ଢାକା: ବାଂଲାଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁ ଗୋଷ୍ଠୀ ଉପରେ ଆକ୍ରମଣ ଥମିବାର ନାଁ ନେଉନି। ଢାକା ଜିଲ୍ଲାରେ ଇସଲାମିକ ଚରମପନ୍ଥୀମାନେ ଶନିବାର ଏକ ଇସ୍କନ ମନ୍ଦିରକୁ ନିଆଁ ଲଗେଇ ଦେଇଛନ୍ତି। ମନ୍ଦିରରେ ନିଆଁ ଲଗେଇବା ସହ ସେଠାରେ ଥିବା ଭକ୍ତ ଓ ଇସ୍କନର ସାଧୁମାନଙ୍କୁ ମଧ୍ୟ ଆକ୍ରମଣ କରିଥିବା କୋଲକାତା ଇସ୍କନର ଉପାଧ୍ୟକ୍ଷ ରାଧାରମଣ ସୂଚନା ଦେଇଛନ୍ତି। ଚରମପନ୍ଥୀମାନେ ନାମହଟ୍ଟା ମନ୍ଦିରର ମୁର୍ତ୍ତୀଗୁଡିକରେ ନିଆଁ ଲଗେଇ ଦେଇଛନ୍ତି ବୋଲି ରଧାରମଣ ମିଡିଆରେ କହିଛନ୍ତି।
ଏନେଇ ରାଧାରମନ ଦାସ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ବାଂଲାଦେଶରେ ଥିବା ଇସ୍କନର ନାମହଟ୍ଟା ସେଣ୍ଟର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ସକାଳେ ଢାକାରେ ଥିବା ଏହି ସେଣ୍ଟରର ଲକ୍ଷ୍ମୀ ନାରାୟଣ ମନ୍ଦିରରେ ନିଆଁ ଲାଗିଯିବା ଦ୍ୱାରା ମନ୍ଦିରରେ ଥିବା ସବୁ ସାମଗ୍ରୀ ଜଳିଯାଇଛି। ଭୋର ୨ରୁ ୩ଟା ମଧ୍ୟରେ ଚରମପନ୍ଥୀମାନେ ରାଧାକୃଷ୍ଣ ମନ୍ଦିର ସହ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ନିଆଁ ଲଗାଇ ଦେଇଥିଲେ। ଯାହା ଢାକା ଜିଲ୍ଲାର ତୁରାଗ ପୋଲିସ ଷ୍ଟେସନ ଅନ୍ତର୍ଗତ ଧୋଉର ଗ୍ରାମରେ ଅବସ୍ଥିତ ହରେକୃଷ୍ଣ ନାମହଟ୍ଟା ସଂଗଠନ ଅଧିନରେ ରହିଛି। ଚରମପନ୍ଥୀମାନେ ମନ୍ଦିରର ଟିଣଛାତ ତାଡି ମନ୍ଦିରରେ ପେଟ୍ରୋଲ କିମ୍ବା ଅକ୍ଟାନ ଢାଳି ନିଆଁ ଲାଗାଇ ଦେଇଥିଲେ।”
ଇସ୍କନର ପୂର୍ବତନ ମହନ୍ତ ତଥା ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ ପରେ ବାଂଲାଦେଶର ହିନ୍ଦୁମାନେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପରଠୁ ଇସ୍କନ ଉପରେ ଆକ୍ରମଣ ବଢ଼ିଚାଲିଛି। ଏହାକୁ ନେଇ ସେଠାକାର ଅନ୍ତରୀଣ ସରକାରଙ୍କ ଧ୍ୟାନ ଆକର୍ଷଣ କରାଯାଇଥିଲା। ତେବେ ବାଂଲାଦେଶର ପୋଲିସ ଓ ପ୍ରଶାସନ ଏ ଦିଗରେ କିଛି ବିଶେଷ କିଛି ପଦକ୍ଷେପ ନେଉନାହିଁ ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପଟେ ଚିନ୍ମୟ କୃଷ୍ଣ ଦାସଙ୍କ ସୁରକ୍ଷାକୁ ନେଇ ଚିନ୍ତା ଘାରୁଛି ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ ଗତ ଅଗଷ୍ଟ ମାସରୁ ଆୱାମି ଲିଗ୍ ଶାସନରୁ ହଟିବା ପରେ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାରର ଗଠନ କରାଯାଇଛି। ବାଂଲାଦେଶରେ ଏହି ଅସ୍ଥିରତା ପରିଲକ୍ଷିତ ହେବା ପରଠୁ ସେଠାରେ ହିନ୍ଦୁ ଓ ସଂଖ୍ୟାଲଘୁ ଗୋଷ୍ଠୀ ଉପରେ ଆକ୍ରମଣ ବଢ଼ିଚାଲିଛି। ବିଭିନ୍ନ ଇସଲାମିକ ଚରମପନ୍ଥୀ ଗୋଷ୍ଠୀ ବାଂଲାଦେଶର ଇସ୍କନ ଓ ଅନ୍ୟ ଦେବାଦେବୀ ପୂଜସ୍ଥଳ ଉପରେ ଆକ୍ରମଣ ଜାରି ରଖିଛନ୍ତି।