ତେହରାନ, ୧୧/୦୩ : ହୋର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ନେଇ ଇରାନର  ନୂଆ ସର୍ତ୍ତ । ରିପୋର୍ଟ ଅନୁସାରେ, ଇରାନ ସେନା ଇସ୍‌ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି) କହିଛି, କିଛି ଦେଶକୁ ହୋର୍ମୁଜ ପ୍ରଣାଳୀ ରାସ୍ତାରେ ଜାହାଜ ଚଳାଚଳ ପାଇଁ ଅନୁମତି ମିଳିପାରିବ । କିନ୍ତୁ ଏଥିଲାଗି ସେହି ଦେଶଗୁଡ଼ିକ ପ୍ରଥମେ ଇସ୍ରାଏଲ ଏବଂ ଆମେରିକା ରାଷ୍ଟ୍ରଦୂତଙ୍କୁ ନିଜ ଦେଶରୁ ତଡ଼ିବାକୁ ପଡ଼ିବ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହୋର୍ମୁଜ ପ୍ରଣାଣୀକୁ କବ୍‌ଜା କରିବାକୁ ଧମକ ଦେବା ପରେ ଇରାନ କହିଛି ଯେ, ଯେ ପର୍ଯ୍ୟନ୍ତ ଇରାନ ଉପରେ ଆକ୍ରମଣ ଜାରି ରହିବ ସେ ପର୍ଯ୍ୟନ୍ତ ମଧ୍ୟପ୍ରାଚ୍ୟରୁ ଗୋଟିଏ ଲିଟର ବି ତେଲ ବାହାରକୁ ଯାଇପାରିବନି । ଓମାନ ଏବଂ ଇରାନ ମଧ୍ୟରେ ଥିବା ହୋର୍ମୁଜ ଷ୍ଟ୍ରେଟ୍‌ ଦୁନିଆର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ରାସ୍ତା । ପ୍ରତିବର୍ଷ ବିଶ୍ୱର ପ୍ରାୟ ୨୦% ତୈଳ ଯୋଗାଣ ଏହି ରାସ୍ତା ଦେଇ ହୋଇଥାଏ । ତେବେ ଆମେରିକୀୟ ମିଡିଆରେ ଭିନ୍ନ ରିପୋର୍ଟ ପ୍ରକାଶ ପାଇଛି । ସେଥିରେ ଜଣେ ଇରାନୀ ଅଧିକାରୀ ପକ୍ଷରୁ କୁହାଯାଇଛି ଯେ, ଇରାନ ଏହି ରାସ୍ତା ଦେଇ ଯାଉଥିବା ତୈଳ ଟ୍ୟାଙ୍କର ଏବଂ ବ୍ୟବସାୟିକ ଜାହାଜ ଉପରେ ସିକ୍ୟୁରିଟି ଟାକ୍ସ ଅର୍ଥାତ ସୁରକ୍ଷା ଶୁଳ୍କ ଲାଗିବ, ବିଶେଷକରି ଆମେରିକାର ସହଯୋଗୀ ଦେଶଗୁଡ଼ିକ ଉପରେ । ଦୁନିଆରେ ତୈଳ ମୂଲ୍ୟ ଉପରେ ନିୟନ୍ତ୍ରଣ ଏବେ ଇରାନ ହାତରେ ରହିଛି । ଆମେରିକା ଏବେ କେବଳ ଅପେକ୍ଷା କରି ଇରାନର ପରବର୍ତ୍ତୀ ପଦକ୍ଷେପକୁ ଦେଖିବାକୁ ପଡ଼ିବ । ଏବେ ଶକ୍ତି ବଜାର ଅସ୍ଥିର ହୋଇଯାଇଛି ଏବଂ ଟ୍ରମ୍ପ୍‌ ପରାଜୟ ସ୍ୱୀକାର ନ କରିବା ପର୍ଯ୍ୟନ୍ତ ଇରାନ ଯୁଦ୍ଧ ଲଢ଼ିବା ଜାରି ରଖିବ ।  

ଟ୍ରମ୍ପ୍‌ ଏକ ସାକ୍ଷାତକାରରେ କହିଥିଲେ ଯେ, ଯଦି ଇରାନ ବୈଶ୍ୱିକ ତୈଳ ଯୋଗାଣରେ ବାଧା ସୃଷ୍ଟି କରିବ ତେବେ ଆମେରିକା ୨୦ ଗୁଣା ଅଧିକ ବଳ ଲଗାଇ ଆକ୍ରମଣ କରିବ । ଏଥିରେ ଇରାନ ଦେଶ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯିବ, ଯାହା କି ଇରାନ କେବେ ବି କଳ୍ପନା କରି ନ ଥିବ । ଏବେ ହୋର୍ମୁଜ ରାସ୍ତା ଖୋଲା ଅଛି ଏବଂ ଆମେରିକା ତାହାକୁ କବ୍‌ଜା କରିବାକୁ ବିଚାର କରୁଛି ।

ଏହି ଖବରଟିକୁ ପଢନ୍ତୁ- ହୋର୍ମୁଜରେ ଫସିଛି ୩୮ ଭାରତୀୟ ଜାହାଜ, ସୁରକ୍ଷିତ ଫେରାଇ ଆଣିବାକୁ ଯୁଦ୍ଧଜାହାଜ ପଠାଇବେ ସରକାର