ନୂଆଦିଲ୍ଲୀ,୨୪/୦୩; ମଧ୍ୟପ୍ରାଚ୍ୟରେ ଗତ ୨୪ ଦିନ ଧରି ଲାଗି ରହିଥିବା ଯୁଦ୍ଧରେ ବ୍ରେକ୍ ଲାଗିଛି । ପଛଘୁଞ୍ଚା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯାହା ସମଗ୍ର ବିଶ୍ୱ ପାଇଁ ଆଶ୍ୱସ୍ତିର ଖବର ଆଣିଦେଇଛି । ଇରାନକୁ ସବୁବେଳେ ଧମକ ଦେଇ ଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଛକୁ ହଟିଛନ୍ତି । ଯୁଦ୍ଧରେ ୫ ଦିନିଆ ବ୍ରେକ୍ ଲାଗିଥିବା ଘୋଷଣା କରିଛନ୍ତି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଇରାନ ଉପରେ ଆକ୍ରମଣ କରାଯିବ ନାହିଁ । ଅନ୍ୟପକ୍ଷରେ ଇରାନ କହିଛି ଟ୍ରମ୍ପ ଡରିଗଲେ । ତେଣୁ ଯୁଦ୍ଧ ବନ୍ଦ କରିବାକୁ ଚାହିଁଲେ । ହେଲେ ଟ୍ରମ୍ପଙ୍କ ୟୁଟର୍ଣ୍ଣ ପରେ ବି ଯୁଦ୍ଧ ଜାରି ରହିଛି । ଇରାନର ପାୱାର ଷ୍ଟେସନ- ଗ୍ୟାସ ଗ୍ରୀଡ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି । କୁଏତରେ ବିଦ୍ୟୁତ୍ ଲାଇନ୍ ବାଧାପ୍ରାପ୍ତ ହୋଇଛି । ହେଲେ ଏହି ଆକ୍ରମଣକୁ ନେଇ ଆମେରିକା କିମ୍ବା ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ଅବିରତ ଜାରି ରହିଛି । ସୋମବାର ଏବଂ ମଙ୍ଗଳବାର ରାତିରେ, ଦୁଇଟି ଗୁରୁତ୍ୱପୂର୍ଣ୍ଣ ଇରାନ ଶିଳ୍ପ ସହର, ଖୋରମସହର ଏବଂ ଇସଫାହାନକୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣଗୁଡ଼ିକ ଇରାନର ପାୱାର ଗ୍ରୀଡ୍ ଏବଂ ଗ୍ୟାସ୍ ଯୋଗାଣ ନେଟୱାର୍କକୁ ବହୁତ କ୍ଷତି ପହଞ୍ଚିଛି । ପାଇପଲାଇନ ଫାଟିଯିବା ଫଳରେ ଖୋରମସହର ପାୱାର ଷ୍ଟେସନର ପାୱାର ଉତ୍ପାଦନ କ୍ଷମତା ବାଧାପ୍ରାପ୍ତ ହୋଇଥିଲା । ସ୍ଥାନୀୟ ରିପୋର୍ଟ ଅନୁସାରେ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଅଞ୍ଚଳରେ ନିଆଁ ଲାଗିଥିବା ଦେଖାଯାଇଥିଲା । ଖାଲି ସେତିକି ନୁହେଁ ଇରାନ ଯୁଦ୍ଧର ନିଆଁ ଏବେ ପଡ଼ୋଶୀ ଦେଶଗୁଡ଼ିକର ବେସାମରିକ ଭିତ୍ତିଭୂମିକୁ ଗ୍ରାସ କରୁଛି । କୁଏତର ଶକ୍ତି ମନ୍ତ୍ରଣାଳୟ  ନିଶ୍ଚିତ କରିଛି ଯେ, ଇରାନୀ ଡ୍ରୋନ ଏବଂ କ୍ଷେପଣାସ୍ତ୍ରକୁ ଏୟାରଡିଫେନ୍ସ  ପ୍ରଣାଳୀରୁ ଆସିଥିବା ଭଗ୍ନାବଶେଷ ଏବଂ ସାରାପନେଲ୍ ଦ୍ୱାରା ଉଚ୍ଚ-ଭୋଲଟେଜ୍ ବିଦ୍ୟୁତ୍ ତାରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।

ଏହା ବି ପଢନ୍ତୁ...ମୁଡିସ୍ ରିପୋର୍ଟ, ମାଡ଼ିଆସୁଛି ବଡ଼ ଆର୍ଥିକ ବିପତ୍ତି ; ଯୁଦ୍ଧରେ ୪୮ ଲକ୍ଷ କୋଟି ସ୍ୱାହା, ଖସିବ ଅଭିବୃଦ୍ଧି  

​​​​​​​ଇରାନ- ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ ଆଲୋଚନା ତୀବ୍ର ହୋଇଛି, କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନୁହେଁ । ଟ୍ରମ୍ପଙ୍କ ଦାବି ପରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ, ତାଙ୍କ ସୁରକ୍ଷା ସ୍ୱାର୍ଥର ଗ୍ୟାରେଣ୍ଟି ନ ମିଳିବା ପର୍ଯ୍ୟନ୍ତ ସାମରିକ ଚାପ ହ୍ରାସ ପାଇବ ନାହିଁ । ଏହି ସମୟରେ, ବିଶ୍ୱ ସମୁଦ୍ର ପଥ ଏବଂ ତୈଳ ଯୋଗାଣର ସୁରକ୍ଷା ପ୍ରତି ସତର୍କ ରହିଛି । ଯଦି ଇସଲାମାବାଦ କିମ୍ବା ଅନ୍ୟ କୌଣସି ନିରପେକ୍ଷ ସ୍ଥାନରେ ପ୍ରସ୍ତାବିତ ଆଲୋଚନା ସଫଳ ହୁଏ, ତେବେ ଏହା ବର୍ତ୍ତମାନ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଚୁକ୍ତି ହୋଇପାରେ ।