ଚେନ୍ନାଇ, ୧୧/୩ : ଟି-୨୦ ବିଶ୍ବକପ ସରିବା ପରେ ଏବେ ଆଇପିଏଲ ଉପରେ କ୍ରିକେଟପ୍ରେମୀଙ୍କ ନଜର । ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଛି । ତେବେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ଥର ଚାମ୍ପିୟନ କରିଥିବା ମନ୍ଦେ୍ରସିଂହ ଧୋନୀ କେବେ ଅବସର ଗ୍ରହଣ କରିବେ ? ଏହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳିଥାଏ । ଚଳିତ ସିଜିନରେ ମଧ୍ୟ ସେ ଖେଳିବାକୁ ଯାଉଛନ୍ତି । କିନ୍ତୁ ସିଏସକେରେ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ରହିଥିବାବେଳେ ଧୋନୀଙ୍କ ଭୂମିକା କଣ ରହିବ ? ଯାହାର ଉତ୍ତର ରଖିଛନ୍ତି ଦଳର ସିଇଓ ।
ଦଳର ସିଇଓ କହିଛନ୍ତି କି, ଧୋନୀ ସମ୍ପୂର୍ଣ୍ଣ ଟୁର୍ଣ୍ଣମେଣ୍ଟରେ ଖେଳିବେ । ତେବେ ସେ କେଉଁ ଭୂମିକାରେ ମଇଦାନକୁ ଓହ୍ଲାଇବେ ତାହା ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ । ସଞ୍ଜୁ ଦଳରେ ଥିଲେ ମଧ୍ୟ ଧୋନୀ ହେଉଛନ୍ତି ଜଣେ ଅଭିଜ୍ଞ ଖେଳାଳି ଏଣୁ ତାଙ୍କ ଉପସ୍ଥିତି ଦଳ ପାଇଁ ଅନେକ ଲାଭଦାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି ।
ସେପଟେ ଆଣ୍ଠୁରେ ଯନ୍ତ୍ରଣା ଥାଇ ମଧ୍ୟ ଦୁଇଟି ସିଜିନରେ ଧୋନୀ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଖେଳ ଜାରି ରଖିଛନ୍ତି । ୪୪ ବର୍ଷୀୟ ଧୋନି କିଛିଦିନ ପୂର୍ବରୁ ରଞ୍ଚିରେ ହାଲକା ଭାବେ ନେଟ ପ୍ରାକ୍ଟିସ କରିଥିଲେ । ମାତ୍ର ଏବେ ସେ ସିଏସକେ କ୍ୟାମ୍ପରେ ଯୋଗ ଦେଇ ଅଭ୍ୟାସ ଜାରି ରଖିଛନ୍ତି । ୨୦୨୫ ସମୟରେ ସେ ଅଧାରୁ ଅଧିନାୟକ ପଦ ଛାଡ଼ିଥିଲେ । ଗାଏକ୍ବାଡ ତାଙ୍କ ବଦଳରେ ଦଳର ଭାର ସମ୍ଭାଳିଥିଲେ । ଆଇପିଏଲରେ ପାଞ୍ଚଥର ଚାମ୍ପିୟନ ହୋଇଥିବା ସିଏସକେ ଗତ ସିଜିନରେ ଭଲ ପ୍ରଦର୍ଶନ କରିନଥିଲା । ମାତ୍ର ଏବେ ସଞ୍ଜୁ ଦମଦାର ଫର୍ମରେ ରହିଥିବାବେଳେ ଦଳ ବଡ଼ ପରିବର୍ତ୍ତନ ସହ ପୁରିଥରେ ଟାଇଟଲ ହାସଲ ପାଇଁ ଦାବିଦାର ହେବ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି ।
ଏହାସହ ପଢ଼ନ୍ତୁ : ଅଲଗା ଧର୍ମର ଯୁବକଙ୍କୁ ବାହାହେଲେ ଭାଇରାଲ ଗାର୍ଲ ମୋନାଲିସା, ସୁରକ୍ଷା ପାଇଁ ନେଲେ ଆଇନର ଆଶ୍ରୟ