ନୂଆଦିଲ୍ଲୀ,୧୮।୧:ଇରାନରେ ଡିସେମ୍ବର ୨୦୨୫ ଶେଷରୁ ଆରମ୍ଭ ହୋଇଥିବା ବିରୋଧ ଏବେ ସାରା ଦେଶକୁ ଦୋହଲାଇ ଦେଇଛି। ପ୍ରାରମ୍ଭିକ ଆର୍ଥିକ ପ୍ରସଙ୍ଗ ଭଳି ଦରଦାମ୍ ବୃଦ୍ଧି ଓ ରିୟାଲ ହ୍ରାସକୁ ନେଇ ଆରମ୍ଭ ହୋଇଥିଲା ବିବାଦ। କିନ୍ତୁ ଏହା ଖୁବ୍ ଶୀଘ୍ର ସରକାର ବିରୋଧି ଆନ୍ଦୋଳନରେ ବଦଳି ଯାଇଛି। ଯେଉଁଥିରେ ସୁପ୍ରିମ ଲିଡର୍ ଆୟାତୁଲ୍ଲା ଅଲ୍ଲୀ ଖାମନେଇଙ୍କ ବିରୋଧରେ ନାରା ଲଗାଯାଉଛି। ଏହି ନୂଆ ରିପୋର୍ଟରେ ଦାବି କରାଯାଉଛି ଯେ, ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନରେ ଅତି କମ୍ରେ ୧୬,୫୦୦ ପ୍ରଦର୍ଶନକାରୀ ନିହତ ହୋଇଥିବା ବେଳେ ୩ ଲକ୍ଷ ୩୦ ହଜାରରୁ ଅଧିକ ଆହତ ହୋଇଛନ୍ତି। ଅଧିକାଂଶ ପୀଡିତ ୩୦ ବର୍ଷରୁ ଅତି କମ୍ ବୟସର ଯୁବପୀଢି ଅଛନ୍ତି। ଏହି ରିପୋର୍ଟ ତୃଣମୂଳ ସ୍ତରରେ ନିଯୁକ୍ତ ଡାକ୍ତରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପ୍ରସ୍ତୁତ କରାଯାଇଛି।
ଆମେରିକା ସ୍ଥିତ ହ୍ୟୁମାନ ରାଇଟ୍ ଆକ୍ଟିଭିଷ୍ଟ ନ୍ୟୁଜ ଏଜେନ୍ସି(HRANA) ପକ୍ଷରୁ ୩,୦୯୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି। ଯେଉଁଥିରେ ଅଧିକାଂଶ ପ୍ରଦର୍ଶନକାରୀ ରହିଛନ୍ତି। ଏହା ସହ ୨୨ ହଜାରରୁ ଅଧିକଙ୍କୁ ଗିରଫ କରାଯାଇଛି। ସୁପ୍ରିମ ଲିଡର ଆୟାତୁଲା ଖାମେନୀ ପ୍ରଥମ ଥର ସାର୍ବଜନିକ ରୂପରେ ସ୍ବୀକାର କରିଛନ୍ତି ସଂଘର୍ଷରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ଏହି ଘଟଣା ପାଇଁ ଦାୟୀ କରିବା ସହ ତାଙ୍କୁ ଅପରାଧି ବୋଲି କହିଛନ୍ତି। ଏହା ସହ ପ୍ରଦର୍ଶନକାରୀଙ୍କୁ ଆମେରିକାର ଫୁଟ୍ ସୋଲଜର ଘୋଷଣା କରିଛନ୍ତି। ରିପୋର୍ଟରେ ଡାକ୍ତରମାନେ କହିଛନ୍ତି,ମୃତ ଏବଂ ଆହତଙ୍କ ମୁଣ୍ଡ, ବେକ ଓ ଛାତିରେ ଗୁଳି ବାଜିଛି। ଏହି କଥା ସେନା-ଗ୍ରେଡ୍ର ହତିଆର ବ୍ୟବହାରକୁ ଦର୍ଶାଉଛି।
ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମେନୀ ନିକଟରେ ସ୍ବୀକାର କରିଛନ୍ତି, ଗତ ଦୁଇ ସପ୍ତାହ ହେବ ଜାରି ବିରୋଧ ପ୍ରଦର୍ଶନରେ ହଜାର ହଜାର ଇରାନ ନାଗରିକ ନିହତ ହୋଇଛନ୍ତି। ଖାମେନୀ ଏହି ମୃତ୍ୟୁ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ସିଧାସଳଖ ଭାବରେ ଦାୟୀ କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ ଖୋଲାଖୋଲି ଭାବରେ ପ୍ରଦର୍ଶନକାରୀଙ୍କୁ ଉସକାଇବା ସହ ତାଙ୍କୁ ଆମେରିକାର ସାମରିକ ସମର୍ଥନ ଦେବାର ପ୍ରତିଶ୍ରୁତି ଦେଇଥିଲେ। ତେବେ ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଇରାନରରେ ଏକ ସପ୍ତାହ ବନ୍ଦ ପରେ ରବିବାର ସ୍କୁଲ ପୁଣିଥରେ ଖୋଲିଛି। ଜର୍ମାନ-ଇରାନ ଚକ୍ଷୁ ବିଜ୍ଞାନ ପ୍ରଫେସର ଅମିର ପରସ୍ତା ଏହାକୁ ‘ଡିଜିଟାଲ ଅନ୍ଧାର କବରରେ ନରସଂହାର’ ବୋଲି କହିଛନ୍ତି। ତେହେରାନର ମୁଖ୍ୟ ହସ୍ପିଟାଲର ସୂଚନା ଅନୁସାରେ,ହଜାର ହଜାର ଲୋକଙ୍କ ଆଖିରେ ଆଘାତ ଲାଗି। ତାଙ୍କ ଭିତରୁ ୭୦୦ ରୁ ୧୦୦୦ ଲୋକ ନିଜ ଆଖି ହରାଇ ସାରିଛନ୍ତି। ବହୁ ଲୋକଙ୍କ ଭିତରେ ରକ୍ତର ଅଭାବ ମଧ୍ୟ ଦେଖିବାକୁ ମିଳିଛି, କାରଣ ସୁରକ୍ଷା ବଳ କିଛି ମାମଲାରେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନର ଅନୁମତି ଦେଇ ନାହାଁନ୍ତି। ଇଣ୍ଟରନେଟ୍ ବ୍ଲାକଆଉଟ୍ କାରଣରୁ ଦେଶର ସୂଚନା ଆଦାନ ପ୍ରଦାନ ପ୍ରଭାବିତ ହୋଇଛି। ଫଳରେ ଇରାନ ଦୁନିଆଠାରୁ ଅଲଗା ହୋଇପଡିଛି।
ଆହୁରି ପଢନ୍ତୁ :ଅସୁସ୍ଥ ଆଷ୍ଟ୍ରୋନଟଙ୍କ ସହ ଚାରି ମହାକାଶଯାତ୍ରୀ ପୃଥିବୀ ଫେରିଲେ, କାର୍ଲିଫର୍ଣ୍ଣିଆ ନିକଟରେ ଲ୍ୟାଣ୍ଡ କଲା ଡ୍ରାଗନ୍ କ୍ୟାପସୁଲ