ଭୁବନେଶ୍ବର,୪।୩ :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମହାସମାରୋହରେ ଯୋଗ ଦେବା ପାଇଁ ନବୀନଙ୍କୁ ମୋହନ ନିମନ୍ତ୍ରଣ କରିଛନ୍ତି। 

ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ,  ଆସନ୍ତା ମାର୍ଚ୍ଚ ୫ ତାରିଖରେ ଓଡିଶାର ମହାନ୍‌ ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମହାସମାରୋହରେ ରାଜ୍ୟ ସରକାର ପାଳନ କରୁଛନ୍ତି ।  ଏଥିପାଇଁ ସ୍ଥାନୀୟ ଜୟଦେବ ଭବନ ଠାରେ ୫ ତାରିଖ ସନ୍ଧ୍ୟା ୭ ଟା ସମୟରେ ଏକ ରାଜ୍ୟସ୍ତରୀୟ ସଭାର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଆପଣଙ୍କ ଗରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିବ  ।