ନୂଆଦିଲ୍ଲୀ,୮।୭: ଇରାନ-ଇସ୍ରାଏଲ ଯୁଦ୍ଧରେ ମୃତ ଲୋକଙ୍କ ନୂତନ ସଂଖ୍ୟା ଜାରି କରିଛନ୍ତି ଇରାନ ସରକାର। ଏଥିରେ ଅତି କମ୍‌ରେ ୧୦୬୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି। ଏହା ସହ ସେ ଚେତାବନୀ ଦେଇଛନ୍ତି ଯେ, ଏହି ସଂଖ୍ୟା ବଢିପାରେ। ଇରାନର ‘ଫାଉଣ୍ଡେସନ୍ ଅଫ୍ ମାର୍ଟର ଆଣ୍ଡ ଭେଟରସ୍ ଆଫେୟାର୍ସ’ର ମୁଖ୍ୟ ସଇଦ ଓହାଦି ସୋମବାର ବିଳମ୍ବିତ ରାତିରେ ଇରାନ ସରକାରୀ ଟେଲିଭିଜନ୍‌ରେ ପ୍ରସାରିତ ଏକ ସାକ୍ଷାତକାରରେ ମୃତକଙ୍କ ସଂଖ୍ୟା ବିଷୟରେ ସୂଚନା ଦେଇଛନ୍ତି।

ଓହାଦି ଚେତାବନୀ ଦେଇ କହିଛନ୍ତି, କିଛି ଲୋକ ଯେଉଁଭଳି ଗୁରୁତର ହୋଇଛନ୍ତି, ତାଙ୍କୁ ଦେଖି ମୃତକଙ୍କ ସଂଖ୍ଯା ୧,୧୦୦ ପର୍ଯ୍ୟନ୍ତ ପହଁଞ୍ଚିଛି। ଇରାନ ଯୁଦ୍ଧ ବେଳେ ଇସ୍ରାଏଲ ୧୨ ଦିନର ବୋମାମାଡରେ ପ୍ରଭାବକୁ କମ୍ କରିକି ଦେଖାଇଛି। ଯଦିଓ ଇରାନ ଆକ୍ରମଣରେ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ଫେଲ୍ ହୋଇଥିଲା। ଅସ୍ତ୍ରବିରତି ଲାଗୁ ହେବାପରେ ବି ଇରାନ ଧିରେ ଧିରେ ବିନାଶର ବ୍ୟାପକତାକୁ ସ୍ବୀକାର କରୁଛି। 

ତେବେ ଇରାନ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି ତା’ ସେନାକୁ କେତେ କ୍ଷତି ହୋଇଛି। ଓ୍ବାଶିଂଟନ ସ୍ଥିତ ମାନାବାଧିକାର କର୍ମୀଙ୍କ ଗୋଷ୍ଠୀ କହିଛି ଯେ, ୪୩୬ ନାଗରିକ ଓ ସୁରକ୍ଷାକର୍ମୀଙ୍କ ୪୩୫ ସଦସ୍ୟ ସହିତ ୧,୧୯୦ ଲୋକଙ୍କର ମୃତ୍ୟୁ ‌ହୋଇଛି। ଆକ୍ରମଣରେ ୪,୪୭୫ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି। ଉଲ୍ଲେଖନୀୟ ଯେ, ଗତ ମାସ ୧୩ ଜୁନ୍‌ରେ ଇସ୍ରାଏଲ ଇରାନ ଉପରେ ବଡ଼ ଧରଣର ବୋମାମାଡ କରିଥିଲା। ଏହାପରେ ଦୁଇ ଦେଶ ଭିତରେ ଆରମ୍ଭ ହୋଇଥିଲା ସଂଘର୍ଷ।ଏହି ସମୟରେ ଇରାନର ପରମାଣୁ ଆଡ୍ଡା, ବାଲାଷ୍ଟିକ୍ ମିସାଇଲ ସ୍ଥଳ, ଏହାର ଶୀର୍ଷ ଜେନେରାଲଙ୍କ ବାସଭବନ ଓ ୧୦ ରୁ ୧୨ଟି ପରମାଣୁ ବୈଜ୍ଞାନିକଙ୍କୁ ମଧ୍ୟ ଟାର୍ଗେଟ କରିଥିଲା। ପରେ ଆମେରିକାର ହସ୍ତକ୍ଷେପ ପରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଥିଲା।