ଜେରୁଜେଲମ୍,୨।୩: ଇରାନ ଉପରେ ଇସ୍ରାଏଲ ଓ ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ ମିଡିଲ ଇଷ୍ଟରେ ବିବାଦ ଚରମ ସୀମାରେ ପହଁଞ୍ଚିଛି। ସେଭଳି ଇରାନ ମଧ୍ୟ ଲଗାତାର ପାଲଟା ଆକ୍ରମଣ କରୁଥିଲା। ଏହା ଭିତରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ କାର୍ଡ କର୍ପସ ଦାବି କରିଛି ଯେ,ନେତନ୍ୟାହୁଙ୍କ କାର୍ଯ୍ୟାଳୟ ଓ ଇସ୍ରାଏଲ ବାୟୁସେନା କମାଣ୍ଡରଙ୍କ ଆଡ୍ଡାକୁ ଟାର୍ଗେଟ କରିଛି। ତାଙ୍କ ସହ ସେ କହିଛନ୍ତି,ଆକ୍ରମଣ ପରେ ନେତନ୍ୟାହୁଙ୍କ ସ୍ଥିତି ସ୍ପଷ୍ଟ ହୋଇନି।

ଏହି ଆକ୍ରମଣ ନେଇ ଆଇଆରଜିସି ଦାବି କରିଛି ଯେ ନେତାନ୍ୟାହୁଙ୍କ ଅବସ୍ଥା ବର୍ତ୍ତମାନ ସ୍ପଷ୍ଟ ନୁହେଁ। ଖବର ମିଳିଛି ଯେ ଇସ୍ରାଏଲୀ ବାୟୁସେନା କମାଣ୍ଡରଙ୍କ ଘାଟି ଉପରେ ‘ଖାଇବର’ ମିସାଇଲ ମାଡ଼ କରାଯାଇଥିଲା। ଆମେରିକା-ଇସ୍ରାଏଲର ମିଳିତ ଅପରେସନରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ହତ୍ୟା ପରେ ଇରାନର ଜୋରଦାର ପାଲଟା ଆକ୍ରମଣ ଜାରି ରହିଛି। ତେହେରାନ ଏବଂ ଏହାର ସହଯୋଗୀ ମିଲିସିଆମାନେ ଇସ୍ରାଏଲର ସହର ଏବଂ ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକୀୟ ଘାଟି ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ଆରମ୍ଭ କରିଛନ୍ତି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ନେଇ ଇରାନର ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। ଇସ୍ରାଏଲ କହିଛି ଯେ ଏପରି କୌଣସି ଆକ୍ରମଣ ହୋଇନାହିଁ। ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସାମରିକ ଅଧିକାରୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ ଇରାନ ବିରୋଧରେ ସାମରିକ ଅଭିଯାନ ଏହାର ସମସ୍ତ ଉଦ୍ଦେଶ୍ୟ ହାସଲ ନହେବା ପର୍ଯ୍ୟନ୍ତ ଜାରି ରହିବ। ଟ୍ରମ୍ପ କହିଛନ୍ତି, ପ୍ରତିବଦଳରେ ସେ ପୂର୍ଣ୍ଣ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିବେ। ସେ ଇରାନ ସାମରିକ କର୍ମଚାରୀମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଛନ୍ତି, ଯଦି କଥାକୁ ନମାନ୍ତି ତେବେ ନିଶ୍ଚିତ ମୃତ୍ୟୁର ସମ୍ମୁଖୀନ ହେବେ। ଟ୍ରମ୍ପ କହିଛନ୍ତି ଏହା ଆହୁରି ଭୟଙ୍କର ହେବ।