ନୂଆଦିଲ୍ଲୀ,୦୯ /୦୭: ଆଇସିସି ଅମ୍ପାୟର ପ୍ୟାନେଲର ସଦସ୍ୟ ବିସମିଲ୍ଲାହ ଜନ୍ ଶିନୱାରୀଙ୍କ ପରଲୋକ ହୋଇଛି । ମାତ୍ର ୪୧ ବର୍ଷ ବୟସରେ ବିସମିଲ୍ଲାହଙ୍କ ନିଧନ ଘଟିଛି । ଏ ଖବରକୁ ନେଇ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । କିଛି ଦିନ ତଳେ ବିସମିଲ୍ଲାହଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିଲା । ପାକିସ୍ତାନର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ମେଦବହୁଳତା କମାଇବାର ଏକ ଅସ୍ତ୍ରୋପଚାର କରିଥିଲେ । ସର୍ଜରୀ ପରେ ପରେ ତାଙ୍କର ବିୟୋଗ ହୋଇଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଓ ଆଫଗାନିସ୍ତାନ କ୍ରିକେଟ୍ ବିସମିଲ୍ଲହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ।
ବିସମିଲ୍ଲାହଙ୍କ ଭାଇଙ୍କ ସୂଚନା ଅନୁସାରେ, ସେ ଅସୁସ୍ଥତା କାରଣରୁ ପାକିସ୍ତାନର ପେଶାୱର ଯାଇଥିଲେ । ମେଦବହୁଳତା କମାଇବାକୁ ଏକ ସର୍ଜରୀ କରିଥିଲେ । କିଛି ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସର୍ଜରୀ ହେଲା କିନ୍ତୁ ଦୁର୍ଭାଗ୍ୟବସତଃ ଅପରେସନ୍ ପରେ ତାଙ୍କର ନିଧନ ହୋଇଛି ।
ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଶୋକବ୍ୟକ୍ତ କରି କହିଛି, ''ଏସିବି ନେତୃତ୍ୱ, କର୍ମଚାରୀ ବିସମିଲ୍ଲାହ ଜାନ୍ଙ୍କ (୧୯୮୪-୨୦୨୫) ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଛି । ସେ ଆଫଗାନିସ୍ଥାନ କ୍ରିକେଟର ଜଣେ ମହାନ୍ ସେବକ ଥିଲେ । ଏ ଦୁଃଖ ସମୟରେ ତାଙ୍କ ପରିବାରକୁ ଆହ୍ଲା ଶକ୍ତି ଦିଅନ୍ତୁ । ବିସମିଲ୍ଲାହ ସର୍ବଦା ଆମ ହୃଦୟରେ ରହିବେ ।''
ICC mourns the passing of Afghanistan umpire Bismillah Jan Shinwari.https://t.co/R3xm01SBq1
— ICC (@ICC) July 8, 2025
ଆଫଗାନିସ୍ତାନର ବିସମିଲ୍ଲାହ ୩୪ଟି ଦିନିକିଆ, ୨୬ଟି ଟି-ଟ୍ୱେଣ୍ଟି, ୩୧ଟି ଫାଷ୍ଟକ୍ଲାସ, ୫୧ ଲିଷ୍ଟ ଏ ଏବଂ ୯୬ଟି ଘରୋଇ ଟି-୨୦ ମ୍ୟାଚରେ ଅମ୍ପାୟାରିଂ କରିଥିଲେ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଅନୁଯାୟୀ, ଡିସେମ୍ବର ୨୦୧୭ରେ ଜଣେ ଅମ୍ପାୟାର ଭାବରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ ହୋଇଥିଲା । ସାରଜାହରେ ଆଫଗାନିସ୍ତାନ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଏକ ଦିନିକିଆ ମ୍ୟାଚ୍ ପରିଚାଳନା କରିଥିଲେ। ଶିନୱାରୀଙ୍କ ଅନ୍ତିମ ସଂସ୍କାର ନାଙ୍ଗରହାର ପ୍ରଦେଶର ଅଚିନରେ ହୋଇଥିଲା। ଆଫଗାନିସ୍ତାନ ନ୍ୟୁଜ ରିପୋର୍ଟ ଅନୁସାରେ ତାଙ୍କର ତାଙ୍କର ୫ ପୁଅ ଏବଂ ୭ ଝିଅ ଅଛନ୍ତି ।