ନୂଆଦିଲ୍ଲୀ,୨୧/୧୨: କରୋନା ମହାମାରୀ  ପରେ ଲୋକଙ୍କ ମଧ୍ୟରେ ଭବିଷ୍ୟତ ପାଇଁ ଦ୍ରୁତ ବେଗରେ ବଢ଼ିଛି ସଞ୍ଚୟ ଅଭ୍ୟାସ ।  ଏବେ ଲୋକେ ନିଜର ଏବଂ ପରିବାରର ଉତ୍ତମ ଭବିଷ୍ୟତ ପାଇଁ ସଞ୍ଚୟ କରିବା ସହ ଆପାତକାଳୀନ ଆବଶ୍ୟକତା ପାଇଁ ବି ଟଙ୍କା ଯୋଡୁଛନ୍ତି । ଏଫ୍‌ଡି-ଆର୍‌ଡି ବଦଳରେ ମ୍ୟୁଚୁଆଲ ଫଣ୍ଡ୍‌ ଏସ୍‌ଆଇପି ଦ୍ରୁତ ବେଗରେ ଲୋକପ୍ରିୟ ହେଉଛି । ଏହି ପରିବର୍ତ୍ତିତ ଟ୍ରେଣ୍ଡ୍‌କୁ ନେଇ ବ୍ୟାଙ୍କ୍‌ ବଜାରର ‘ମନିମୁଡ୍‌’ ରିପୋର୍ଟରେ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏହା ଅନୁସାରେ ୬୧% ଲୋକ ବିପରୀତ ପରିସ୍ଥିତିରେ ଜରୁରୀ ଖର୍ଚ୍ଚଗୁଡ଼ିକ ପାଇଁ ସଞ୍ଚୟ କରୁଛନ୍ତି । ସେହିଭଳି ୪୮% ଲୋକ ପିଲାଙ୍କ ଲାଳନପାଳନ ପାଇଁ, ୪୭% ଲୋକ ଲାଭ ହାସଲ କରିବା ପାଇଁ, ୪୪% ଲୋକ ନିଜର ଲାଇଫ୍‌ଷ୍ଟାଇଲ୍‌ ସୁଧାରିବା ପାଇଁ, ୪୨% ଲୋକ ଭ୍ରମଣ ପାଇଁ ଏବଂ ୨୭% ଲୋକ କୌଶଳ ବିକାଶ ପାଇଁ ଟଙ୍କା ଯୋଡୁଛନ୍ତି । 

ସଂକଟ ପରିସ୍ଥିତି ପାଇଁ ସଞ୍ଚୟ କରିବା ଏବେ ଲୋକଙ୍କ ପ୍ରାଥମିକତା ପାଲଟିଛି । ରିପୋର୍ଟରେ କୁହାଯାଇଛି ଯେ, ୩୧% ଲୋକ ଅବସର ପାଇଁ ଏବଂ ୨୮% ଲୋକ ବିଳାସ ସାମଗ୍ରୀରେ ଖର୍ଚ୍ଚ କରିବା ନିମନ୍ତେ ସଞ୍ଚୟ କରୁଛନ୍ତି । ଏହାସହିତ ଏଫ୍‌ଡି-ଆର୍‌ଡି ବଦଳରେ ମ୍ୟୁଚୁଆଲ ଫଣ୍ଡ୍‌ ଏସ୍‌ଆଇପି ଦ୍ରୁତ ବେଗରେ ଲୋକପ୍ରିୟ ହେଉଛି । ରିପୋର୍ଟ ଅନୁସାରେ, ୬୨% ଲୋକ ମ୍ୟୁଚୁଆଲ ଫଣ୍ଡ୍‌ ଏସ୍‌ଆଇପିରେ ନିବେଶ କରୁଛନ୍ତି, ଯାହା ୨୦୨୨ ତୁଳନାରେ ୫% ଅଧିକ । ଏଫ୍‌ଡି-ଆର୍‌ଡିରେ ୨୦୨୨ରେ ୫୪% ଲୋକ ନିବେଶ କରିଥିବାବେଳେ ୨୦୨୪ରେ ଏହା ୫୭% ରହିଛି । ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସିଧାସଳଖ ସେୟାର ବଜାର ଏବଂ କ୍ରିପ୍ଟୋକରେନ୍ସିରେ ନିବେଶ କମୁଛି । ବ୍ୟାଙ୍କ୍‌ ବଜାର ଅନୁସାରେ, ସେୟାର ବଜାରରେ ୨୦୨୨ରେ ୪୫% ଲୋକ ନିବେଶ କରୁଥିଲେ, ଯାହା ୨୦୨୪ରେ ୪୦%କୁ ହ୍ରାସ ପାଇଛି । ସେହିଭଳି କ୍ରିପ୍ଟୋକରେନ୍ସିରେ ୨୦୨୨ରେ ୩୨% ଲୋକ ନିବେଶ କରିଥିବାବେଳେ ୨୦୨୪ରେ ଏହା ୧୨%କୁ, ପିଏଫ୍‌ପୋଷ୍ଟାଲ ସ୍କିମ୍‌ରେ ପୂର୍ବରୁ ୪୫% ଲୋକ ନିବେଶ କରିଥିବାବେଳେ ଏବେ ଏହା ୪୧%କୁ ଏବଂ ୨୦୨୨ରେ ୩୩% ଲୋକ ସୁନାରେ ନିବେଶ କରିଥିବାବେଳେ ଏହା ଏବେ ୩୦% ଲୋକଙ୍କ ପସନ୍ଦ ରହିଛି ।

 ସଞ୍ଚୟ ସହ ଲୋକେ ନିଜ ଖର୍ଚ୍ଚ ବି ବଢ଼ାଇ ଦେଇଛନ୍ତି । ଚଳିତବର୍ଷ ଦୀପାବଳିରେ ଲୋକଙ୍କ ଖର୍ଚ୍ଚକୁ ନେଇ ରିପୋର୍ଟରେ ଏକ ଗ୍ରାଫ୍‌ ଜାରି ହୋଇଛି । ଏ ବର୍ଷ ଦୀପାବଳି ମାସରେ ୨୦୨୩ର ୧.୬ ଲକ୍ଷ କୋଟି ତୁଳନାରେ ଲୋକେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଅବସରକାଳୀନ ଯୋଜନା ଉପରେ ବି ଲୋକେ ଧ୍ୟାନ ଦେଉଛନ୍ତି । ୫୮% ଲୋକଙ୍କ ପାଖରେ ଅବସର ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଥିବାବେଳେ ୪୨% ଲୋକଙ୍କ ପାଖରେ କୌଣସି ଯୋଜନା ନ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିଭଳି ୬% ଲୋକ ୨୫ ଲକ୍ଷ ଟଙ୍କାରୁ ଅଧିକ ଅବସରକାଳୀନ ପାଣ୍ଠି ଜମା କରିବାକୁ ଚାହୁଁଥିବାବେଳେ ୧୯% ଲୋକ ୨୫ରୁ ୫୦ ଲକ୍ଷ ଟଙ୍କାର ସଞ୍ଚୟକୁ ଯଥେଷ୍ଟ ମାନୁଛନ୍ତି ଏବଂ ୧୦% ଲୋକ ୨ରୁ ୫ କୋଟି ଟଙ୍କାର ଫଣ୍ଡ୍‌କୁ ଉଚିତ ବୋଲି ଭାବୁଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ୫୪% ଲୋକଙ୍କ ଅନୁସାରେ ୫୧ରୁ ୬୦ ବର୍ଷ ଅବସର ପାଇଁ ଉଚିତ ବୟସ । ୨୧% ଲୋକ କୁହନ୍ତି, ଅବସର ବୟସ ୪୧ରୁ ୫୦ ମଧ୍ୟରେ ହେବା ଦରକାର ।