ନୂଆଦିଲ୍ଲୀ,୧୯/୦୫: ରବିବାର ସୁଦ୍ଧା ଚଳିତ ଆଇପିଏଲରେ ୩ଟି ଦଳର ପ୍ଲେ ଅଫ୍‌ ଖେଳିବା ଚୂଡ଼ାନ୍ତ ହୋଇଯାଇଛି । ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ହାସଲ କରିଥିବା  ଗୁଜରାଟ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍‌ସ ଏହି  ସୌଭାଗ୍ୟ ପାଇଛନ୍ତି ।  

ପ୍ରଥମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯାଇଥିଲା ।  ୧୦ ରନ୍‌ରେ ପଞ୍ଜାବ ବିଜୟୀ ହୋଇ ୧୭ ପଏଣ୍ଟ ପାଇଥିଲା । ଦଳ ଏ ପର୍ଯ୍ୟନ୍ତ ୧୨ଟି ମ୍ୟାଚ୍‌  ଖେଳିଛି । ସେଥିରୁ ୮ଟି ବିଜୟୀ ( ୩ଟି ପରାଜୟ  ଓ ଗୋଟିଏ ଫଳାଫଳ ଶୂନ୍ୟ) ହୋଇ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । 

ଦ୍ୱିତୀୟ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅତି ଚମତ୍କାର ବ୍ୟାଟିଂ କରି ୧୦ ୱିକେଟ୍‌ରେ ବିଜୟୀ ହୋଇଥିଲା । ସାଇ ସୁଦର୍ଶନ ଶତକ ଏବଂ ଶୁଭମନ ଗିଲ ଅର୍ଦ୍ଧଶତକ ହାସଲ କରି ଦଳକୁ ଜିତାଇଥିଲେ ।  ଯଦିଓ ଲୋକେଶ ରାହୁଲଙ୍କ ଶତକ ବଳରେ  ଦିଲ୍ଲୀ କ୍ୟାପିଟାଲ୍ସ ୧୯୯ ରନ୍‌ କରିପାରିଥିଲା । ମାତ୍ର ଗୁଜରାଟର ଦୁଇ ଯୁବ ଓପନର ଦିଲ୍ଲୀକୁ  କୌଣସି ସୁଯୋଗ ଦେଇ ନଥିଲେ । ସିଜନରେ  ୧୨ଟି ମ୍ୟାଚ୍‌ରୁ ଟାଇଟନ୍ସ ୯ଟି ଜିତି ୧୮ ପଏଣ୍ଟ  ପାଇ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । 

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସିଜନରେ  ୧୨ଟିରୁ ୮ଟି ବିଜୟ, ୩ ପରାଜୟ ଓ ଗୋଟିଏ  ଫଳାଫଳ ଶୂନ୍ୟ ସହ ୧୭ ପଏଣ୍ଟ ପାଇ ଟେବୁଲରେ  ଦ୍ୱିତୀୟ ସ୍ଥାନରେ ରହିଛି । ଏବେ ଚତୁର୍ଥ ଦଳ ଭାବେ କିଏ ପ୍ଲେ ଅଫ୍‌ରେ ପ୍ରବେଶ କରିବ ତାହା  ଉପରେ ସମସ୍ତଙ୍କ ନଜର । ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ  ମଧ୍ୟରେ ଏହି ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ ।  

ତେବେ ୧୪ ରାଉଣ୍ଡ ଖେଳ ଶେଷ ହେବା ପରେ ପଏଣ୍ଟ ଟେବୁଲରେ ଶ୍ରେଷ୍ଠ ୪ ଦଳ ମଧ୍ୟରେ  କିଏ କେଉଁ ସ୍ଥାନରେ ରହିବେ ତାହା ସ୍ପଷ୍ଟ ହେବ।  ଯଦିଓ ୩ ଦଳ ପ୍ଲେ ଅଫ୍‌ରେ ପହଞ୍ଚି ସାରିଛନ୍ତି।