସମାଧାନ କରି ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ୬ଷ୍ଠ ଟାକ୍ସଫୋର୍ସ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ନିର୍ମାଣାଧିନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହିତ ଜାତୀୟ ରାଜପଥ ପ୍ରକଳ୍ପ, ଶିଳ୍ପ, ଜଳସଂପଦ ବିଭାଗ ସଂପର୍କିତ ବୃହତ୍ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।

ବିଭିନ୍ନ ଜିଲ୍ଲାରେ ବୃହତ୍ ଶିଳ୍ପ ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା , କାର୍ଯ୍ୟ ଅଗ୍ରଗତି ନେଇ ରହୁଥିବା ସମସ୍ୟା ଓ ସେସବୁର ସମାଧାନ ସଂପର୍କରେ ଆଲୋଚନା କରିଥିଲେ । ଶିଳ୍ପ ବିଭାଗ ତରଫରୁ ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ଝାରସୁଗୁଡା, ବରପାଲି-ସରଡେଗା ଫେଜ୍-୨ ରେଳ ସଂଯୋଗୀକରଣ କାର୍ଯ୍ୟରେ ଜମି ଅଧିଗ୍ରହଣ ସ୍ଥିତି ଓ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଥିଲା ।

ସେହିପରି ଜଳସଂପଦ ବିଭାଗ ତରଫରୁ ନିର୍ମାଣାଧୀନ ବିଭିନ୍ନ ଜଳସେଚନ ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ତଥ୍ୟ ରଖିଥିଲେ । ନବରଙ୍ଗପୁର ଜିଲ୍ଲା ତୁରୀ-ଗୁନ୍ତାତ୍ ଡାଇଭରସନଓ୍ୱେର ବ୍ୟାରେଜ ପ୍ରକଳ୍ପ, ନୂଆପଡା ଜିଲ୍ଲାର ଅପର ଉଦନ୍ତୀ ବ୍ୟାରେଜ ପ୍ରକଳ୍ପ, ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ସମ୍ବନ୍ୱିତ ନଦୀବନ୍ଧ ପ୍ରକଳ୍ପ, ଗଂଜାମ ଜିଲ୍ଲାର ପିପଳପଙ୍କ ଡ୍ୟାମ ପ୍ରକଳ୍ପ ଆଦି ସମେତ ଅନ୍ୟ ବିଭିନ୍ନ ପ୍ରକଳ୍ପର କାର୍ୟ୍ୟ ଅଗ୍ରଗତି ମୁଖ୍ୟ ଶାସନ ସଚିବ ସମୀକ୍ଷା କରି ଥିଲେ।

ରାଜ୍ୟ ପୂର୍ତ୍ତ ବିଭାଗର ଜାତୀୟ ରାଜପଥ ଶାଖା କାର୍ଯ୍ୟ ସଂପର୍କିତ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସଂପର୍କରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଉପସ୍ଥାପନ କରିଥିଲେ । ଅନ୍ୟ ସମସ୍ୟା ସବୁକୁ ସମୟସୀମା ଭତରେ ଶୀଘ୍ର ସମାଧାନ କରି ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ କରିବା ନେଇ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

ସେହିପରି ଓଡ଼ିଶାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍.ଏଚ୍.ଏ.ଆଇ)ଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କାର୍ଯ୍ୟରେ ବିଭିନ୍ନ ଭାଗ କାର୍ଯ୍ୟ ଅଗ୍ରଗତି, ଏଥିନେଇ ଜମି ଅଧିଗ୍ରହଣ ବାବଦକୁ କ୍ଷତିପୂରଣ ସହାୟତା ଏବଂ ଅନ୍ୟ ରହୁଥିବା ସମସ୍ୟା ଓ ସମାଧନ ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ ଉପସ୍ଥିତ ଥିଲେ।