ନୂଆଦିଲ୍ଲୀ,୧୦/୦୫; ଆଜି ରାତ୍ରି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ନିଜ ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ୍‌ରେ ମୁମ୍ବାଇକୁ ଭେଟିବ । ଏହି ମ୍ୟାଚ ଜରିଆରେ ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମା ପୁନର୍ବାର ସାମ୍ନା ସାମ୍ନି ହେବେ । ରାଏପୁରକୁ ଏଥର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ ରୂପେ ବେଙ୍ଗାଲୁରୁ ଗ୍ରହଣ କରିଛି । ଦଳ ଏହି ମ୍ୟାଚ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ପ୍ରୟାସ କରିବ । ମୁମ୍ବାଇ ପରାଜିତ ହେଲେ ପ୍ରଥମ ଦଳ ଭାବେ ପ୍ଲେ-ଅଫ ରାଉଣ୍ଡରୁ ବାଦ ପଡ଼ିବ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଇତି ମଧ୍ୟରେ ୧୩ ପଏଣ୍ଟ ଅର୍ଜନ କରିସାରିଥିବା ବେଙ୍ଗାଲୁରୁ ଶେଷ ୨ଟି ମ୍ୟାଚରେ ଯଥାକ୍ରମେ ଗୁଜରାଟ ଓ ଲକ୍ଷ୍ନୌ ଠାରୁ ପରାଜିତ ହୋଇଛି । ଉଭୟ ପରାଜୟ ଜରିଆରେ ବେଙ୍ଗାଲୁରୁ ଦଳରେ ରହିଥିବା ଛୋଟ ମୋଟ ତ୍ରୁଟି ନଜରକୁ ଆସିଛି । ଆହତ ଫିଲ ସଲ୍ଟଙ୍କ ସ୍ଥାନରେ ଖେଳୁଥିବା ଜାକବ ବେଥେଲ ବଡ଼ ଇନିଂସ ଖେଳିବାରେ ବିଫଳ ହେଉଥିବାବେଳେ ଜୋସ ହାଜେଲଉଡ୍ ଅପ୍ରତ୍ୟାଶିତ ଭାବେ ଫର୍ମ ହରାଇ ବସିଛନ୍ତି । ଗତ ଲକ୍ଷେ୍ନø ବିପକ୍ଷ ମ୍ୟାଚରେ ସେ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ମୁମ୍ବାଇକୁ ଭେଟିବା ପୂର୍ବରୁ ଉଭୟ ବେଥେଲ ଓ ହାଜେଲଉଡ୍ ଫର୍ମକୁ ଫେରିବା ଜରୁରି । ମୁମ୍ବାଇ ପରିସ୍ଥିତି ଆହୁରି ଜଟିଳ । ୫ଥର ଚାମ୍ପିଅନ୍ ହୋଇଥିବା ମୁମ୍ବାଇର ଭାଗ୍ୟ ସୂତା ଖିଅରେ ଝୁଲୁଛି । ଗୋଟିଏ ପରାଜୟ ବିଦାୟ ରାସ୍ତା ଦେଖାଇବ । ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା ପ୍ରମୁଖ ଫର୍ମ ହରାଇବା ଫଳରେ ଦଳ ପାଇଁ ବିଜୟ କଷ୍ଟକର ହୋଇଛି । ମୁମ୍ବାଇ ଗତ ୪ ତାରିଖରେ ଲକ୍ଷେ୍ନøକୁ ହରାଇଥିଲା । ଆହତ ହାର୍ଦ୍ଦିକ ପାଣ୍ଡ୍ୟା ନଖେଳିବା ଦଳ ପାଇଁ ଏକ ଅଦୃଶ୍ୟ ଆଶୀର୍ବାଦ ସାବ୍ୟସ୍ତ ହୋଇଥିଲା । ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ନେତୃତ୍ୱ ନେଇଥିଲେ ଓ ମୁମ୍ବାଇ ବିଜୟୀ ହୋଇଥିଲା ।

ଆଜି ମଧ୍ୟ ପାଣ୍ଡ୍ୟା ଖେଳିବା ନେଇ ଆଶଙ୍କା ରହିଛି । ତେବେ ୨ଦିନ ତଳେ ବାପା ହୋଇଥିବା ସୂର୍ଯ୍ୟକୁମାର ଖେଳିବା ନିଶ୍ଚିତ ରହିଛି । ଗତ ମାସ ୧୨ ତାରିଖରେ ଉଭୟ ଦଳ ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ରେ ପରସ୍ପରକୁ ଭେଟିଥିଲେ । ବେଙ୍ଗାଲୁରୁ ୧୮ ରନ୍‌ରେ ଉକ୍ତ ମ୍ୟାଚ ଜିତିଥିଲା । ଏଥର ମୁମ୍ବାଇ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । ୧୦ ବର୍ଷ ପରେ ରାଏପୁରରେ ପୁନର୍ବାର ଆଇପିଏଲ ମ୍ୟାଚ ଖେଳା ଯାଉଛି । ତେଣୁକରି ପିଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଏଠାକାର ପିଚ ପାରମ୍ପରିକ ଭାବେ ମନ୍ଥର ରହି ଆସିଛି । ତଥାପି ଆସନ୍ତାକାଲି ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତ୍ରିରେ କାକର ସମ୍ଭାବନା ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ଏହା ବି ପଢନ୍ତୁ...IPL 2026 : ସୁପର ସନ୍ଡେ'ରେ ବିଗ୍ ଫାଇଟ୍, ଉପଲରେ ଚେନ୍ନାଇ- ଲକ୍ଷ୍ନୌ ମଧ୍ୟରେ ମୁକାବିଲା

ବେଙ୍ଗାଲୁରୁ: ବିରାଟ କୋହଲି, ଜାକବ ବେଥେଲ, ଦେବଦତ୍ତ ପାଡ଼ିକଲ, ରଜତ ପାତିଦାର (ଅଧିନାୟକ), ଜିତେଶ ଶର୍ମା, ଟିମ ଡେଭିଡ୍, ରୋମାରିଓ ସେଫର୍ଡ, କୃନାଲ୍ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋସ ହାଜେଲଉଡ୍, ସୂୟାଶ ଶର୍ମା, ରସିକ ସଲାମ ।

ମୁମ୍ବାଇ: ରୋହିତ ଶର୍ମା, ର୍ୟାନ ରିକେଲଟନ, ନମନ ଧିର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ)/କର୍ବିନ ବସ୍କ, ରବିନ ମିଞ୍ଜ/ରାଜ ବାୱା, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ଆଲ୍ଲା ଗଜନଫର, ଯଶପ୍ରୀତ ବୁମରା, ରଘୁ ଶର୍ମା ।