ମାଲକାନଗିରି,୧୩/୧୨ : ପୁଣି ଇଣ୍ଟରନେଟ ସେବାକୁ ୩୬ଘଣ୍ଟା ପାଇଁ ବନ୍ଦ କରାଗଲା, ଏମଭି୨୬ଗ୍ରାମରେ ୨୪୦ପରିବାର କ୍ଷତିଗସ୍ତ, ୩କୋଟି ୪୦ଲକ୍ଷର ସମ୍ପତି ନଷ୍ଟ । ମାଲକାନଗିରି ଜିଲ୍ଲା ଏମଭି ୨୬ଗାଁରେ ଧିରେଧିରେ ଶାନ୍ତି ଫେରୁଛି । ଜିଲ୍ଲା ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିବାବେଳେ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି । ଗାଁରେ ବିଦ୍ୟୁତ ସଂଯୋଗ କରିବା ପାଇଁ ବିଦ୍ୟୁତ ବିଭାଗ ଓ ପାଣି ପାଇପ ମରାମତି କରିବା ପାଇଁ ପଞ୍ଚାୟତକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ସର୍ଭେରୁ ଜଣାପଡ଼ିଛି ଯେ, ଏମଭି ୨୬ହିଂସା କାଣ୍ଡରେ ୨୪୦ଘର ଓ ଦୋକାନ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି । ୩କୋଟି ୪୦ଲକ୍ଷ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଛି ।ଲୋକଙ୍କ ଘର ଓ ଅନ୍ୟାନ୍ୟ ସାମଗ୍ରୀର ଆକଳନ ବିଭାଗୀୟ ଅଧିକାରୀ ମନେ କରୁଛନ୍ତି ବୋଲି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ କହିଛନ୍ତି । ଆଜି ଭାରତୀୟ ରେଡ଼ କ୍ରସ ତରଫରୁ ଅନେକ ରିଲିଫ ସାମଗ୍ରୀ ଆସିଥିବା ବେଳେ ସେସବୁ ଏମଭି ୨୬ଗାଁରେ ବଣ୍ଟନ କରାଯିବ । ସେପଟେ ଏମଭି ୨୬ ଗାଁରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିବା ବେଳେ ଇଣ୍ଟରନେଟ ସେବା କଟକଣାକୁ ଆସନ୍ତା ୩୬ଘଣ୍ଟା ପର୍ଯ୍ୟନ୍ତ ବଢେଇ ଦିଆଯାଇଛି ।

- ଏମଭି ୨୬ରେ ୨୪୦ପରିବାର କ୍ଷତିଗ୍ରସ୍ତ

- ପୁଣି ୩୬ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ

- ଜିଲ୍ଲା ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ

- ୩ ରୁ ୬ବର୍ଷର ଶିଶୁଙ୍କ ପାଇଁ ୧୦ଦିନର ଶୁଖିଲା ଖାଦ୍ୟବଣ୍ଟନ

ଜିଲ୍ଲାପାଳ ଓ ଏସପି ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଉତ୍ତେଜନା ପ୍ରବଣ ଅଞ୍ଚଳରୁ ୧୬୩ ଧାରା ପ୍ରତ୍ୟାହାର ହୋଇଛି । ହିଂସାକାଣ୍ଡରେ ୬ଜଣ ଗିରଫ ହୋଇଛନ୍ତି । ମାଲକାନଗିରି ଜିଲ୍ଲାପାଳଙ୍କ, ଏସପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏମଭି ୨୬ଗ୍ରାମରେ ଦ୍ରୁତଗତିରେ ଚାଲିଛି ଥଇଥାନ । ଜିଲ୍ଲାପାଳ ନିଜେ ଏମଭି ୨୬ଗ୍ରାମରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିବା ସହ ରିଲିଫ୍ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ପୀଡ଼ିତଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରୁଛନ୍ତି । ଆଜି ଆହୁରି ଅଧିକ ଗ୍ରାମବାସୀ ନିଜ ନିଜ ଘରକୁ ଫେରିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ୩ ରୁ ୬ବର୍ଷର ଶିଶୁଙ୍କ ପାଇଁ ୧୦ଦିନର ଶୁଖିଲା ଖାଦ୍ୟବଣ୍ଟନ କରାଯାଉଛି । ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ ଚାଲିଛି। ବିଦ୍ୟୁତ ବିଭାଗର କର୍ମଚାରୀମାନେ ଦିନରାତି ଉପସ୍ଥିତ ରହି ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ କରୁଛନ୍ତି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ରହିଛି । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂ ନିଜେ ଗ୍ରାମରେ ଉପସ୍ଥିତ ରହି ସୁରକ୍ଷାସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ।

ବିଏସଏଫ, ସିଆରପିଏଫ, ଆରଏଏଫ ଓ ସ୍ଥାନୀୟ ପୁଲିସ ଗାଁରେ ସଜାଗ ଅଛନ୍ତି । ରେଡ଼କ୍ରସ୍ ସୋସାଇଟି ତରଫରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି । ସେପଟେ ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଜି ପୁଣି ଥରେ ଆଦିବାସୀ ନେତାଙ୍କ ସହ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର ସଂଗ୍ରାମ କେଶରୀ ମହାପାତ୍ର ଓ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଆଲୋଚନା କରିଛନ୍ତି । ଆଦିବାସୀ ସଂଘ ପକ୍ଷରୁ ବିସ୍ଥାପିତମାନଙ୍କୁ ପଟ୍ଟା ପ୍ରଦାନ କରିବା, ଜବରଦଖଲ ଜମି ଚିହ୍ନଟ କରିବା, ଦଖଲ ହୋଇଥିବା ଆଦିବାସୀ ଜମିକୁ ଅଣ ଆଦିବାସୀମାନଙ୍କଠାରୁ ଛଡ଼ାଇ ଆଣିବା, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା, ଆଦିବାସୀ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା କରିବା ନେଇ ୯ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଦକ୍ଷିଣାଞ୍ଚଳ ଆରଡିସି ଆଦିବାସୀମାନଙ୍କ ସହ ଆଲୋଚନା କରି ସରକାରଙ୍କୁ ରିପୋର୍ଟ ପଠାଇଥିବା କଥା କହିଛନ୍ତି । ଏହାସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ଆଦିବାସୀ ନେତାଙ୍କ ସହ ଆଲୋଚନା କରିଛନ୍ତି । ଜମି ବିବାଦର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ଆରଡିସି କହିଛନ୍ତି ।

ସେପଟେ ଏମଭି ୨୬ ଗାଁରେ ଧିରେ ଧିରେ ଶାନ୍ତି ଫେରିବା ପରେ ଲୋକେ ଗାଁକୁ ଫେରିବା ଆରମ୍ଭ କରିଛନ୍ତି । ଅନେକ ବଙ୍ଗାଳୀ ଗାଁ ଲୋକେ ରିଲିଫ ସାମଗ୍ରୀ ନେଇ ଏମଭି ୨୬ଗାଁରେ ବଣ୍ଟନ କରୁଛନ୍ତି । ଆଜି ଭାରତୀୟ ରେଡ଼ କ୍ରସ ତରଫରୁ ଅନେକ ରିଲିଫ ସାମଗ୍ରୀ ମାଲକାନଗିରି ପହଞ୍ଚିବା ପରେ ସେ ସବୁ ଏମଭି ୨୬ଗାଁରେ ବଣ୍ଟନ କରାଯିବ । ସେପଟେ ଏମଭି ୨୬ଗାଁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଥିବାବେଳେ ଇଣ୍ଟରନେଟ ସେବା କଟକଣାକୁ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ବଢେଇ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୨୪ଘଣ୍ଟା ଲାଗି ଇଣ୍ଟରନେଟ୍ କଟକଣା ବଢାଯାଇଛି । କାଲି ରାତି ୧୨ଟା ଯର୍ଯ୍ୟନ୍ତ ସମଗ୍ର ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି । ଏମଭି ୨୬ଗାଁ ଆଖ ପାଖରେ ସିଆରପିଏଫ ଯବାନ ମୁତୟନ ରହିଥିବାବେଳେ ସିମାନ୍ତରେ ରାପିଡ ଆକ୍ସନ ଫୋର୍ସ ପାଟ୍ରୋଲିଂ କରୁଛନ୍ତି ।