ମାଲକାନଗିରି, ୧୨/୧୨ : ମାଲକାନଗିରି ଜିଲ୍ଲା ଏମଭି ୨୬ ଗ୍ରାମରେ ଧିରେଧିରେ ଶାନ୍ତି ଫେରିବା ସହିତ ସ୍ଥିତି ସୁଧୁରୁଥିବାବେଳେ ଉତ୍ତେଜନା ପ୍ରବଣ ୩ଟି ପଞ୍ଚାୟତରେ ୨୩କମ୍ପାନୀ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳ ସହିତ ୯ଟି ଗ୍ରାମରେ ୧୬୩ଧାରା ବଳ ବତ୍ତର ରହିବା ସହ ସମଗ୍ର ଜିଲ୍ଲାରେ ୩୦ପୁଲିସ ଆକ୍ଟ ଲାଗୁ କରାଯାଇଛି । ୧୦ଟି କମ୍ପାନୀ ବିଏସଏଫ, ୫କମ୍ପାନୀ ସିଆରପିଏଫ, ୩କମ୍ପାନୀ ଓଏସଏପି, ୩କମ୍ପାନୀ ଏପିଆର, ୧କମ୍ପାନୀ ଆଇଆରବି ଯବାନ, ୧ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସଙ୍କୁ ଶାନ୍ତିଶୃଙ୍ଖଳା ପ୍ରତିଷ୍ଠା ପାଇଁ ମୁତୟନ କରାଯାଇଛି ।
- ୩ ପଞ୍ଚାୟତରେ ୨୩କମ୍ପାନୀ ଫୋର୍ସ ମୁତୟନ
- ୯ଟି ଗ୍ରାମରେ ୧୬୩ ଧାରା ବଳ ବତ୍ତର
- ସମଗ୍ର ଜିଲ୍ଲାରେ ୩୦ପୁଲିସ ଆକ୍ଟ ଲାଗୁ
- ୨୪ଘଣ୍ଟା ପାଇଁ ବଢିଲା ଇଣ୍ଟରନେଟ କଟକଣା
- ଏମଭି୨୬ରେ ୧୦ଦିନ ପାଇଁ ୩ ରୁ ୬ବର୍ଷ ପିଲାଙ୍କୁ ଯୋଗାଯିବ ଶୁଖିଲା ଖାଦ୍ୟ
- ୫ ରୁ ୩୦ ବର୍ଷୀୟଙ୍କ ପାଇଁ ପୋଷାକ ବଣ୍ଟନ
- ରିଲିଫ୍ କାର୍ଯ୍ୟ ଯତ୍ନରେ କରିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଏମଭି୨୬ ଗ୍ରାମ ରେ ରିଲିଫ ଓ ରନ୍ଧା ଖାଦ୍ୟ ସହିତ ୧୦ ଦିନ ପାଇଁ ୩ ରୁ ୬ବର୍ଷ ପିଲାଙ୍କୁ ଯୋଗାଯିବ ଶୁଖିଲା ଖାଦ୍ୟ । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏମଭି୨୬ ଗ୍ରାମରେ ଥଇଥାନ ଦ୍ରୁତଗତିରେ ଚାଲିଛି । ଜିଲ୍ଲାପାଳ ନିଜେ ଏମଭି ୨୬ଗ୍ରାମରେ ଉପସ୍ଥିତ ରହି ସ୍ଥିତି ଉପରେ କଡ଼ା ନଜର ରଖିବା ସହ ରିଲିଫ୍ କାର୍ଯ୍ୟ ଅତି ଯତ୍ନ ସହକାରେ କରିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତି ରହି ପୀଡ଼ିତଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରୁଛନ୍ତି । ଆଜି ଆହୁରି ଅଧିକ ଗ୍ରାମବାସୀ ନିଜ ନିଜ ଘରକୁ ଫେରିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଆଜି ୩ ରୁ ୬ ବର୍ଷ ର ଶିଶୁ ଙ୍କ ପାଇଁ ୬ଦିନର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।
ଆସନ୍ତାକାଲି ଆହୁରି ୧୦ ଦିନ ପାଇଁ ୩ ରୁ ୬ ବର୍ଷ ର ଶିଶୁଙ୍କ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ। ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ ଚାଲିଛି। ଟିପିଏସଓଡିଏଲ ର କର୍ମଚାରୀ ଅହରହ ଦିନରାତି ଉପସ୍ଥିତ ରହି ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ କରୁଛନ୍ତି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ରହିଛି। ଦକ୍ଷିଣାଞ୍ଚଳ ଡିଆଇଜି ନିଜେ ପୀଡିତ ଗ୍ରାମରେ ଉପସ୍ଥିତ ରହି ସୁରକ୍ଷା ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ବିଏସଏଫ, ସିଆରପିଏଫ, ଆରଏଏଫ ଓ ସ୍ଥାନୀୟ ପୋଲିସ ଡ୍ୟୁଟିରେ ସଜାଗ ଅଛନ୍ତି। ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଉପ ଜିଲ୍ଲାପାଳ, ପିଏ ଆଇଟିଡିଏ, ଜିଲା ମଙ୍ଗଳ ଅଧିକାରୀଙ୍କ ସମେତ ସମସ୍ତ ବିଡ଼ିଓ ତହସିଲଦାର ଉପସ୍ଥିତ ରହି ରିଲିଫ୍ କାର୍ଯ୍ୟ ତଦାରଖ କରୁଛନ୍ତି। ଓଡ଼ିଶା ରେଡକ୍ରସ୍ ସୋସାଇଟିରୁ ବିଭିନ୍ନ ରିଲିଫ୍ ସାମଗ୍ରୀ ଅଣାଯାଉଛି। ପୀଡିତଙ୍କୁ କମ୍ବଳ, କିଚେନ ସେଟ୍, ମଗ୍, ବାଲ୍ଟି, ଟାରପଲିନ, ଶାଢ଼ୀ, ଲୁଙ୍ଗି, ଗାମୁଛା, ବଡ଼ ଜାରକିନ୍, ୫ ରୁ ୩୦ ବର୍ଷୀୟ ଙ୍କ ପାଇଁ ପୋଷାକ ବଣ୍ଟନ କରାଯିବ । ସେହିପରି ପୁଣି ଇଣ୍ଟରନେଟ ସେବାକୁ ୨୪ଘଣ୍ଟା ପାଇଁ ବନ୍ଦ ରଖଯାଇଛି ବୋଲି ଅତିରିକ୍ତ ଏସପି ରାଜ କିଶୋର ଦାଶ ସୂଚନା ଦେଇଛନ୍ତି ଓ ନାନା ପ୍ରକାର ଗୁଜବ କଥାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ବୋଲି ଏଏସପି ଦାଶ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି।