ନୂଆଦିଲ୍ଲୀ ୧୫/୧୦ : ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ ୨୦୨୪ରେ ଦୁଇଟି ନୂତନ ୪ଜି ଫିଚର ଫୋନ୍‌ ଶୁଭାରମ୍ଭ କରାଯାଇଛି । ଜିଓଭାରତ ଭି୩ ଏବଂ ଜିଓଭାରତ ଭି୪ ନାମିତ ଏହି ଦୁଇ ୪ଜି ଫିଚର ଫୋନ ଜିଓଭାରତ ସିରିଜ୍‌ ଅଧୀନରେ ଆରମ୍ଭ କରାଯାଇଛି। ନୂଆ ମଡେଲ ଗୁଡିକ ୧୦୯୯ ଟଙ୍କା ମୂଲ୍ୟରେ ବଜାରରେ ଉପଲବ୍ଧ ହେବ। ଗତ ବର୍ଷ ଜିଓଭାରତ ଭି୨ ମଡେଲ୍‌ ଶୁଭାରମ୍ଭ କରାଯାଇଥିଲା, ଯାହା ଭାରତୀୟ ଫିଚର ଫୋନ୍‌ ବଜାରରେ ଆଲୋଡ଼ନ ସୃଷ୍ଟି କରିଥିଲା। କମ୍ପାନୀ ଅନୁଯାୟୀ, ଲକ୍ଷ ଲକ୍ଷ ୨ଜି ଗ୍ରାହକ ଜିଓଭାରତ ଫିଚର ଫୋନ୍‌ ମାଧ୍ୟମରେ ୪ଜିକୁ ପରିବର୍ତ୍ତିତ ହୋଇସାରିଛନ୍ତି।

ଆଗାମୀ ପିଢ଼ିର ଏହି ନୂଆ ଫିଚର ଫୋନ ଆଧୁନିକ ଡିଜାଇନ୍‌, ଶକ୍ତିଶାଳୀ ୧୦୦୦ ଏମଏଏଚ ବ୍ୟାଟେରୀ, ୧୨୮ ଜିବି ପର୍ଯ୍ୟନ୍ତ ବିସ୍ତାର ଯୋଗ୍ୟ ଷ୍ଟୋରେଜ୍‌ ଏବଂ ୨୩ଟି ଭାରତୀୟ ଭାଷାକୁ ସମର୍ଥନ କରୁଛି। ଜିଓଭାରତ ଫୋନରେ ମାସିକ ମାତ୍ର ୧୨୩ ଟଙ୍କାରେ ରିଚାର୍ଜ କରାଯାଇ ପାରିବ ଯେଉଁଥିରେ ଅସୀମିତ ଭଏସ୍‌ କଲ୍‌ ଏବଂ ଦୈନିକ ଅଧା ଜିବି ହିସାବରେ ମୋଟ ୧୪ ଜିବି ହାଇ-ସ୍ପିଡ଼ ଡାଟା ମଧ୍ୟ ଉପଲବ୍ଧ ହେବ ।

ଉଭୟ ଭି୩ ଏବଂ ଭି୪ ମଡେଲ ଜିଓ-ଟିଭି, ଜିଓ-ସିନେମା, ଜିଓ-ପେ ଏବଂ ଜିଓ-ଚାଟ୍‌ ଭଳି ଉପଯୋଗୀ ପ୍ରି-ଲୋଡେଡ଼ ଆପ୍‌ ସହିତ ଆସିବ। ୪୫୫ ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ସହିତ ଚଳଚ୍ଚିତ୍ର, ଭିଡିଓ ଏବଂ କ୍ରୀଡା ବିଷୟବସ୍ତୁ ମଧ୍ୟ ମାତ୍ର ଗୋଟିଏ କ୍ଲିକରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଅନ୍ୟପକ୍ଷରେ, ଜିଓ-ପେ ସହଜରେ ନିରବଛିନ୍ନ ଦେୟ ପ୍ରଦାନ ସୁବିଧା ପ୍ରଦାନ କରୁଥିବା ବେଳେ ଜିଓଚାଟ ଅସୀମିତ ଭଏସ୍‌ ମେସେଜିଂ, ଫଟୋ ସେୟାର ଏବଂ ଗ୍ରୁପ୍‌ ଚାଟ୍‌ ବିକଳ୍ପ ପ୍ରଦାନ କରିଥାଏ। ଜିଓଭାରତ ଭି୩ ଏବଂ ଜିଓଭାରତ ଭି୪ ଖୁବ୍‌ ଶୀଘ୍ର ସମସ୍ତ ମୋବାଇଲ୍‌ ଷ୍ଟୋର୍‌ ସହିତ ଜିଓ ମାର୍ଟ ଏବଂ ଆମାଜନରେ ମଧ୍ୟ ଉପଲବ୍ଧ ହେବ।