ଭୁବନେଶ୍ୱର, ୦୭/୦୯: ସ୍ୱଚ୍ଛ ବାୟୁ ପାଇଁ ଦୌଡ଼ । ଏହି ଥିମ୍କୁ ନେଇ ଆଜି ଭୁବନେଶ୍ୱରରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ସେଣ୍ଟର ଫର ଏନଭରମେଣ୍ଟାଲ ଷ୍ଟଡ଼ିଜର ମିଳିତ ସହଯୋଗରେ ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମେଗା ସାଇକେଲ ରାଲୀ ଅନୁଷ୍ଠିତ ହୋଇଥିଲା। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ବାୟୁ ପ୍ରଦୂଷଣ ବିରୁଦ୍ଧରେ ସାମୂହିକ କାର୍ଯ୍ୟାନୁଷ୍ଠାନ ଏବଂ ସ୍ଥାୟୀ ଜୀବନଶୈଳୀ ପ୍ରୋତ୍ସାହନର ଆବଶ୍ୟକତା ପାଇଁ ଏହି ଦିବସ ପାଳନ କରାଯାଇଥିଲା। ପ୍ରାୟ ୫ କିଲୋମିଟରର ଏହି ରାଲି ଫରେଷ୍ଟ ପାର୍କରୁ ଆରମ୍ଭ ହୋଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରେ ଶେଷ ହୋଇଥିଲା। ଯେଉଁଥିରେ ଇକୋ କ୍ଲବ୍ ସ୍କୁଲର ଛାତ୍ରଛାତ୍ରୀ, ସାଇକେଲିଂ ଉତ୍ସାହୀ ଏବଂ ଅଧିକାରୀମାନଙ୍କ ସମେତ ପ୍ରାୟ ୫୦୦ ଜଣ ଉତ୍ସାହୀ ଭାବରେ ଅଂଶଗ୍ରହଣ କରିଥିଲେ | ଦୈନନ୍ଦିନ ଜୀବନଶୈଳୀରେ ଛୋଟ ଛୋଟ ପ୍ରଦକ୍ଷେପ ଯଥା ସାଇକେଲ ଚଲାଇବା, ସାର୍ବଜନୀନ ପରିବହନ ବ୍ୟବହାର କରିବା ଏବଂ ଟ୍ରାଫିକ ସିଗନାଲ ଓ ରେଳ ଲେବଲ କ୍ରସିଂରେ ଇଞ୍ଜିନ ବନ୍ଦ କରିବା ଭଳି ପଦକ୍ଷେପ ଗୁଡିକୁ ଗ୍ରହଣ କଲେ ନିଶ୍ଚିତ ଭାବରେ ସ୍ୱଚ୍ଛ ବାୟୁ ପାଇପାରିବା ସହିତ ଆଗାମୀ ପିଢି ପାଇଁ ସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବାକୁ ଆହ୍ବାନ ଦିଆଯାଇଛି।