ନୂଆଦିଲ୍ଲୀ,୧୪/୦୧: ଦରଦାମ ବୃଦ୍ଧି ବିରୋଧରେ ଇରାନରେ ଚାଲିଥିବା ପ୍ରତିବାଦ ଭୟଙ୍କର ରୂପ ନେଇଛି । ଅନ୍ଦୋଳନକୁ ଦମନ କରିବାକୁ ଖାମେନେଇ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଇରାନ୍ ଭିତରେ ଏବଂ ବାହାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୧୮ ଦିନ ଧରି ଚାଲିଥିବା ଆନ୍ଦୋଳନରେ ୨୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । ଆନ୍ଦୋଳନକାରୀଙ୍କୁ ଦେଖିବା ମାତ୍ର ଗୁଳି କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଇରାନ୍ ସରକାର । ଇରାନ୍ ଉପରେ କଡ଼ା ନଜର ରଖିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯେକୌଣସି ମୂହୁର୍ତ୍ତରେ ଆକ୍ରମଣ କରିପାରେ ଆମେରିକା । ୨୬ ବର୍ଷୀୟ ପ୍ରତିବାଦକାରୀ ଇରଫାନ ସୋଲତାନି ଯାହାଙ୍କୁ ଟ୍ରମ୍ପଙ୍କ ବନ୍ଧୁ ବୋଲି କୁହାଯାଉଛି ତାଙ୍କୁ ଫାଶୀ ଦେବାର ସମ୍ଭାବନା ରହିଛି । ଏହାକୁ ନେଇ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଖେଳ ଶେଷ ଜିତିବା । ଯଦି ପ୍ରକିବାଦକାରୀଙ୍କୁ ଫାଶୀ ଦିଆଯାଏ ତେବେ ଇରାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ଆନ୍ଦୋଳନକାରୀଙ୍କୁ ଉସକାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ସହାୟତା ଆସୁଛି ସରକାରୀ ପ୍ରତିଷ୍ଠାନକୁ କବଜା କର ବୋଲି କହିଛନ୍ତି ।
ମାଡ଼ିଚାଲ, ସହାୟତା ଆସୁଛି- ଇରାନରେ ବିକ୍ଷୋଭକାରୀଙ୍କ ଉପରେ ଦମନଲୀଳା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । ଇରାନବାସୀ ବିକ୍ଷୋଭ ଜାରି ରଖନ୍ତୁ, ସେମାନଙ୍କ ପାଇଁ ସହାୟତା ଆସୁଛି ବୋଲି ଟ୍ରମ୍ପ୍ କହିଛନ୍ତି । ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟ କରି ଟ୍ରମ୍ପ୍ ଲେଖିଛନ୍ତି, ‘ଇରାନର ଦେଶଭକ୍ତମାନେ ଆନ୍ଦୋଳନ ଜାରି ରଖ-ନିଜ ନିଜ ସଂସ୍ଥାକୁ କବ୍ଜା କର । ହତ୍ୟାକାରୀଙ୍କ ନାଁ ମନେରଖ । ସେମାନେ ବହୁମୂଲ୍ୟ ଦେବାକୁ ଯାଉଛନ୍ତି । ଯେ ପର୍ଯ୍ୟନ୍ତ ଇରାନ ବିକ୍ଷୋଭକାରୀଙ୍କ ହତ୍ୟା ନ ରୋକିଛି ସେ ପର୍ଯ୍ୟନ୍ତ ଇରାନ ଅଧିକାରୀଙ୍କ ସହ କୌଣସି ଆଲୋଚନା ହେବନାହିଁ । ଖୁବ୍ଶୀଘ୍ର ତୁମମାନଙ୍କ ନିକଟରେ ସହାୟତା ପହଞ୍ଚିବ’ । ଟ୍ରମ୍ପ୍ ପ୍ରଥମେ ଇରାନ ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିଥିବା କହିଥିଲେ ହେଁ ତାହାକୁ ପରେ ବାତିଲ କରିଥିଲେ ।
ଟ୍ରମ୍ପ ଏବଂ ରେଜା ପହଲାଭିଙ୍କ ଭାଷା ସମାନ- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପ୍ରଦର୍ଶକାରୀଙ୍କ ବିରୋଧରେ ଆକ୍ସନ ନେଲେ ଆମେରିକା ସାମରିକା ଆକ୍ସନ ନେବ ବୋଲି ଚେତାବନୀ ଦେଇଛନ୍ତି । ଇରାନ ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇବାର କିଛି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ସମାନ କଥା କହିଛନ୍ତି ଦଶନ୍ଧି ଧରି ବିଦେଶରେ ରହୁଥିବା ଇରାନର ବିରୋଧୀ ଦଳ ନେତା ଏବଂ ଯୁବରାଜ ରେଜା ପହଲାଭି । ସେ ଏକ ପୋଷ୍ଟ କରି ଲେଖିଛନ୍ତି, ମୋର ବନ୍ଧୁଗଣ, ବିଶ୍ୱ ତୁମ ସ୍ୱର ଶୁଣୁଛି, ତୁମ ସାହସ ଦେଖୁଛି । ତୁମେ ରାଷ୍ଟ୍ରପତି ଟ୍ରମ୍ପଙ୍କ କଥା ଶୁଣିଥିବ, ସେ କହିଛନ୍ତି ସାହାଯ୍ୟ ଆସୁଛି । ତୁମେମାନେ ସଂଘର୍ଷ ଜାରି ରଖ ।
ଇରାନରେ ନରସଂହାର ଚଲାଇଛି ଖାମେନେଇ ସରକାର। ବିକ୍ଷୋଭକାରୀଙ୍କୁ କୌଣସି ଦୟା ନ ଦେଖାଇ ସିଧାସଳଖ ଗୁଳିଗୋଳା ବର୍ଷା କରିବାକୁ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ବ୍ରିଟିଶ ୱେବସାଇଟ ଇରାନ ଇଣ୍ଟରନ୍ୟାସନାଲ ଦାବି କରିଛି । ଗତ ୧୭ ଦିନରେ ଇରାନ ସରକାର ପ୍ରାୟ ୧୨,୦୦୦ ବିକ୍ଷୋଭକାରୀଙ୍କୁ ହତ୍ୟା କରିଥିବା ଏହି ୱେବସାଇଟ କହିଛି । ଏବେ ଇରାନ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ଖଣ୍ଡା ବୁଲୁଛି । କୌଣସି ମୂହୁର୍ତ୍ତରେ ଆକ୍ରମଣ କରିପାରେ ଆମେରିକା ।