ମୁଲନପୁର,୧୧/୦୪: ଆଜି ଅପରାହ୍ଣରେ ଖେଳାଯିବ ଆଇପିଏଲ୍‌ର ୧୭ତମ ଲିଗ୍ ମୁକାବିଲା । ପଞ୍ଜାବ ଓ ହାଇଦ୍ରାବାଦ ପରସ୍ପରକୁ ଭେଟିବେ ଏବଂ ନଜରରେ ରହିବେ ଉଭୟ ଦଳର ବିସ୍ଫୋରକ ଓପନର । ଟ୍ରାଭିସ ହେଡ୍ ଓ ଅଭିଷେକ ଶର୍ମା ଗତ ୨ଟି ସିଜନ ଧରି ଧୂଆଁଧାର ବ୍ୟାଟିଂ ଜାରି ରଖି ବୋଲରଙ୍କ ନିଦ ହଜାଇ ଦେଇଛନ୍ତି । ପଞ୍ଜାବ ମଧ୍ୟ ପଛରେ ନାହିଁ । ଗତ ସିଜନରୁ ପ୍ରଭସିମରନ ସିଂହ ଓ ପ୍ରିୟାଂଶ ଆର୍ଯ୍ୟ ଯୋଡ଼ି ମଧ୍ୟ ଆତଙ୍କ ଖେଳାଇଛନ୍ତି । ତେଣୁ ଏହି ମ୍ୟାଚ ଜରିଆରେ ଉଭୟ ଦଳର ଓପନିଂ ଯୋଡ଼ିଙ୍କ ମଧ୍ୟରେ ଏକ ଅଦୃଶ୍ୟ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ ।

ପଞ୍ଜାବ ଏପର୍ଯ୍ୟନ୍ତ ପରାଜୟ ସ୍ୱାଦ ଚାଖିନାହିଁ । ପ୍ରଥମ ୨ଟି ମ୍ୟାଚ ଜିତିବା ପରେ କୋଲକାତା ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା । ୩ଟି ମ୍ୟାଚ୍‌ରୁ ପଞ୍ଜାବ ୫ ପଏଣ୍ଟ ଅର୍ଜନ କରିଛି । ସନରାଇଜର୍ସ ଇତି ମଧ୍ୟରେ ୩ଟି ମ୍ୟାଚ ଖେଳିଛି ଓ ଗୋଟିଏ ବିଜୟ ସହ ୨ ପଏଣ୍ଟ ହାତେଇଛି ।

ଅଧିକ ପଢ଼ନ୍ତୁ :-  ବୈଭବ-ଜୁରେଲ ଝଡ଼; ରାଜସ୍ଥାନର ଚତୁର୍ଥ ବିଜୟ, ୬ ୱିକେଟରେ ହାରିଲା ଡିଫେଣ୍ଡି ଚାମ୍ପିଅନ

ପୂର୍ବ ରେକର୍ଡକୁ ଦେଖିଲେ ଆଜି ହାଇଦ୍ରାବାଦର ପଲା ଭାରି ରହିବା ଆଶା କରାଯାଇପାରେ । ଉଭୟ ଦଳ ପରସ୍ପରକୁ ୨୪ଥର ଭେଟିଛନ୍ତି । ଏଥିରୁ ହାଇଦ୍ରାବାଦ ୧୭ଟି ମ୍ୟାଚ ଜିତିଛି । ପଞ୍ଜାବ ଶେଷ ଥର ପାଇଁ ୨୦୨୨ ସଂସ୍କରଣରେ ହାଇଦ୍ରାବାଦକୁ ହରାଇଥିଲା । ଏଥର ପରାଜୟଧାରା ଭାଙ୍ଗିବା ପାଇଁ ପଞ୍ଜାବ ସବୁ ଶକ୍ତି ଲଗାଇବାକୁ ପ୍ରସ୍ତୁତ ।

ଉଭୟ ଦଳ ଏକାଦଶରେ କୌଣସି ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । କେବଳ ପରିସ୍ଥିତି ଅନୁଯାୟୀ ଇମ୍ପାକ୍ଟ ଖେଳାଳିରେ ପରିବର୍ତ୍ତନ ହୋଇପାରେ । ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବା ନିଶ୍ଚିତ । ପାଗ ମଧ୍ୟ ଶୁଖିଲା ରହିବ । ଦିନରେ ମ୍ୟାଚ ଖେଳାଯାଉଥିବାରୁ ଟସ୍ ଗୁରୁତ୍ୱ ରଖିବ ନାହିଁ । ପୂର୍ବରୁ ଏଠାରେ ଖେଳାଯାଇଥିବା ୪ଟି ଦିନ ମ୍ୟାଚରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୨ଟି ଓ ପ୍ରଥମେ ବୋଲିଂ କରିଥିବା ଦଳ ୨ଟି ମ୍ୟାଚ ଜିତିଛନ୍ତି ।

ସମ୍ଭାବ୍ୟ ଦଳ

ପଞ୍ଜାବ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, କୁପର କନ୍ନଲି, ଶ୍ରେୟାସ ଆୟର (ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ, ମାର୍କୋ ଜାନସେନ, ଜାଭିୟର ବାର୍ଟଲେଟ୍, ଅର୍ଶଦୀପ ସିଂହ, ବିଜୟକୁମାର ବୈଶାଖ, ୟୁଝବେନ୍ଦ୍ର ଚହଲ ।

ହାଇଦ୍ରାବାଦ: ଅଭିଷେକ ଶର୍ମା, ଟ୍ରାଭିସ ହେଡ୍, ଇଶାନ କିଷନ, ହେନରିଚ କ୍ଲାସେନ, ନୀତିଶ କୁମାର ରେଡ୍ଡୀ, ଲିଆମ ଲିଭିଂଷ୍ଟୋନ/ବ୍ରାଇଡନ କାର୍ସ, ଅନିକେତ ବର୍ମା, ଇଶାନ ମାଲିଙ୍ଗା, ହର୍ଷଲ ପଟେଲ, ହର୍ଷ ଦୁବେ, ଜୟଦେବ ଉନାକାତ, ଶିବାଙ୍ଗ କୁମାର ।