ନୂଆଦିଲ୍ଲୀ,୨୦/୦୬:ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଘାତକ ହୋଇଚାଲିଛି ।ପରସ୍ପର ଉପରେ ମିସାଇଲ୍‌ ମାଡ଼ କରିଚାଲିଛନ୍ତି ଉଭୟ ରାଷ୍ଟ୍ର । ଉଭୟ ଦେଶ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ  ଇରାନ୍‌ରେ ବାଜି ଲାଗିଛି ଭାରତର ୫୫ କୋଟି ଡଲାରର ନିବେଶ ।  ଇରାନରେ ଭାରତର ବ୍ୟାପାରିକ ସହଯୋଗିତା ଆଖିଦୃଶିଆ ରହିଛି । ମୁଖ୍ୟତଃ ଚବାହର ବନ୍ଦର ଉପରେ ଭାରତର ଫୋକସ୍‌ ରହିଥିବା ବେଳେ ଏହା ଇଣ୍ଡିଆ ପୋର୍ଟ ଗ୍ଲୋବାଲ ଲିମିଟେଡ୍‌ ମାଧ୍ୟମରେ ସଂଚାଳିତ ଏକ ମହତ୍ୱପୂର୍ଣ୍ଣ ସମ୍ପତ୍ତି । ଏହି ବନ୍ଦର ଭାରତକୁ ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆ ପାଇଁ ଏକ ରଣନୀତିକ ରାସ୍ତା ପ୍ରଦାନ କରିଥାଏ । 

ହେଲେ ବର୍ତ୍ତମାନ ଇରାନ-ଇସ୍ରାଏଲ୍‌ ମଧ୍ୟରେ ବଢୁଥିବା ଯୁଦ୍ଧ ଯୋଗୁ ଏହି ବନ୍ଦର ସଂକଟ ମଧ୍ୟକୁ ଆସିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । କାରଣ ଯୁଦ୍ଧରେ ଆମେରିକାର ଭାଗିଦାରୀ ବଢୁଛି ଏବଂ ପାଶ୍ଚାତ୍ୟ ପ୍ରତିବନ୍ଧକ ଲଗାତର ବାଧକ ସାଜୁଛି।ଯାହା ବନ୍ଦରର ବିକାଶ ଏବଂ ରେଳ ସଂଯୋଗ ଉଭୟକୁ କରୁଛି ଜଟିଳ । ୨୦୨୪ ମେ’ ସୁଦ୍ଧା ଭାରତ ଚବାହରରେ ଶାହିଦ ବେହେସ୍ତି ଟର୍ମିନାଲର ପରିଚାଳନା ପାଇଁ ୧୦ ବର୍ଷିଆ କଣ୍ଟ୍ରାକ୍ଟ ହାସଲ କରିଛି । ଆଇପିଜିଏଲ୍‌ ଇରାନର ଆରିୟା ବାନାଡର ସହଯୋଗିତାରେ ଏହି ବନ୍ଦରର ତଦାରଖ କରୁଛି । ବନ୍ଦରର ବିକାଶ ପାଇଁ ଭାରତ ମୋଟା ନିବେଶ କରିଛି । ଏହା ପୂର୍ବରୁ ୨୦୧୭ରେ ଆଦାନି ଗ୍ରୁପ୍‌ ଏବଂ ଏସାର୍‌ ଭଳି ଘରୋଇ କମ୍ପାନି ଏହାର ପରିଚାଳନା ପାଇଁ ରୁଚି ଦେଖାଇଥିଲେ । ଏହି ବନ୍ଦର ଭାରତକୁ ଇରାନ, ଆଫଗାନିସ୍ତାନ, ମଧ୍ୟ ଏସିଆ ଏବଂ ୟୁରୋପ ସହ ବ୍ୟାପାର କରିବା ପାଇଁ ଏକ ବୈପ୍ଳବିକ ଏବଂ ଛୋଟ ମାର୍ଗ ପ୍ରଦାନ କରିଥାଏ । 

ଭାରତ ଚବାହର ବନ୍ଦରର ବିକାଶ ପାଇଁ ୨୦ କୋଟି ଆମେରିକୀୟ ଡଲାରରୁ ଅଧିକ ନିବେଶ କରିଛି ଏବଂ ବନ୍ଦରରେ ଏକ ଟର୍ମିନାଲ ବିକାଶ ନିମନ୍ତେ ୭୦୦ କୋଟି ଟଙ୍କାର ନିବେଶ କରିବା ପାଇଁ ଘୋଷଣା କରିଛି । ଏହାବ୍ୟତୀତ ବର୍ଥ ଅପ୍‌ଗ୍ରେଡ୍‌ ପାଇଁ ୮.୫ କୋଟି ଡଲାର ନିବେଶ, ୧୫ କୋଟି ଡଲାରର ଏକ୍‌ଜିମ୍‌ ବ୍ୟାଙ୍କ ଲାଇନ୍‌ ଅଫ୍‌ କ୍ରେଡିଟ୍‌ ଏବଂ ଚବାହରଜାହେଦାନ ରେଳପଥ ପାଇଁ ଇସ୍ପାତ ଆମଦାନିକୁ ସୁବିଧାଜନକ କରିବା ପାଇଁ ୪୦ କୋଟି ଡଲାରର ପୃଥକ ଲାଇନ୍‌ ଅଫ୍‌ କ୍ରେଡିଟ୍‌ ରହିଛି । ପ୍ରକାଶଯୋଗ୍ୟ, ଶାହିଦ ବେହେସ୍ତି ଟର୍ମିନାଲ ଇରାନ୍‌ର ଦ୍ୱିତୀୟ ସର୍ବବୃହତ୍‌ ବନ୍ଦର । ଚବାହର-ଜାହେଦାନ ରେଳ ପ୍ରକଳ୍ପ ଅଧୀନରେ ଚବାହର ବନ୍ଦରକୁ ୨୦୨୬ ସୁଦ୍ଧା ଇରାନ୍‌ର ରେଳ ନେଟ୍‌ୱର୍କ ସହ ଯୋଡ଼ିବାର ଯୋଜନା ରହିଛି । ବର୍ତ୍ତମାନ ଘମାଘୋଟ ଯୁଦ୍ଧ ମଧ୍ୟରେ ଭାରତର ନିବେଶଗୁଡ଼ିକ ଉପରେ ସଂକଟ ମାଡ଼ି ଆସିପାରେ ବୋଲି ଆଶଙ୍କା କରାଯାଉଛି ।