ତେହେରାନ,୪।୨: ଇରାନରେ ଜେନ୍-ଜି ପ୍ରଦର୍ଶନ ବେଳେ ସୁରକ୍ଷାବାହିନୀ ସେଥିରେ ସାମିଲ ମହିଳାଙ୍କୁ ବଳାତ୍କାର କରିଛନ୍ତି । ସେମାନେ ପ୍ରଦର୍ଶନକାରୀ ମହିଳାଙ୍କ ବିରୋଧରେ ବଳାତ୍କାର ସହ ଚେହେରାକୁ ବିକୃତ କରିବାକୁ ଅସ୍ତ୍ର କରିଥିଲେ । ଯାହାଫଳରେ ଲୋକଙ୍କ ଭିତରେ ଭୟ ବଢ଼ିବ । ସେମାନେ ପ୍ରଦର୍ଶନ କରିବାକୁ ଆସିବେ ନାହିଁ । ସଂଘର୍ଷ ବନ୍ଦ ହେବ । ଇରାନୀ-ଜର୍ମାନ ସାମ୍ବାଦିକ ମିଶେଲ ଅବଦୋଲାହି ଏଭଳି ଦାବି କରିଛନ୍ତି ।
ଡେଲି ମେଲ୍ ରିପୋର୍ଟ ଅନୁସାରେ ଅବଦୋଲାହି ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି କି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ତାଙ୍କୁ ଏଭଳି ଚାଞ୍ଚଲ୍ୟକର ସୂଚନା ମିଳିଛି । ସେ ଅଭିଯୋଗ କରିଛନ୍ତି ଯେ ଗିରଫ ହୋଇଥିବା ମହିଳାଙ୍କୁ ବଳାତ୍କାର କରାଯାଉଛି । ସେମାନଙ୍କର ଗର୍ଭାଶୟକୁ ବାହାରକୁ କାଢ଼ି ଦିଆଯାଉଛି । କେଶ ସହ ମୁଣ୍ଡ ଖପୁରୀକୁ ବାହାର କରିଦିଆଯାଉଛି । ସେମାନଙ୍କ ଶରୀର ସାରା ସିଗାରେଟ ଚେଙ୍କ ମଧ୍ୟ ଦିଆଯାଉଛି । କେତେକ କ୍ଷେତ୍ରରେ ମହିଳାଙ୍କୁ ଏଭଳି ବିକୃତ କରାଯାଉଛି ଯେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡୁଛି । ଅନେକ ମହିଳାଙ୍କୁ ହତ୍ୟା କରାଯାଉଛି । ସେମାନଙ୍କ ମୃତଦେହକୁ ଗାୟବ କରିଦିଆଯାଉଛି । ଏପରିକି ପିଲାଙ୍କ ସହିତ ମଧ୍ୟ ଏଭଳି ଜଘନ୍ୟ ଘଟଣା ଘଟାଯାଉଛି । ଇରାନର ଖାମନେଇ ସରକାର ସେନାକୁ ଏଭଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବି ପଢନ୍ତୁ...ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କାଟି ଚୋରି କରିନେଲେ ଦୁର୍ବୃତ୍ତ, କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ
ଜର୍ମାନୀର ଏକ ଖବରକାଗଜ ଡାଇଭେଲ୍ଟ ପ୍ରତ୍ୟକ୍ଷଦର୍ଶୀଙ୍କ ଉକ୍ତିକୁ ଉଦ୍ଧାର କରି ଲେଖିଛି ଯେ, ପ୍ରଦର୍ଶନରେ ସାମିଲ ହୋଇଥିବା ମହିଳାମାନଙ୍କୁ ସୁରକ୍ଷାବାହିନୀର ଗାର୍ଡମାନେ ଗାଡିରେ ପଶୁଙ୍କ ଭଳି ଲଦି ନେଉଛନ୍ତି । ସେମାନଙ୍କୁ ହତ୍ୟା କରାଯିବା ପୂର୍ବରୁ ବଳାତ୍କାର କରାଯିବ ବୋଲି ଧମକ ଦେଉଛନ୍ତି । ହାଜତରେ ରଖାଯାଇଥିବା ମହିଳା ପ୍ରଦର୍ଶନକାରୀଙ୍କୁ ବଳପୂର୍ବକ ନଗ୍ନ କରାଯାଉଛି । ଅଜଣା ସାମଗ୍ରୀରେ ସେମାନଙ୍କୁ ଇଞ୍ଜେକସନ ଦିଆଯାଉଛି । ଦି ଗାର୍ଡିଅନ ଖବରକାଗଜ ମଧ୍ୟ କେରମାନଶାହ ସହରରେ ଜଣେ ୧୬ ବର୍ଷୀୟା ଯୁବତୀଙ୍କୁ ଏକାଧିକ ବ୍ୟକ୍ତି ଯୌନ ଉତ୍ପୀଡନ କରିଥିବାର ଖବର ପ୍ରକାଶ କରିଛି । ସୁରକ୍ଷାକର୍ମୀ ତାଙ୍କୁ ଶରୀରର ସମ୍ବେଦନଶୀଳ ସ୍ଥାନରେ ମାଡ଼ ମାରିଛନ୍ତି ।