ନୂଆଦିଲ୍ଲୀ,୦୧/୧୧: ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରି ସହଜରେ ଇଣ୍ଟରନେଟ୍ ସେବା ପାଇ ପାରନ୍ତି ଭାରତୀୟ । ସେହିପରି କେଉଁଠି କମ୍‌ ଖର୍ଚ୍ଚରେ, ଆଉ କେଉଁଠି ଅଧିକ ଖର୍ଚ୍ଚ କଲେ ଇଣ୍ଟର୍‌ନେଟ୍‌ ସେବା ଉପଲବ୍ଧ ହୋଇଥାଏ ।  କିଛି ଦେଶ ରହିଛି ଯେଉଁଠି ଇଣ୍ଟର୍‌ନେଟ୍‌ ସେବା କେବଳ କିଛି ଲୋକଙ୍କୁ ହିଁ ମିଳିପାରେ । ତେବେ ଉତ୍ତର କୋରିଆରେ ଏଭଳି ଦେଖିବାକୁ ମିଳିଛି। ଏଠାରେ ମାତ୍ର କିଛି ହଜାର ଲୋକଙ୍କ ମଧ୍ୟରେ ସୀମିତ ଇଣ୍ଟର୍‌ନେଟ୍‌ ସୁବିଧା  । ବିଶ୍ୱରେ ବର୍ତ୍ତମାନ ଇଣ୍ଟର୍‌ନେଟ୍‌, ସ୍ମାର୍ଟଫୋନ୍‌ ଓ ଏଆଇର ସମୟ । କିନ୍ତୁ ଉତ୍ତର କୋରିଆବସୀ ଏସବୁଠୁ ବହୁ ଦୂରରେ । ୱାୟର୍ଡ ୨୦୨୩ର ଏକ ରିପୋର୍ଟରେ ଉତ୍ତର କୋରିଆରେ ଇଣ୍ଟର୍‌ନେଟ୍‌ ପହଞ୍ଚ ବିଷୟରେ ତଥ୍ୟ ଦେଇଥିଲା । ଏ ଦେଶରେ ସେନ୍ସରସିପ୍‌ ଏମିତି ଯେ କୌଣସି ତଥ୍ୟ ବାହାରକୁ ଯିବା ଅସମ୍ଭବ । ଉତ୍ତର କୋରିଆରେ କେବଳ କିଛି ଲୋକଙ୍କୁ ସମଗ୍ର ବିଶ୍ୱର ଇଣ୍ଟର୍‌ନେଟ୍‌ ସେବା ମିଳୁଛି । ଅନ୍ୟମାନେ ଏକ ଘରୋଇ ଇଣ୍ଟ୍ରାନେଟ୍‌ ମଧ୍ୟରେ ସୀମିତ ଅଛନ୍ତି । 

ଏହି ଇଣ୍ଟର୍‌ନେଟ୍‌କୁ କ୍ୱାଙ୍ଗ୍‌ମାୟୋଙ୍ଗ ନାମ ଦିଆଯାଇଛି । ଏହି ନେଟ୍‌ୱର୍କକୁ ସରକାର ନିୟନ୍ତ୍ରଣ କରୁଛନ୍ତି । ଏଠାରେ ଶିକ୍ଷାଠୁ ଆରମ୍ଭ କରି ଖବର ପର୍ଯ୍ୟନ୍ତ ସବୁକିଛି ସରକାରଙ୍କ ନିୟନ୍ତ୍ରଣ ସହିତ ଲୋକଙ୍କ ପାଖରେ ପହଞ୍ଚାଯାଏ । ଦେଶରେ ଯୋଗାଯୋଗ ସାଧନ ମଧ୍ୟ ସୀମିତ । ଲୋକଙ୍କୁ ଏହି ଇଣ୍ଟ୍ରାନେଟ୍‌ ଉପରେ ମଧ୍ୟ ସର୍ଭିଲାନ୍ସର ସାମ୍ନା କରିବାକୁ ପଡ଼େ । ଅର୍ଥାତ୍‌ ସରକାର ଲୋକଙ୍କ ସମସ୍ତ ଅନ୍‌ଲାଇନ୍‌ ଗତିବିଧି ଉପରେ ନଜର ରଖନ୍ତି । କ୍ୱାଙ୍ଗ୍‌ମାୟୋଙ୍ଗ୍‌ ଉପଯୋଗ ନେଇ ମଧ୍ୟ ଲୋକଙ୍କ ଉପରେ ନଜର ରଖାଯାଏ । ଏହା ଦ୍ୱାରା ସେମାନଙ୍କୁ ଯେମିତି ଦେଶ ବାହାରର ସୂଚନା ନ ମିଳିପାରିବ, ତାହା ଉପରେ ଗୁରୁତ୍ୱ ଦିଆଯାଏ । ସରକାର ନିଜ ବିଚାରଧାରାକୁ ବଜାୟ ରଖିବା ଲାଗି ଏ ସବୁ କରୁଛନ୍ତି । ରିପୋର୍ଟ ଅନୁସାରେ, ଉତ୍ତର କୋରିଆରେ ଇଣ୍ଟର୍‌ନେଟ୍‌ ପହଞ୍ଚ ପାଇଁ ଲୋକଙ୍କୁ ଅତି କଷ୍ଟରେ ମଞ୍ଜୁରି ମିଳେ । ଏହା ପରେ ସେମାନଙ୍କୁ ଜଣେ ବ୍ୟକ୍ତିଙ୍କ ସହ ବସାଯାଏ, ଯିଏ ତାଙ୍କ ବ୍ରାଉଜିଂ ଉପରେ ନଜର ରଖନ୍ତି ଏବଂ ପ୍ରତି ୫ ମିନିଟ୍‌ରେ ତାଙ୍କୁ ମଞ୍ଜୁରି ଦିଅନ୍ତି । ନଜର ରଖିବାକୁ ବସିଥିବା ବ୍ୟକ୍ତି ଫିଙ୍ଗରପ୍ରିଣ୍ଟ୍‌ ଜରିଆରେ ପ୍ରତି ୫ ମିନିଟ୍‌ରେ ଇଣ୍ଟର୍‌ନେଟ୍‌ ସୁବିଧା ପ୍ରଦାନ କରନ୍ତି । ଯଦି କାହାକୁ ଘଣ୍ଟାଏରୁ ଅଧିକ ସମୟ ପାଇଁ ଇଣ୍ଟର୍‌ନେଟ୍‌ ଆବଶ୍ୟକ, ତେବେ ତାଙ୍କୁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼େ । ଏଥିରେ ଦୁଇ ଦିନ ପର୍ଯ୍ୟନ୍ତ ସମୟ ଲାଗିପାରେ । 

ଗତ କିଛି ବର୍ଷ ମଧ୍ୟରେ ଉତ୍ତର କୋରିଆରେ ସ୍ମାର୍ଟଫୋନ୍‌ ସଂଖ୍ୟା ବଢ଼ିଛି । ଏହା ସାହାଯ୍ୟରେ ଲୋକେ ପରସ୍ପର ସହ ସହଜରେ ଯୋଡ଼ି ହୋଇ ପାରୁଛନ୍ତି । ତେବେ, ଏ ଉପକରଣ ମଧ୍ୟ ସରକାରଙ୍କ ସ୍କାନର୍‌ରେ ରହେ । ଅର୍ଥାତ୍‌ ଆପଣ ଫୋନ୍‌ରେ କ’ଣ କରୁଛନ୍ତି, ଏହି ଡିଭାଇସ୍‌ ତା’ର ସ୍କ୍ରିନ୍‌ଶଟ୍‌ ନେଇ ସରକାରଙ୍କୁ ପଠାଏ । ଏହି ଫୋନ୍‌ରେ କେବଳ ସରକାରଙ୍କ ମଞ୍ଜୁରିପ୍ରାପ୍ତ ବିଷୟ ହିଁ ବ୍ୟବହାର କରାଯାଇ ପାରିବ । ସେତିକି ନୁହେଁ, କୌଣସି ଆପ୍‌ ବ୍ୟବହାର ଲାଗି ମଧ୍ୟ ଅନୁମତି ଆବଶ୍ୟକ । ଉତ୍ତର କୋରିଆରେ ଇଣ୍ଟର୍‌ନେଟ୍‌ଠୁ ଆରମ୍ଭ କରି ସାମାଜିକ ଜୀବନ ଏପରିକି ଫ୍ୟାଶନ୍‌ ଉପରେ ମଧ୍ୟ ସରକାରଙ୍କ ଲଗାମ ରହିଛି । ତେଣୁ ଦେଶର ଲୋକ କେଉଁ ସ୍ଥିତିରେ ରହୁଥିବେ, ଏଥିରୁ ସ୍ପଷ୍ଟ ଅନୁମାନ କରିହୁଏ ।