ଭୁବନେଶ୍ୱର,୮।୩ : ଭାରତୀୟ ଜନତା ପାର୍ଟି ମହିଳାମାନଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ନାରୀ ଶକ୍ତି ସାମାଜିକ, ରାଜନୈତିକ, ଅର୍ଥନୈତିକ ବ୍ୟବସ୍ଥାର ଅଭିନ୍ନ ଅଙ୍ଗ। ଆଜିର ନାରୀ ସବୁକ୍ଷେତ୍ରରେ ଆଗରେ ରହିଛି। ନାରୀ ଶକ୍ତିର ଏହି ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ। ନାରୀ ସଶକ୍ତୀକରଣକୁ ସ୍ୱତନ୍ତ୍ରତାର ରୂପ ବିଜେପି ସରକାର ଦେଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ଓଡ଼ିଶା ସରକାର ମଧ୍ୟ ମହିଳାଙ୍କ ବିକାଶ ପାଇଁ ଗତ ୨ ବର୍ଷ ହେବ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି। ସୁଭଦ୍ରା ଯୋଜନାର ସଫଳ ରୂପାୟନ, ଓଡ଼ିଶାର ମା' ଭଉଣୀମାନଙ୍କର ଉଦ୍ୟୋଗୀ ହେବାର ସ୍ୱପ୍ନକୁ ପୂରଣ କରୁଛି। ବିଜେପି ସରକାର ସବୁବେଳେ ମହିଳାଙ୍କ ବିକାଶକୁ ପ୍ରାଥମିକତା ଦେଇଛି। ମହିଳାମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଏବେ ସର୍ବାଧିକ ଗୁରୁ୍ତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି।

ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ କହିଥିଲେ ଯେ, ମୁଖମନ୍ତ୍ରୀ ମୋହନ ମାଝୀ ମହିଳାଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ସେ ମହିଳା ସଶକ୍ତୀକରଣ ପାଇଁ ଏପରି ଯୋଜନା ସବୁ ଆଣିଛନ୍ତି ଯାହା ଭାରତରେ ବାକି କୌଣସି ରାଜ୍ୟରେ ଦେଖିବାକୁ ମିଳିବ ନାହିଁ।

ଏହି ଅବସରରେ କ୍ରାଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୯ ଜଣ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଉତ୍ତରୀୟ ଏବଂ ଫଳକ ଦେଇ ସମ୍ମାନିତ କରିଥିଲେ। ସନ୍ତରଣକାରୀ ଦିବ୍ୟାଙ୍କା ଦିବ୍ୟଜ୍ୟୋତି ପ୍ରଧାନ, ମାର୍ଶଲଆର୍ଟ ପାଇଁ ସରୁବାଲି ନାୟକ, ବିଶିଷ୍ଟ ଧାବିକା ଦୂତୀ ଚାନ୍ଦ, ରାଜ୍ୟ ସିନିୟର ଆଥଲେଟିକ୍ସର ଚାମ୍ପିୟନସିପ୍ ୨୦୨୪ର ୩୦୦୦ ମିଟର ଷ୍ଟିପଲଚେଜର ସ୍ୱର୍ଣ୍ଣପଦକ ବିଜେତା ପୂଜା ବେହେରା, ୫୧ ବର୍ଷୀୟା ମାରଥନ ଧାବିକା ବବିତା ପ୍ରିୟଦର୍ଶନୀ, ଓଡ଼ିଶା ପାରାସନ୍ତରଣକାରୀ ବବିତା ଦଳାଇ, ଜାତୀୟସ୍ତରର ବାସ୍କେଟବଲ୍ ଖେଳାଳି ଲିଜାଲିନ୍ ଜେନା, କବାଡି ଖେଳାଳି ବିଦୁପ୍ରଭା ସ୍ୱାଇଁ, ଏସିଆନ ୱେଟଲିପ୍ଟିଂରେ ସ୍ୱର୍ଣ୍ଣପଦକ ହାସଲକାରୀ ଝିଲି ଦଳବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ଖାଦ୍ୟ ପ୍ରତିଯୋଗିତା ମାଷ୍ଟରସେଫରେ ତୃତୀୟସ୍ଥାନ ହାସଲ କରିଥିବା ଓଡ଼ିଶାର ଦୁଇ ଭଉଣୀ ଅଞ୍ଜୁ ଓଝା ଓ ମଞ୍ଜୁ ପ୍ରଧାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥଲା। କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସାମାଜିକ ଗଣମାଧ୍ୟମ ସଂଯୋଜକ ସୁଜାତା ପାଢ଼ୀ, ବିଶିଷ୍ଟ ମହିଳା ଧାବିକା ଦୂତିଚାନ୍ଦ, ବିଶିଷ୍ଟ ଗାୟିକା ସୁସ୍ମିତା ଦାସଙ୍କ ସମତେ ମହିଳା ମୋର୍ଚ୍ଚାର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।