ରାୟଗଡା,୦୯/୧୦: ଗୁରୁବାର ରାୟଗଡା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଦେବାକୁ ୨୧ ଜଣ କାଉନସିଲର ଉପସ୍ଥିତ ହୋଇଥିବା ଦେଖିବାକୁ ମିଳିଛି। ଅନାସ୍ଥା ପ୍ରସ୍ତାବ ସାମ୍ନା କରୁଥିବା ଶୁଭ୍ରା ପଣ୍ଡା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ସହ ଭୋଟିଂ ସ୍ଥଳକୁ ଆସିଥିବା ବେଳେ ୧୩ ନମ୍ବର ୱାର୍ଡର କାଉନସିଲର ପ୍ରତିମା ପାଣିଗ୍ରାହୀ ଏକୁଟିଆ ଆସିଥିବା ଦେଖିବାକୁ ମିଳିଥିଲା। ତେବେ ୧୯ ଜଣ କାଉନସିଲର ଏକାଠି ହୋଇ ଆସିଥିବା ଦେଖିବାକୁ ମିଳିଛି ।
ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ରାଜନୈତିକ ଉତ୍ସୁକତା ଆରମ୍ଭ ହୋଇଛି। ଭୋଟିଂ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ପରିଚାଳନା ପାଇଁ ୨ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ବୁଧବାର ବିଜୁ ଜନତା ଦଳର ସୁପ୍ରିମୋ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ପୌର (ସଂଶୋଧନ) ନିୟମ ୨୦୧୮ର ନିୟମ ୪୬ ଖ ଦ୍ୱାରା ଦିଆଯାଇଥିବା କ୍ଷମତା ବ୍ୟବହାର କରି ଦଳୀୟ କାଉନସିଲରଙ୍କୁ ଦଳୀୟ ପତ୍ର ମାଧ୍ୟମରେ ଅନାସ୍ଥା ବିରୋଧରେ ଭୋଟ ପାଇଁ ହ୍ବିପ ଜାରି କରିଥିଲେ। ବିଜେଡି ସମର୍ଥିତ ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ନେଇ ରାଜନୀତି ଜୋର ଧରିଛି। ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବିଜେଡିର ୧୯ ଜଣ କାଉନସିଲରଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ହେଲେ ତାହା କେହି ଖାତିର କରିନଥିଲେ।
ସୂଚନାଯୋଗ୍ୟ ଯେ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ବିଜେଡି କାଉନସିଲର ମାନଙ୍କୁ ଅଣଦେଖା କରି ଆସୁଥିବା ଓ କୌଣସି କାମରେ ସହଯୋଗ କରୁନଥିବା ଅଭିଯୋଗ କରି ବିଜେଡିର ୧୯ ଜଣ କାଉନସିଲର ଗତ ସେପ୍ଟେମ୍ବର ୧୨ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ସମେତ ପୂର୍ବତନ ରାୟଗଡା ମନ୍ତ୍ରୀ ଲାଲାବିହାରୀ ହିମିରିକା ଓ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ବିଜେଡିରୁ ଇସ୍ତଫା ଦେବାପରେ ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ନବୀନ ପଟ୍ଟନାୟକଙ୍କ ଦ୍ୱିପକୁ ନେଇ ରାଜନୈତିକ ବିଶ୍ଲେଷଣ ହୋଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା।