ବେଙ୍ଗାଲୁରୁ,୧୫।୭: ଏଣିକି ଅର୍ଡର କରିବାର ମିନିଟ୍ରେ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର । ଘରୋଇ ରାସନ ସାମଗ୍ରୀ ଭଳି ଆପଣ କ୍ୱିକ୍ କମର୍ସ ପ୍ଲାଟଫର୍ମରୁ ଏଲପିଜି ସିଲିଣ୍ଡର ମଧ୍ୟ ମଗାଇ ପାରିବେ । ପ୍ରମୁଖ କ୍ୱିକ୍ କମର୍ସ କମ୍ପାନୀ 'ଇନଷ୍ଟାମାର୍ଟ', ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (HPCL) ସହଯୋଗରେ ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ଅନ୍-ଡିମାଣ୍ଡ ଏଲପିଜି ଡେଲିଭରି ସେବା ଆରମ୍ଭ କରିବାକୁ ଘୋଷଣା କରିଛି । ଏହି ସେବା ଜରିଆରେ ଗ୍ରାହକମାନେ ଏବେ ଇନଷ୍ଟାମାର୍ଟ ଆପ୍ ମାଧ୍ୟମରେ HPCL ର ନୂଆ ୧୦ କିଲୋଗ୍ରାମ ବିଶିଷ୍ଟ 'ଏଚପି ନବ୍ୟା' କମ୍ପୋଜିଟ୍ ଏଲପିଜି ସିଲିଣ୍ଡର ଅର୍ଡର କରିପାରିବେ ।
'ଏଚପି ନବ୍ୟା' ସିଲିଣ୍ଡରର ବିଶେଷତ୍ୱ:
ଏହି କମ୍ପୋଜିଟ୍ ସିଲିଣ୍ଡରଟି ଓଜନରେ ବହୁତ ହାଲୁକା ଏବଂ ଏଥିରେ କଳଙ୍କି ଲାଗିବାର ଭୟ ନାହିଁ। ଏହା ସମ୍ପୂର୍ଣ୍ଣ ସୁରକ୍ଷିତ । ବାହ୍ୟ ଅଂଶ ସ୍ୱଚ୍ଛ ହୋଇଥିବାରୁ ଗ୍ରାହକମାନେ ସହଜରେ ସିଲିଣ୍ଡରରେ ଥିବା ଗ୍ୟାସର ସ୍ତର ଦେଖିପାରିବେ । ଏହାର ଆଧୁନିକ ଡିଜାଇନ୍ ଯୋଗୁଁ ଏହା ଆପାର୍ଟମେଣ୍ଟ, ଛୋଟ ପରିବାର, ଛାତ୍ରଛାତ୍ରୀ, ଚାକିରିଆ ଏବଂ ଅତିରିକ୍ତ ସିଲିଣ୍ଡର ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ବେଶ୍ ଉପଯୋଗୀ ହେବ । କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସୁବିଧା ପାଇଁ ଗ୍ରାହକଙ୍କ ପାଖରେ ପୂର୍ବରୁ ଘରୋଇ ଏଲପିଜି କନେକ୍ସନ ରହିବା ଅନିବାର୍ଯ୍ୟ ନୁହେଁ । ଫଳରେ ବାହାରେ ରହୁଥିବା ଛାତ୍ରଛାତ୍ରୀ, ବ୍ୟାଚେଲର୍ସ ଏବଂ ଛୋଟ ପରିବାର ଖୁବ୍ ସହଜରେ ଏହାର ଲାଭ ଉଠାଇ ପାଇବେ । ଏହି ସର୍ଭିସ ପ୍ରଥମେ ବେଙ୍ଗାଲୁରୁ ସହରରେ ଆରମ୍ଭ ହେବାକୁ ଯାଉଛି । ଏଠାରେ ଗ୍ରାହକମାନେ ୧୦ କିଲୋଗ୍ରାମର 'ଏଚପି ନବ୍ୟା' ସହିତ ପୂର୍ବରୁ ପ୍ରଚଳିତ ୫ କିଲୋଗ୍ରାମର ମେଟାଲ୍ ସିଲିଣ୍ଡର ମଧ୍ୟ ଅର୍ଡର କରିପାରିବେ । ପ୍ରଥମ ଥର ଅର୍ଡର କରୁଥିବା ଗ୍ରାହକଙ୍କ ପାଇଁ ପରିଚୟ ପତ୍ର ଯାଞ୍ଚ (KYC) ଏବଂ ପ୍ରୁଫ୍-ଅଫ୍-ଡେଲିଭରି ପ୍ରକ୍ରିୟା ବାଧ୍ୟତାମୂଳକ ରହିବ ।
ଏହା ବି ପଢ଼ନ୍ତୁ... Lashkar-e-Taiba: ଭାରତ ବିରୋଧରେ ଲସ୍କରର ନୂଆ ଷଡ଼ଯନ୍ତ୍ର, ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଉଛି ମୋଷ୍ଟ ୱାଣ୍ଟେଡ୍ ରାଣା ମହମ୍ମଦ
କେମିତି କରିବେ ଅର୍ଡର ?
୧. ଗ୍ରାହକଙ୍କୁ ପ୍ରଥମେ ନିଜ ମୋବାଇଲ୍ରେ ଇନଷ୍ଟାମାର୍ଟ ଆପ୍ ଓପନ କରିବାକୁ ହେବ ।
୨. ସେଠାରେ ୧୦ କେଜି 'ଏଚପି ନବ୍ୟା' କିମ୍ବା ୫ କେଜି ମେଟାଲ୍ ସିଲିଣ୍ଡର ଚୟନ କରି ଅର୍ଡର ଦେଇପାରିବେ ।
୩. ପ୍ରଥମ ଥର ଅର୍ଡର କଲେ ଗ୍ରାହକଙ୍କୁ ନୂଆ ସିଲିଣ୍ଡର ମିଳିବ। ତେବେ ପରବର୍ତ୍ତୀ ସମୟରେ ରିଫିଲ୍ ପାଇଁ ଡେଲିଭରି ବେଳେ ଖାଲି HPCL ସିଲିଣ୍ଡର ଫେରସ୍ତ କରିବାକୁ ପଡ଼ିବ ।
ଏହି ସମସ୍ତ ଅର୍ଡର HPCL ର ଅଧିକୃତ ଡିସଟ୍ରିବ୍ୟୁଟର ନେଟୱାର୍କ ମାଧ୍ୟମରେ ହିଁ ଯୋଗାଇ ଦିଆଯିବ ଏବଂ ସୁରକ୍ଷା ନିୟମ ଅନୁଯାୟୀ କମ୍ପାନୀର ପ୍ରଶିକ୍ଷିତ କର୍ମଚାରୀ ହିଁ ଏହାର ଡେଲିଭରି କରିବେ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।