ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ଧୀରେ ଧୀରେ ଅଧିକ ଭୟାବହ ହେବାକୁ ଯାଉଛି, ଯାହା ବିଶ୍ୱକୁ ଆହୁରି ପ୍ରଭାବିତ କରିପାରେ। ଏହି ସମୟରେ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଆଜି (ଶନିବାର) ଯୁଦ୍ଧ ସମାପ୍ତ କରିବା ପାଇଁ ସର୍ତ୍ତାବଳୀ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ, ଇରାନ କେବେ ମଧ୍ୟସ୍ଥତା ଆଲୋଚନା ପାଇଁ ପାକିସ୍ତାନ ଯିବାକୁ ମନା କରିନାହିଁ, କିନ୍ତୁ ଯୁଦ୍ଧର ଏକ ନିଶ୍ଚିତ ସମାଧାନ ହେବା ଆବଶ୍ୟକ।
ଆମେ ପାକିସ୍ତାନ ଯିବାକୁ ମନା କରିନାହୁଁ: ଆରାଘଚି
ଆବାସ ଆରାଘଚି X ରେ ପୋଷ୍ଟ କରି କହିଛନ୍ତି କି,"ଆମେରିକୀୟ ଗଣମାଧ୍ୟମ ଦ୍ୱାରା ଇରାନର ସ୍ଥିତିକୁ ଭୁଲ ଭାବରେ ଉପସ୍ଥାପନ କରାଯାଉଛି। ଆଲୋଚନା ମଧ୍ୟସ୍ଥତା ପାଇଁ ଆମେ ପାକିସ୍ତାନର ପ୍ରୟାସ ପାଇଁ କୃତଜ୍ଞ ଏବଂ ଇସଲାମାବାଦ ଯିବାକୁ କେବେ ମନା କରିନାହୁଁ। ଆମର ଚିନ୍ତା ହେଉଛି ଆମ ଉପରେ ଲଦି ଦିଆଯାଇଥିବା ଅବୈଧ ଯୁଦ୍ଧର ଏକ ନିର୍ଣ୍ଣାୟକ ଏବଂ ସ୍ଥାୟୀ ସମାପ୍ତି ପାଇଁ ସର୍ତ୍ତାବଳୀ।"
ଇରାନ ସମ୍ପର୍କରେ ପାକିସ୍ତାନୀ ଗଣମାଧ୍ୟମର ଦାବି…
ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଆମେରିକୀୟ ଗଣମାଧ୍ୟମ ଉପରେ ଇରାନର ସ୍ଥିତିକୁ ଭୁଲ ଭାବରେ ଉପସ୍ଥାପନ କରିବାର ଅଭିଯୋଗ କରୁଛନ୍ତି। ୩ ଏପ୍ରିଲ୍, ୨୦୨୬ରେ ସାମ୍ବାଦିକ ମାନଙ୍କ ପାଇଁ ଇସାକ ଦାରଙ୍କ ବ୍ରିଫିଂ ପରେ ପାକିସ୍ତାନୀ ଖବରକାଗଜ ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ପ୍ରଥମେ ସରକାରୀ ସୂତ୍ରକୁ ଉଦ୍ଧୃତ କରି ଦାବି କରିଥିଲା ଯେ, ଆମେରିକା କଥାବାର୍ତ୍ତା କରିବାକୁ ପ୍ରସ୍ତୁତ, କିନ୍ତୁ ଶେଷ ମୁହୂର୍ତ୍ତରେ ଇରାନ ଇସଲାମାବାଦ ଆସିବାକୁ ମନା କରିଦେଇଥିଲା। ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ପରେ, ଆମେରିକୀୟ ଖବରକାଗଜ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ପାକିସ୍ତାନୀ ଅଧିକାରୀ ମାନଙ୍କୁ ଉଦ୍ଧୃତ କରି ସମାନ ରିପୋର୍ଟ ପ୍ରକାଶ କରିଥିଲା।
ଆରାଘଚିଙ୍କ ପୋଷ୍ଟ ଉପରେ ଇସାକ ଦାରଙ୍କ ପ୍ରତିକ୍ରିୟା…
ପରେ ଉଭୟ ରିପୋର୍ଟକୁ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାହିର ଆନ୍ଦ୍ରାବି ଖାରଜ କରିଥିଲେ, ଯିଏ କହିଥିଲେ ଯେ ଇସାକ ଦାରଙ୍କ ବ୍ରିଫିଂରେ ଉପସ୍ଥାପିତ ତଥ୍ୟକୁ ବିକୃତ କରାଯାଇଥିଲା। ଆରାଘଚିଙ୍କ ଟ୍ୱିଟ୍ ର ଜବାବରେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଲେଖିଛନ୍ତି, "ମୋର ପ୍ରିୟ ଭାଇ, ମୁଁ ଆପଣଙ୍କ ସ୍ପଷ୍ଟୀକରଣ ପାଇଁ ପ୍ରକୃତରେ କୃତଜ୍ଞ।"
ଇରାନ ଯୁଦ୍ଧବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା...
ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଦାବି କରିଛନ୍ତି ଯେ, ଇରାନରେ ଶାସନ ପରିବର୍ତ୍ତନ ହୋଇଛି ଏବଂ ବର୍ତ୍ତମାନର ସରକାର ଆମେରିକାର ପ୍ରସ୍ତାବକୁ ଗ୍ରହଣ କରିବାକୁ ପ୍ରସ୍ତୁତ। ଅନ୍ୟପକ୍ଷରେ ତେହେରାନ ଆମେରିକାର ସମସ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟ କରିଛି ଯେ ସେ ଯୁଦ୍ଧ କରିବ। ଇରାନ ଆମେରିକାର ୪୮ ଘଣ୍ଟାର ଯୁଦ୍ଧବିରତି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବରେ ପ୍ରତ୍ୟାଖ୍ୟାନ କରିଛି।