ନୂଆଦିଲ୍ଲୀ, ୧୩।୧୧: ଏଆଇ ଲୋକଙ୍କ ଚାକିରି ଖାଉଥିବା ଆମେ ଶୁଣିଥିଲେ । ଏଣିକି ଏଆଇ ଇଣ୍ଟରଭ୍ୟୁ ନେଇ ଚାକିରି ଦେବ । ନାଇଁ ଆଜ୍ଞା ଭୁଲ କହିଲୁ । ଇଣ୍ଟରଭ୍ୟୁ ନବ ନୁହଁ, ନଉଛି । ଏଣିକି କୌଣସି କମ୍ପାନୀ ହେଉ କି କୌଣସି ସଂସ୍ଥାରେ ଯଦି ଆପଣ ଚାକିରି ପାଇଁ ଯାଉଛନ୍ତି, ଆପଣଙ୍କ ସାମନାରେ ଇଣ୍ଟରଭ୍ୟୁୟର ଆଉ ମଣିଷ ନଥିବେ, ଏଆଇ ଥିବ । ଆପଣ ସେ ଚାକିରି ପାଇଁ ପ୍ରଯୁଜ୍ୟ କି ନୁହଁ, ଏଆଇ କହିବ । ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟରେ ଜଣେ ୟୁଜର ନିଜର ଅନୁଭବ ସେୟାର କରିଛନ୍ତି । ୟୁଜରଙ୍କ କହିବାଅନୁସାରେ, ଚାକିରି ପାଇଁ ଏଆଇ ତାଙ୍କର ଅନଲାଇନ ଇଣ୍ଟରଭ୍ୟୁ ନେଇଛି । ଆଉ ସେଇ ଇଣ୍ଟରଭ୍ୟୁରେ ଏଆଇ ତାଙ୍କୁ କେଉଁ କେଉଁ ପ୍ରଶ୍ନ ପଚାରିଛି ଆସନ୍ତୁ ଜାଣିବା ।

ଘଟଣାଟି ସେୟାର କରି ସେ ଲେଖିଛନ୍ତି, ଦିନେ ସକାଳେ ମୁଁ ଏକ ଇମେଲ ପାଇଲି ଯେଉଁଥିରେ ମୋତେ ଏକ ଅନଲାଇନ ଇଣ୍ଟରଭ୍ୟୁ ପାଇଁ କୁହାଯାଇଥିଲା । ମୁଁ ଲିଙ୍କକୁ କ୍ଲିକ କଲି, ଭିଡିଓ ଆସିଲା । ସ୍କ୍ରିନରେ ମୋର ଇଣ୍ଟରଭ୍ୟୁଅର ଭାବେ ଜଣେ ମହିଳା ଥିଲେ । ସେ ହସିଲେ, ମୁଣ୍ଡକୁ ହଲାଇଲେ ଆଉ ପ୍ରଶ୍ନ ବି ପଚାରିଲେ । କିନ୍ତୁ, ଏହା ସ୍ୱାଭାବିକ ନ ଥିଲା । ତାଙ୍କ ମୁଣ୍ଡ ଆବଶ୍ୟକଠୁ ଅଧିକ ହଲୁଥିଲା, ବାରମ୍ବାର ଗୋଟିଏ ଦିଗରେ ଓ ଗୋଟିଏ ଭଙ୍ଗୀରେ ତାଙ୍କ ମୁଣ୍ଡ ହଲୁଥିଲା । କିଛି କିଛି ସେକେଣ୍ଡ ବ୍ୟବଧାନରେ ପଜ ଭଳି ଦିଶୁଥିଲା । ମୁଁ ଭାବିଲି ଇଣ୍ଟରନେଟ ସମସ୍ୟା ବୋଧେ ଆଉ । ତେଣୁ ମୁଁ ଏହାକୁ ଅଣଦେଖା କଲି । ଏହା ପରେ ଆସିଥିଲା କୋଶ୍ଚିନ ରାଉଣ୍ଡ । ଏହି ରାଉଣ୍ଡରେ ମୋର ସନ୍ଦେହ ବଢ଼ିଲା । ମୋର ଇଣ୍ଟରଭ୍ୟୁ ନେବା ବେଳେ ଇଣ୍ଟରଭ୍ୟୁୟରଙ୍କର ମଣିଷ ଭଳି କୌଣସି ପ୍ରକାର ପ୍ରାକୃତିକ ପ୍ରତିକ୍ରିୟା ନଥିଲା । ଏହା ମୋତେ ଟିକେ ଅଜବ ଲାଗିଲା । ମୁଁ ଟିକେ ଅଟକିଗଲି ଆଉ ତାଙ୍କୁ ପାଲଟା ପ୍ରଶ୍ନ କଲି । ମୁଁ ପଚାରିଲି ‘ଆପଣ କାହିଁକି ଭାବୁଛନ୍ତି ଯେ ଏହି ଭୂମିକା ଜରୁରୀ ?’ ବହିରେ ଯେମିତି ଉତ୍ତର ଥାଏ ତାଙ୍କ ଉତ୍ତର ବି ଠିକ ସେମିତି ଥିଲା । ପ୍ରତିଟି ଶବ୍ଦ ଯେମିତି ପୂର୍ବରୁ ଲେଖାଯାଇଥିଲା । ମୁଁ ପ୍ରଶ୍ନକୁ ଆଉ ଥରେ ପଚାରିଲି । ପୁଣି ଥରେ ସେ ସେହି ପ୍ରଶ୍ନର ଏକଜାଟ ଉତ୍ତର ଦେଲେ । ୨ ଥର ସମାନ ପ୍ରଶ୍ନ ପଚାରିବା ପରେ ୩ ଥରକୁ ବି ସମାନ ପ୍ରଶ୍ନ ପଚାରିଲି, ପୁଣି ତରେ ବି ସମାନ ଉତ୍ତର । ୩-୩ ଥର ସମାନ ପ୍ରଶ୍ନର ଉତ୍ତରରେ କୌଣସି ଶବ୍ଦରେ ବି ପରିବର୍ତ୍ତନ ନଥିଲା । ଏହା ପରେ ସ୍କ୍ରିନ କିଛି ମୁହୂର୍ତ୍ତ ପାଇଁ ଫ୍ରିଜ ହୋଇଗଲା । ଆଉ ଥରେ ଚାଲୁ ହେବା ପରେ ମହିଳା କୋଶ୍ଚିନ ରାଉଣ୍ଡ ଜାରି ରଖିଲେ ।

ସେହି ବ୍ୟକ୍ତି ଜଣକ ପ୍ରଶ୍ନ ପଚାରିଛନ୍ତି, ଏଭଳି ସାକ୍ଷାତକାର ଅନୁଭବ କାହା ପାଖରେ ଅଛି ? ଆଉ କହିଛନ୍ତି, କର୍ମସ୍ଥଳୀରେ ଏଆଇ ମୁତୟନର ମୁଁ ବିରୋଧୀ ନୁହଁ, କିନ୍ତୁ ସାକ୍ଷାତକାର ନେଉଥିବା ବ୍ୟକ୍ତି ଯଦି ଏକ ରୋବୋ, ତେବେ ଆଶାୟୀଙ୍କୁ ଏ ବିଷୟରେ ଜଣାଇବା ଉଚିତ୍ ନା ନାହିଁ ?’ ଏହି ପୋଷ୍ଟକୁ ନେଇ ୟୁଜର୍ସ ଚିନ୍ତା ପ୍ରକଟ କରିଛନ୍ତି । କିଛି ୟୁଜର୍ସ କହିଛନ୍ତି, ନ ଜଣାଇ ଏଆଇ ଜରିଆରେ ସାକ୍ଷାତକାର କରାଇବା ଭୁଲ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଲାଗୁଛି ଏଣିକି ଆମେ ଏଆଇ ସହ ନୁହଁ, ବରଂ ଏଆଇ ପାଇଁ କାମ କରିବା ।