ନୂଆଦିଲ୍ଲୀ,୧୫/୧୨: ହିଜାବ ନ ପିନ୍ଧି ଗୀତ ଗାଇବା ପଡ଼ିଲା ମହଙ୍ଗା । ଇରାନରେ ହିଜାବକୁ ନେଇ ବିବାଦ ଜାରି ରହିଥିବା ବେଳେ ହିଜାବ ନ ପିନ୍ଧି ଗାଇବା ଯୋଗୁଁ ଇରାନ୍ର ଜଣେ ୟୁଟ୍ୟୁବର୍ ତଥା ସିଙ୍ଗର୍ ପରସ୍ତୁ ଅହମଦିଙ୍କୁ ଗିରଫ କରିଛି ପୋଲିସ । ସେ ଇରାନ୍ର ଉତ୍ତର ପ୍ରାନ୍ତର ମଞ୍ଜଦରାନର ରାଜଧାନୀ ସାରି ସହରର ଏକ ଭର୍ଚୁଆଲ କନସର୍ଟରେ ହିଜାବ ନ ପିନ୍ଧି ଗୀତ ଗାଉଥିବା ଜଣାପଡ଼ିଛି।
ସୂଚନା ମୁତାବକ, ପରସ୍ତୁ ଅହମଦି ଗତ ବୁଧବାର ବିଳମ୍ବିତ ରାତିରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ କନସର୍ଟ ଷ୍ଟ୍ରିମ୍ କରିଥିଲେ। ବିନା ଦର୍ଶକରେ ଇରାନ୍ରେ ହିଁ ଏହି କନ୍ସର୍ଟ ଆୟୋଜିତ ହୋଇଥିଲା। ଅହମଦି ଏହି ସମୟରେ ଏକ କଳା ରଙ୍ଗ ଅଫ୍ ସୋଲ୍ଡର ଡ୍ରେସ୍ ପିନ୍ଧିଥିଲେ କିନ୍ତୁ ତାଙ୍କ ମୁଣ୍ଡରେ ହିଜାବ ନଥିଲା। ଏହାର ଗୋଟିଏ ଦିନ ପରେ ଗୁରୁବାର ନିଜେ ଅହମଦିଙ୍କ କନସର୍ଟ ପ୍ରଦର୍ଶନ ସମ୍ପର୍କରେ କୋର୍ଟ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲା ଆଇନଗତ ଏବଂ ଧାର୍ମିକ ମାନର ଉଲ୍ଲଂଘନ ବୋଲି କୁହାଯାଉଛି। ଅହମଦିଙ୍କ ସହ ତାଙ୍କର ଅନ୍ୟ ଦୁଇ ଜଣ ସାଥୀ ପୁରୁଷ ସିଙ୍ଗର୍ଙ୍କୁ ମଧ୍ୟ ଗିରଫ କରାଯାଇଛି। ଇରାନ୍ରେ ହିଜାବକୁ ନେଇ କଠୋର ନିୟମ ରହିଛି। ୧୯୭୯ରେ ଇସଲାମିକ୍ ବିପ୍ଳବ ପରେ ଲାଗୁ ହୋଇଥିବା ନିୟମ ଅନୁଯାୟୀ, ଇରାନରେ ମହିଳାମାନେ ସର୍ବସାଧାରଣ ସ୍ଥାନରେ ହିଜାବ ପିନ୍ଧିବାକୁ ନିୟମ ରହିଛି।