କେନ୍ଦ୍ରାପଡ଼ା,୧୩/୦୫: କୁକୁର କାମୁଡ଼ିଥିଲା ଜଣକୁ, ଇଞ୍ଜେକ୍ସନ ନେଲା ଆଉଜଣେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି କିଛି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ। କୁୁୁକୁର କାମୁଡ଼ାର ଶିକାର ହୋଇଥିବା ଜଣେ ରୋଗୀଙ୍କ ପରିବର୍ତ୍ତେ ଅନ୍ୟ ଜଣେ ରୋଗୀଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାଶିଷ୍ଟ।
ଅଭିଯୋଗ ଅନୁଯାୟୀ ଅନନ୍ତ ଜେନା ନାମକ ଜଣେ ଯୁବକଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ l ତାଙ୍କ ପାଖରେ ଜଣେ କୁକୁର କାମୁଡ଼ାରେ ଆହତ ହୋଇଥିବା ରୋଗୀ ବସିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସୁଧୀର ଦଳାଇ ଗୋଟିଏ କୁକୁର କାମୁଡା ଇଞ୍ଜେକସନ ଆଣି ସମ୍ପୃକ୍ତ ରୋଗୀଙ୍କୁ ଦେବା ପରିବର୍ତ୍ତେ ଅନନ୍ତଙ୍କ ଦେହରେ ଏହି ଇଞ୍ଜେକ୍ସନ ଦେଇଥିଲେ। ଏଥିରେ ଅନନ୍ତ ଭୟଭୀତ ହୋଇ ପଡ଼ିଥିଲେ। ଇଞ୍ଜେକ୍ସନ ନେବା ପରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ଭୁଲବଶତଃ ଏପରି ହୋଇଯାଇଛି ବୋଲି ଫାର୍ମାସିଷ୍ଟ ସୁଧୀର ଦଳାଇ ସଫେଇ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଇଞ୍ଜେକ୍ସନର କୌଣସି ପାର୍ଶ୍ବପ୍ରତିକ୍ରିୟାରୁ ଅଘଟଣ ହେବା ଆଶଙ୍କାରେ ଭୟଭିତ ହୋଇ ପଡ଼ିଛନ୍ତି ଅନନ୍ତଙ୍କ ପରିବାର ଲୋକେ।
ତମାମ ଘଟଣାକୁ ନେଇ ଫାର୍ମେଶିଷ୍ଟଙ୍କୁ ପଚାରିବାକୁ ପ୍ରଥମେ ସେ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ପରେ ଭୁଲବଶତଃ ଦେଇଛନ୍ତି ବୋଲି ସ୍ବୀକାର କରିଥିଲେ। ତେବେ କୁକୁର କମୁଡ଼ା ଇଞ୍ଜେକ୍ସନ ନେଇଥିବା ବ୍ୟକ୍ତି ଜଣକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତମାମ ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନାତ୍ମକ ପରିସ୍ଥିତି ଦେଖିବାକୁ ମିଳିଥିଲା। ଜଣେ ଫାର୍ମାଶିଷ୍ଟ କିପରି ଅବହେଳା କରି ଛାତି ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଦେଲେ, ସେନେଇ ମେଡିକାଲ କର୍ତ୍ତୁପକ୍ଷଙ୍କ ଉପରେ ପ୍ରଶ୍ନ ଉଠିଛି। ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଡିକାଲରେ ଡାକ୍ତର, କମ୍ପାଉଣ୍ଡର, ଫାର୍ମାଶିଷ୍ଟ ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ବାରା ଅବହେଳାରୁ ରୋଗୀମୃତ୍ୟୁ କିମ୍ବା ରୋଗୀ ହନ୍ତସନ୍ତ ହେଉଥିବା ଭଳି ଖବର ଆସୁଥିଲା ବେଳେ ଆଜିର ଏହି ଘଟଣା ସ୍ବାସ୍ଥ୍ୟବିଭାଗର ଅପାରଗତା ଉପରେ ପ୍ରଶ୍ନ ଉଠାଇଛି।