ବଙ୍ଗାଲୁରୁ, ୨୮/୦୩: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପସନ୍ଦର ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ର ୧୯ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଆଜି ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ଉଦଘାଟନୀ ମୁକାବିଲା । ଅନେକ କଟକଣା ମଧ୍ୟରେ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ ଆୟୋଜନ କରିବ ଏହି ମ୍ୟାଚ । ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ ଆରମ୍ଭ ହେବ । ଷ୍ଟାର ସ୍ପୋର୍ଟ୍ସ ଓ ଜିଓ ହଟଷ୍ଟାର ଓଟିଟି ପ୍ଲାଟଫର୍ମରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟର ସିଧା ପ୍ରସାରଣ କରାଯିବ।
ରୟାଲ୍ ଚ୍ୟାଲେଞ୍ଜର୍ସର ଜର୍ସିରେ ଷ୍ଟାଡ଼ିୟମ୍ ପୂର୍ଣ୍ଣ ହେବ । ବିରାଟ କୋହଲିଙ୍କୁ ଦେଖିବା ପାଇଁ ଷ୍ଟାଡ଼ିୟମ ବାହାରେ ମଧ୍ୟ ପ୍ରବଳ ଗହଳି ହେବ । ତଥାପି ଭାରତକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ କରାଇଥିବା ସନରାଇଜର୍ସର ଦୁଇ ଯୁବ ତାରକା ଇଶାନ କିଷନ ଓ ଅଭିଷେକ ଶର୍ମାଙ୍କ ପାଇଁ ମଧ୍ୟ ବହୁ ସମର୍ଥକ ଚିନ୍ନାସ୍ୱାମୀରେ ଏକତ୍ରିତ ହେବା ନିଶ୍ଚିତ । ରୟାଲ୍ ଚ୍ୟାଲେଞ୍ଜର୍ସ ଗତ ସିଜନରେ ଲଭିଥିବା ପରାଜୟର ପ୍ରତିଶୋଧ ନେବାକୁ ଏଥର ପ୍ରୟାସ କରିବ ।
ଗତ ଥର ଉଭୟ ଦଳ ପରସ୍ପରକୁ ଥରେ ଭେଟିଥିଲେ । ସନରାଇଜର୍ସ ଉକ୍ତ ମ୍ୟାଚକୁ ୪୨ ରନ୍ରେ ଜିତିଥିଲା । ପୂର୍ବ ରେକର୍ଡ ମଧ୍ୟ ସନରାଇଜର୍ସ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୨୫ଥର ଭେଟିଛନ୍ତି । ଏଥିରୁ ସନରାଇଜର୍ସ ୧୩ଟି ମ୍ୟାଚ ଜିତିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ୧୧ଟି ମ୍ୟାଚରେ ବିଜୟୀ ହୋଇଛି ।
ଅଧିକ ପଢ଼ନ୍ତୁ :- ଆଇପିଏଲ ୨୦୨୬ : ଉଦଘାଟନୀ ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲେ କର୍ଣ୍ଣାଟକ ସରକାର
ଗତ ୬ବର୍ଷର ରେକର୍ଡ ଦେଖିଲେ ରୟାଲ ଚ୍ୟାଲେଞ୍ଜର୍ସ ସବୁଠୁ ସଫଳ ଦଳ ଭାବେ ଗଣା ହୋଇପାରିବ । ୨୦୨୦ରୁ ୨୦୨୫ ସିଜନ ମଧ୍ୟରେ ରୟାଲ୍ ଚ୍ୟାଲେଞ୍ଜର୍ସ ୫ଥର ପ୍ଲେ-ଅଫ୍ରେ ପ୍ରବେଶ କରିଛି ଓ ଏଥି ମଧ୍ୟରୁ ଥରେ ଚାମ୍ପିଅନ୍ ହୋଇଛି । ୧୮ ବର୍ଷର ନିରବଛିନ୍ନ ପ୍ରୟାସ ପରେ ରୟାଲ ଚ୍ୟାଲେଞ୍ଜର୍ସ ଗତ ବର୍ଷ ଚାମ୍ପିଅନ୍ ହୋଇଥିଲା । ରାହୁଲ ଦ୍ରାବିଡ, କେଭିନ ପିଟରସନ, ଅନୀଲ କୁମ୍ବଲେ, ଡାନିଏଲ୍ ଭିଟ୍ଟୋରୀ, ଫାଫ ଡୁ ପ୍ଲେସି ଓ ବିରାଟ କୋହଲିଙ୍କ ଭଳି ମହାନ ଖେଳାଳିମାନେ ଯାହା କରିପାରି ନଥିଲେ, ରଜତ ପାତିଦାର ଅଧିନାୟକ ଭାବେ ତାହା କରି ଦେଖାଇ ଦେଇଥିଲେ । ଏଥର ମଧ୍ୟ ସେ ନେତୃତ୍ୱ ନେଉଛନ୍ତି ଓ କୋହଲି ବ୍ୟାଟିଂ ବିଭାଗ ସମ୍ଭାଳୁଛନ୍ତି ।
ଏଥର କିଷନଙ୍କ ପ୍ରଦର୍ଶନ ଉପରେ ଦର୍ଶକଙ୍କ ନଜର ରହିବ ବୋଲି ବହୁ ପୂର୍ବତନ ଖେଳାଳି ଓ ଭାଷ୍ୟକାର ମତ ଦେଇଛନ୍ତି । ଗତ ଆଇପିଏଲ ପରଠୁ ଇତି ମଧ୍ୟରେ କିଷନ ଟି-ଟ୍ୱେଣ୍ଟିରେ ୧୦୭୮ ରନ ସଂଗ୍ରହ କରିଛନ୍ତି । ଅଧିନାୟକ ଭାବେ ଝାଡ଼ଖଣ୍ଡକୁ ସେ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଚାମ୍ପିଅନ୍ କରାଇଛନ୍ତି । ସେ ଆଜି ସନରାଇଜର୍ସ ଦଳର ନେତୃତ୍ୱ ନେବେ ।
କିଷନଙ୍କ ବ୍ୟତୀତ ଅଭିଷେକ ଶର୍ମା, ବିରାଟ କୋହଲି ଓ କୃନାଲ୍ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବା ଆଶା କରାଯାଇପାରେ । କୃନାଲ୍ ଗତ ଆଇପିଏଲରେ ୧୭ଟି ୱିକେଟ୍ ନେଇ ରୟାଲ୍ ଚ୍ୟାଲେଞ୍ଜର୍ସକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ଚିନ୍ନାସ୍ୱାମୀରେ କୋହଲି ୯୪ଟି ଆଇପିଏଲ୍ ମ୍ୟାଚ ଖେଳି ୩୨୦୨ ରନ ସଂଗ୍ରହ କରିଛନ୍ତି ।
ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ ବ୍ୟାଟରଙ୍କ ଭୁସ୍ୱର୍ଗ କହିଲେ ଭୁଲ ହେବ ନାହିଁ । ବ୍ୟାଟିଂ ଅନୁକୂଳ ପିଚ୍ ଓ ଛୋଟ ବାଉଣ୍ଡାରୀରେ ରନ ବର୍ଷା ହେବ । ତଥାପି ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଏକାଦଶ
ସନରାଇଜର୍ସ ହାଇଦ୍ରାବାଦ:- ଟ୍ରେଭିସ ହେଡ୍, ଅଭିଷେକ ଶର୍ମା, ଇଶାନ କିଷନ (ଅଧିନାୟକ), ହେନରିକ କ୍ଲାସେନ, ଅନିକେତ ବର୍ମା, ଲାଏମ ଲିଭିଂଷ୍ଟୋନ, ନୀତିଶ କୁମାର ରେଡ୍ଡୀ, ହର୍ଷଲ ପଟେଲ, ହର୍ଷ ଦୁବେ, ବ୍ରାଇଡନ କାର୍ସ, ଜୟଦେବ ଉନାକାତ । ଇମ୍ପାକ୍ଟ ସବ: ଜୀସନ ଅନ୍ସାରୀ ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ:- ଫିଲ ସଲ୍ଟ, ବିରାଟ କୋହଲି, ଦେବଦତ୍ତପାଡ଼ିକଲ, ରଜତ ପାତିଦାର (ଅଧିନାୟକ),ଜିତେଶ ଶର୍ମା, ଟିମ ଡେଭିଡ୍, କୃନାଲ୍ପାଣ୍ଡ୍ୟା, ରୋମାରିଓ ସେଫର୍ଡ, ଭୁବନେଶ୍ୱରକୁମାର, ସୂୟାଶ ଶର୍ମା, ଜାକବ ଡଫି ।ଇମ୍ପାକ୍ଟ ସବ: ମଙ୍ଗେଶ ଯାଦବ ।