ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ଏବଂ ବୈଶ୍ବିକ ଚିନ୍ତାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡକାଯାଇଥିବା ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ହେଲେ ତୃଣମୂଳ କଂଗ୍ରେସ (TMC) ଏହି ବୈଠକକୁ ବର୍ଜନ କରିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ବୈଠକରେ ସାମିଲ ହୋଇନାହାଁନ୍ତି, କାରଣ ଗୋଟିଏ ଦିନ ପୂର୍ବରୁ ସେ ଘୋଷଣା କରିଥିଲେ ଯେ, ସେ କେରଳରେ ଏକ କାର୍ଯ୍ୟକ୍ରମ ଯୋଗୁଁ ବୈଠକରେ ଯୋଗଦେବେ ନାହିଁ। ଏହି ସମୟରେ ସେ କେନ୍ଦ୍ର ସରକାରଙ୍କୁ ବୈଦେଶିକ ନୀତି ଉପରେ କଡ଼ା ସମାଲୋଚନା କରିଥିଲେ। ବୈଠକରେ ମଧ୍ୟପ୍ରାଚ୍ୟ ପରିସ୍ଥିତି ଉପରେ ଆଲୋଚନା କରାଯିବ ଏବଂ ବିରୋଧୀଙ୍କ ପରାମର୍ଶକୁ ବିଚାରକୁ ନିଆଯିବ।

ବୈଠକର ଅଧ୍ୟକ୍ଷତା କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ...

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ କହିଛନ୍ତି ଯେ, ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧରୁ ସୃଷ୍ଟି ହୋଇଥିବା ପରିସ୍ଥିତିର ସମାଧାନ ପାଇଁ ସାତଟି ନୂତନ ସଶକ୍ତ ଗୋଷ୍ଠୀ ଗଠନ କରାଯାଇଛି ଏବଂ ସେମାନେ ନିୟମିତ ଭାବରେ LPG, ଅତ୍ୟାବଶ୍ୟକୀୟ ସେବା ଏବଂ ବିଭିନ୍ନ କ୍ଷେତ୍ର ସହିତ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡ଼ିକର ମୂଲ୍ୟାଙ୍କନ ଏବଂ ପରାମର୍ଶ ପ୍ରଦାନ କରିବେ। ତଥାପି ସରକାର କହିଛନ୍ତି ଯେ, ଦେଶରେ ତେଲ ଏବଂ ଗ୍ୟାସର କୌଣସି ଅଭାବ ନାହିଁ।

ଏହି ନେତାମାନେ ବୈଠକରେ ଯୋଗ ଦେଇଛନ୍ତି...

ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ଅଛନ୍ତି। ବିଜେଡିରୁ ସସ୍ମିତ ପାତ୍ର ସର୍ବଦଳୀୟ ବୈଠକ ପାଇଁ ପହଞ୍ଚିଛନ୍ତି। ଜେଡିୟୁରୁ ଲଲନ୍ ସିଂ ଏବଂ ସଞ୍ଜୟ ଝା, କଂଗ୍ରେସରୁ ତାରିକ ଅନୱର ଏବଂ ମୁକୁଲ ୱାସନିକ୍, ସିପିଆଇଏମରୁ ଜନ୍ ବ୍ରିଟାସ୍, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏବଂ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ପୁରୀ ବୈଠକ ପାଇଁ ପହଞ୍ଚିଛନ୍ତି।

ସର୍ବଦଳୀୟ ବୈଠକ ସମ୍ପର୍କରେ ଟିଏମସି ସାଂସଦ ସୌଗତ ରାୟ କହିଛନ୍ତି, "ଆମର ସମ୍ପୂର୍ଣ୍ଣ ଲଢ଼େଇ ବିଜେପି ସହିତ । ଆମେ ସେମାନଙ୍କ ସହିତ କାହିଁକି ଭେଟିବୁ ?" ସେ କହିଛନ୍ତି ଯେ ସେ ସର୍ବଦଳୀୟ ବୈଠକରେ ଯୋଗଦେବେ ନାହିଁ। ଏନଡିଏ ନେତା ମାନେ ସର୍ବଦଳୀୟ ବୈଠକକୁ ଯଥାର୍ଥ କରିଛନ୍ତି। ସେମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସବୁକିଛି ସ୍ପଷ୍ଟ କରିସାରିଛନ୍ତି। ସମସ୍ତ ନିଷ୍ପତ୍ତି ଜନହିତରେ ନିଆଯିବ।

ଏହା ସହ ପଢନ୍ତୁ : ‘ଆମେରିକା ସହ ହେବନି କୌଣସି ଆଲୋଚନା'...ପାକିସ୍ତାନ ମାଟିରୁ ଆମେରିକାକୁ ଇରାନର ଶକ୍ତ ସନ୍ଦେଶ...