ନୂଆଦିଲ୍ଲୀ, ୧୭।୯: ସବୁଠୁ ବଡ଼ ଅନ୍ତର୍ଜାତୀୟ ନିଶା ବିରୋଧୀ ଅଭିଯାନ ମଧ୍ୟରୁ ଗୋଟିଏ, ଇଣ୍ଟରପୋଲର ଅପରେସନ ଲାୟନଫିସ୍-ମାୟାଗ । ମାତ୍ର, ୨ ସପ୍ତାହ ମଧ୍ୟରେ ୬.୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ୭୬ ଟନ୍ ନିଶାଦ୍ରବ୍ୟ ଜବତ ହୋଇଛି । ଭାରତ ସମେତ ୧୮ଟି ଦେଶରେ ଏହି ସମନ୍ୱିତ ଚଢ଼ଉ ଚାଲିଥିଲା । ରେକର୍ଡ ୨୯୭ ମିଲିୟନ୍ ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ କରିଛି କର୍ତ୍ତୃପକ୍ଷ । ଏଥିସହିତ ବିପୁଳ ପରିମାଣର ଫେଣ୍ଟାନିଲ୍, ହେରୋଇନ୍, କୋକେନ୍ ଏବଂ ଡ୍ରଗ୍ସ ଉତ୍ପାଦନରେ ବ୍ୟବହୃତ ପ୍ରିକର୍ସର ରାସାୟନିକ ପଦାର୍ଥ ଜବତ କରିଛନ୍ତି ।
ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ, ଚାଲାଣକାରୀମାନେ ଚଢ଼ାଉରୁ ବର୍ତ୍ତିବା ପାଇଁ ସର୍ଫବୋର୍ଡ, ଚା’ ବାକ୍ସ, ବିଲେଇ ଖାଦ୍ୟ ପ୍ୟାକେଟ୍ ଏବଂ ଏସପ୍ରେସୋ ମେସିନ୍ ଭିତରେ ନିଶାଦ୍ରବ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ । ଏହି ଅଭିଯାନ ସମୟରେ ମୋଟ ୩୮୬ ଜଣଙ୍କୁ ଗିରଫ କରାଯାଇଥିଲା । ଡାର୍କନେଟରେ କାର୍ଯ୍ୟ କରୁଥିବା ଅପରାଧୀ ନେଟୱାର୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଇଣ୍ଟରପୋଲ ଭାରତକୁ ଏପରି ଏକ ଦେଶ ଭାବେ ଚିହ୍ନଟ କରିଛି ଯେଉଁଠି ଫେଣ୍ଟାନିଲର ସର୍ବାଧିକ ଅଂଶ ଜବତ ହୋଇଥିଲା । କହିରଖୁଛୁ ଯେ, ଫେଣ୍ଟାନିଲ୍, ମର୍ଫିନ୍ ଏବଂ ହେରୋଇନ୍ ପରି ଏକ ସିନ୍ଥେଟିକ୍ ଓପିଓଏଡ୍ ଏହା ସମ୍ପୂର୍ଣ୍ଣ ଭାବେ ଲାବ୍ରୋଟୋରୀରେ ଉତ୍ପାଦିତ ହୋଇଥାଏ । ଏଥିରେ କୌଣସି ପ୍ରାକୃତିକ ଉପାଦାନ ନାହିଁ । ଯଦିଓ ଏହାକୁ ଯନ୍ତ୍ରଣା ନିବାରକ ଭାବରେ ବ୍ୟବହାର ପାଇଁ ଆଇନଗତ ଭାବରେ ଅନୁମୋଦନ ଦିଆଯାଇଛି, ଅଧିକାଂଶ ଫେଣ୍ଟାନିଲ୍ ବେଆଇନ ଭାବରେ ଉତ୍ପାଦିତ ହୁଏ ।