ନୂଆଦିଲ୍ଲୀ, ୧୯/୯ : ଏକବିଂଶ ଶତାବ୍ଦୀରେ ଇଣ୍ଟରନେଟ ଅକ୍ସିଜେନ। ବଞ୍ଚିବା ପାଇଁ ଯେମିତି ଖାଦ୍ୟ, ପାନୀୟ, ବାସଗୃହ ଜରୁରୀ, ଆଧୁନିକ ଯୁଗରେ ସେମିତି ଇଣ୍ଟରନେଟ ଅପରିହାର୍ଯ୍ୟ। ସୋସିଆଲ ମିଡିଆ ହେଉକି ଭିଡିଓ କଲ ଅବା ଅନଲାଇନ ସପିଂ... ଇଣ୍ଟରନେଟ ନଥିଲେ ସବୁ ଅଚଳ। ଘରଠୁ ଅଫିସ ଯାଏଁ ସବୁ କାମ ପାଇଁ ଇଣ୍ଟରନେଟ ଲୋଡ଼ା। ଲୋକଙ୍କ ଲାଇଫ ଷ୍ଟାଇଲ୍ରେ ଏବେ ଧସେଇ ପଶିଛି ଇଣ୍ଟନେଟ। ଆପଣ ଜାଣିଛନ୍ତି କି ଏହି ଇଣ୍ଟରନେଟ କେଉଁଠୁ ଆସୁଛି ? ଏହାର ଉତ୍ତରରେ ଆପଣ କହିବେ ଟାୱାରରୁ ଆସୁଛି। ହେଲେ ଯଦି ପଚରାଯାଏ ଟାୱାରକୁ ଇଣ୍ଟରନେଟ କେଉଁଠୁ ମିଳୁଛି, ତାହାଲେ ଉତ୍ତର ଆସିବ ସାଟେଲାଇଟରୁ। ତାହେଲେ ଆପଣ ଭୁଲ ବୁଝିଛନ୍ତି। କାରଣ ଇଣ୍ଟରନେଟ ଆକାଶରୁ ନୁହେଁ ସମୁଦ୍ର ତଳୁ ଆସୁଛି। ଦୁନିଆର ୯୯ ପ୍ରତିଶତ ଇଣ୍ଟରନେଟ ସମୁଦ୍ର ତଳେ ବିଛା ହୋଇଥିବା କେବୁଲରୁ ମିଳୁଛି। ତେବେ ଚାଲନ୍ତୁ ଜାଣିବା ରେଡ ସିରେ ବିଛା ଯାଇଥିବା ଏହି କେବୁଲର ଇତିହାସ... କେବେଠୁ ହୋଇଥିଲା ଆରମ୍ଭ ? କିଏ ଏହି କେବୁଲର ମାଲିକ ? ସମୁଦ୍ର ତଳେ ଛିଣ୍ଡିଗଲେ କେମିତି ଯୋଡ଼ାହୁଏ କେବୁଲ ?
କିଛିଦିନ ତଳେ ଭାରତ, ପାକିସ୍ତାନ ସମେତ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟରେ ଇଣ୍ଟରନେଟ୍ ଠପ୍ ହୋଇଗଲା। ଲାଲ ସାଗରରେ କେବୁଲ୍ ଛିଣ୍ଡିଗଲା ବୋଲି ଖବର ଆସିଲା। ଏହି ଖବର ଶୁଣି ପ୍ରାୟ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ହେଲେ ଏହା ସତ। ୟୁରୋପରୁ ଏଶିଆ ଭିତରେ ୯୦ ପ୍ରତିଶତରୁ ଅଧିକ ଇଣ୍ଟରନେଟ ଏହି କେବୁଲ ଉପରେ ନିର୍ଭର କରୁଛି। ଏହି ଫାଇବର-ଅପ୍ଟିକ କେବୁଲ ହଜାର ହଜାର କିଲୋମିଟର ଯାଏଁ ସମୁଦ୍ର ଗର୍ଭରେ ବିଛାଯାଇଛି। ଏହା ମାଧ୍ୟମରେ ଇ-ମେଲ, ଭିଡିଓ କଲ, ଇ-କମର୍ସ, କ୍ଲାଉଡ ସର୍ଭିସେସ, ସୋସିଆଲ ମିଡିଆ ସର୍ଭିସେସ ଓ ଅନ୍ୟାନ୍ୟ ଅନଲାଇନ ସେବା ମିଳୁଛି। ଏହି ଇଣ୍ଟରନେଟ କେବୁଲର ଶୁଭାରମ୍ଭ ୧୮୩୦ ଦଶକରେ ହୋଇଥିଲା। ଏହାପରେ ୧୮୫୮ରେ ଆମେରିକୀୟ ବ୍ୟବସାୟୀ ସାରସ ୱେଷ୍ଟଫିଲ୍ଡ ଆଟଲାଣ୍ଟିକ ମହାସାଗରରେ ଟେଲିଗ୍ରାଫର କେବୁଲ ବିଛାଇଥିଲେ। ଏହାଦ୍ଵାରା ଆମେରିକା ସହ ବ୍ରିଟେନ ଯୋଡ଼ି ହୋଇଥିଲା। ହେଲେ ଏହି କେବୁଲ ଅଧିକ ଦିନ ଯାଏଁ ଚାଲି ପାରିନଥିଲା। ୧୮୬୬ରେ ପ୍ରଥମ ସ୍ଥାୟୀ କେବୁଲ ସଫଳତାପୂର୍ବକ ଲଗାଯାଇଥିଲା। ଯାହାକି ଏବେ ୧୪ ଲକ୍ଷ କିଲୋମିଟର ଯାଏଁ ଲମ୍ଵିଛି। ଭାରତକୁ ୯୫ ପ୍ରତିଶତରୁ ଅଧିକ ଇଣ୍ଟରନ୍ୟାସନାଲ ଡାଟା ଏହି କେବୁଲ ଜରିଆରୁ ଆସୁଛି। ଭାରତକୁ ମୋଟ ୧୭ ଅନ୍ତରାଷ୍ଟ୍ରୀୟ କେବୁଲ ଆସିଛି। ଏହା ୧୪ଟି ହ୍ଟେସନ ସହ ଯୋଡ଼ି ହୋଇଛି। ଏହି ଷ୍ଟେସନ ସବୁ ମୁମ୍ବାଇ, ଚେନ୍ନାଇ, କୋଚିନ, ତୁତୀକୋରିନ ଓ ତ୍ରିବେନ୍ଦ୍ରମରେ ରହିଛି।
ଏହି ଇଣ୍ଟରନେଟ କେବୁଲର ମାଲିକ କୌଣସି ଦେଶର ସରକାର ନୁହଁନ୍ତି। ଏହାର ଅସଲି ମାଲିକାନା ଘରୋଇ ଟେଲିକମ ଓ ଟେକ୍ନୋଲୋଜି କମ୍ପାନୀ ହାତରେ ଅଛି। ଏହି କମ୍ପାନୀ ଗୁଡ଼ିକ ହେଉଛନ୍ତି ଟାଟା କମ୍ୟୁନିକେସନ, ରିଲିଆନ୍ସ ଜିଓ, ଭାରତୀ ଏୟାରଟେଲ, ସିଫି ଟେକ୍ନୋଲୋଜିଜ ଓ BSNL। ତେବେ ଭାରତ ଭଳି ଦୁନିଆରେ ଅନେକ ଗ୍ଲୋବାଲ କମ୍ପାନୀ ସବୁ ରହିଛି। ଏମାନେ ସମୁଦ୍ର ତଳେ କେବୁଲ ବିଛାନ୍ତି, ଏହାର ରକ୍ଷଣାବେକ୍ଷଣା କରନ୍ତି। ଏବେ ସବୁଠୁ ବୱ ପ୍ରଶ୍ନ ସମୁଦ୍ର ତଳେ ଯଦି କେବେ କେବୁଲ ଛିଣ୍ଡି ଯାଏ ତାହେଲେ ଏହାକୁ କେମିତି ଯୋଡ଼ା ହୁଏ ଓ ଏଥିପାଇଁ କେତେ ସମୟ ଲାଗେ ?
ଅନେକ ସମୟରେ ଜାହାଜର ଆଙ୍କର, ପ୍ରାକୃତିକ ଦୁର୍ବିପାକ କିମ୍ଵା ଯୁଦ୍ଧ ଯୋଗୁଁ ସମୁଦ୍ର ତଳେ କେବୁଲ ଛିଣ୍ଡିଯାଏ। ଏହି କେବୁଲ ବିଛାଇବା ଯେତିକି ସହଜ ଏହାକୁ ଠିକ କରିବା ସେତିକି କଷ୍ଟସାଧ୍ୟ ହୋଇଥାଏ। ଏହାକୁ ଠିକ କରିବା ପାଇଁ ମାସ ମାସ ସମୟ ଲାଗେ। କେବୁଲ ସିପ ଜରିଆରେ ଟେକ୍ନିସିଆନ ଟେଷ୍ଟ ସିଗନାଲ ପଠାଇ କେବୁଲ କେଉଁଠି ଛିଣ୍ଡିଛି ତାହାର ତଦାରଖ କରନ୍ତି। ଜିପିଏସ ଅଣ୍ଡରୱାଟର ମ୍ୟାପର ସାହାରା ନିଆଯାଏ। ଏହାପରେ ଗ୍ରାପଲ ଜରିଆରେ କେବୁଲକୁ ଉପରକୁ ଅଣାଯାଏ। କେବୁଲର ଛିଣ୍ଡି ଯାଇଥିବା ଅଂଶକୁ ଭଲ ଭାବେ ସଫା କରି ଏହାକୁ ଯୋଡ଼ାଯାଏ। ଏହାକୁ ପୁଣି ଥରେ ସମୁଦ୍ର ତଳେ ବିଛାଯାଏ।