ନୂଆଦିଲ୍ଲୀ ୨୮/୦୪: ହୋର୍ମୁଜରେ ଆମେରିକାର ଅବରୋଧ ଏବଂ ଇରାନ ଜାହାଜ ଉପରେ କଟକଣା ଯୋଗୁ ଇରାନ ବଳକା ଅଶୋଧିତ ତୈଳ ସଂରକ୍ଷଣ ପାଇଁ ଅସୁବିଧାର ସାମ୍ନା କରୁଛି । ନା ତୈଳ ଉତ୍ପାଦନ ବନ୍ଦ କରିପାରୁଛି ନା ବାହାରକୁ ରପ୍ତାନୀ କରିପାରୁଛି । ଏହାର ପ୍ରମୁଖ ରପ୍ତାନୀ କେନ୍ଦ୍ର ଖାର୍ଗ ଦ୍ୱୀପର ଷ୍ଟୋରେଜ ବା ସଂରକ୍ଷଣ କ୍ଷମତା ଏବେ ଶେଷ ହେବାରେ ଲାଗିଛି । ରପ୍ତାନୀ ହ୍ରାସ ପାଉଥିବାରୁ ଇରାନ ଏବେ ୩୦ ବର୍ଷ ପୁରୁଣା ତୈଳ ଜାହାଜ ଏମ୍/ଟି ନାଶାକୁ ପୁଣି ସକ୍ରିୟ କରିଛି । ଏହି ଜାହାଜରେ ଇରାନ ତୈଳ ସଂରକ୍ଷଣ କରି ଖାର୍ଗ ଦ୍ୱୀପରେ ଷ୍ଟୋରେଜ କ୍ଷମତା ବଢ଼ାଇବାକୁ ଚେଷ୍ଟା କରୁଛି । ହୋର୍ମୁଜରେ ନାକାବନ୍ଦୀ ଇରାନ ତୈଳ ଭିତ୍ତିଭୂମି ଉପରେ କିପରି ପ୍ରଭାବ ପକାଉଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

ପ୍ରକାଶଥାଉ କି, ଘୋଷ୍ଟ ଶିପ୍ ବା ଭୂତ ଜାହାଜ ହେଉଛି ପୁରୁଣା ଟ୍ୟାଙ୍କର । ଏଗୁଡ଼ିକର ମାଲିକାନା ଛଦ୍ମ କମ୍ପାନୀ ନାମରେ ରହିଥାଏ । ଏହା ବିଦେଶୀ ପତାକା ଅଧୀନରେ ପଞ୍ଜୀକୃତ ହୋଇଥାନ୍ତି । ଫଳରେ ଏହାର ବୀମା ବାବଦ ତଥ୍ୟ ଅସ୍ପଷ୍ଟ ରହିଥାଏ ଏବଂ ଏହା ଟ୍ରାକିଂ ସିଷ୍ଟମକୁ ସହଜରେ ବିଭ୍ରାନ୍ତ କରିପାରିଥାଏ । ଇରାନ ଏହାର ପୁରୁଣା ଟ୍ୟାଙ୍କର ସକ୍ରିୟ କରିବା ନିଷ୍ପତ୍ତି ତୈଳ ଯୋଗାଣ ଏବଂ ଚାହିଦା ଭିତରେ ବଢ଼ୁଥିବା ଅସନ୍ତୁଳନକୁ ଦର୍ଶାଉଛି । ବିଶ୍ଲେଷକଙ୍କ କହିବା ଅନୁସାରେ, କଟକଣା ଯୋଗୁ ରପ୍ତାନି ବାଧାପ୍ରାପ୍ତ ହେଉଥିଲେ ହେଁ ଖାର୍ଗ ଦ୍ୱୀପକୁ କ୍ରମାଗତ ଭାବେ ଅଶୋଧିତ ତୈଳ ଆସୁଛି । ଆକଳନ ଅନୁଯାୟୀ, ସ୍ଥଳଭାଗରେ ଏବେ ମାତ୍ର ୧୩ ନିୟୁତ ବ୍ୟାରେଲ ଷ୍ଟୋରେଜ ବାକି ଅଛି । କିନ୍ତୁ ଦୈନିକ ପ୍ରାୟ ୧.୦ରୁ ୧.୧ ନିୟୁତ ବ୍ୟାରେଲ ତୈଳ ଆସୁଛି । ଏପରି ଚାଲିଲେ ପ୍ରାୟ ୨ ସପ୍ତାହ ଭିତରେ ସମସ୍ତ ଷ୍ଟୋରେଜ ପୂର୍ଣ୍ଣ ହୋଇଯିବ । ଏହି ଚାପକୁ କମାଇବା ଲାଗି ଇରାନ ଏବେ ‘ଫ୍ଲୋଟିଂ ଷ୍ଟୋରେଜ’ ବା ସମୁଦ୍ରରେ ଜାହାଜ ମାଧ୍ୟମରେ ତୈଳ ଗଚ୍ଛିତ କରିବା ପ୍ରକ୍ରିୟା ଆରମ୍ଭ କରିଛି ।

ଏମ୍/ଟି ନାଶା ହେଉଛି, ୧୯୯୬ ମସିହାରେ ନିର୍ମିତ ଏକ ବିଶାଳ ଅଶୋଧିତ ତୈଳବାହୀ ଜାହାଜ । ଇରାନରେ ବ୍ୟବହୃତ ଏହି ଜାହାଜର ଲମ୍ବ ୩୩୦ ମିଟରରୁ ଅଧିକ । ଏହି ଜାହାଜ ଦୀର୍ଘ ବର୍ଷ ଧରି ଅକାମୀ ହୋଇ ପଡ଼ିଥିଲା । ତେବେ ବିଶେଷଜ୍ଞଙ୍କ ମତରେ, ଦୀର୍ଘ ଦିନ ହୋର୍ମୁଜରେ ଅବରୋଧ ଜାରି ରହିଲେ ଇରାନ ଏତେ ସମୟ ଧରି ସମୁଦ୍ରରେ ତୈଳ ଗଚ୍ଛିତ କରିପାରିବ ନାହିଁ । ଏହା ଏକ ଅସ୍ଥାୟୀ ସମାଧାନ ଏବଂ ବ୍ୟୟ ବହୁଳ ମଧ୍ୟ । ଏହା ସ୍ଥଳଭାଗର ବଡ଼ ଭିତ୍ତିଭୂମିର ବିକଳ୍ପ ହୋଇପାରିବ ନାହିଁ । ଅନ୍ୟପକ୍ଷରେ ଯଦି ଖାର୍ଗ ଦ୍ୱୀପରେ ଷ୍ଟୋରେଜ ସମ୍ପୂର୍ଣ୍ଣ ଶେଷ ହୋଇଯାଏ, ତେବେ ଇରାନକୁ ବାଧ୍ୟ ହୋଇ ନିଜ ତୈଳ ଭଣ୍ଡାରକୁ ବନ୍ଦ କରିବାକୁ ପଡ଼ିପାରେ । ଏହା ଦ୍ୱାରା ତୈଳ ଭଣ୍ଡାରଗୁଡ଼ିକର ଦୀର୍ଘକାଳୀନ କ୍ଷତି ହୋଇପାରେ ଏବଂ ଭବିଷ୍ୟତରେ ଉତ୍ପାଦନ କ୍ଷମତା ମଧ୍ୟ ହ୍ରାସ ପାଇପାରେ । ଇରାନ ପାଖରେ ଏବେ ଜଟିଳ ସ୍ଥିତି ସୃଷ୍ଟି ହୋଇଛି । ପ୍ରଥମତଃ ଇରାନ ଏହାର ଉତ୍ପାଦନ କମାଇ ଆର୍ଥିକ କ୍ଷତି ସହିବାକୁ ପ୍ରସ୍ତୁତ ହେବ ନଚେତ ଉତ୍ପାଦନ ଜାରି ରଖି ଷ୍ଟୋରେଜ ଦକ୍ଷତା ବଢ଼ାଇବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ...ଇସ୍ରାଏଲ୍‌ର ଦୁଇ ପୂର୍ବ ପ୍ରଧାନମନ୍ତ୍ରୀ ଏକାଠି, ନେତନ୍ୟାହଙ୍କୁ ଗାଦିଚ୍ୟୁତ କରିବାକୁ ରଣନୀତି, ୨୦୨୭ ନିର୍ବାଚନରେ ଏକାଠି ଲଢ଼ିବେ