ଭୁବନେଶ୍ୱର,୦୪/୦୨: ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଲୁହା ସାମଗ୍ରୀ ଚୋରି କରିବା ବେଳେ ଜଣେ ପେସାଦାର ଚୋରକୁ ଘରୋଇ ସୁରକ୍ଷାକର୍ମୀ କାବୁ କରିଛନ୍ତି । ଚୋର ଜଣକ ହେଲା, ଗୌରାଙ୍ଗ ସେଠୀ ଓରଫ୍ ନୃସିଂହ । ଘର କେନ୍ଦ୍ରାପଡ଼ା ଆଳି ମହାଦେଇପାଟଣାରେ । ସେ ଭରତପୁର ବସ୍ତିରେ ଭଡ଼ାସୂତ୍ରରେ ରହୁଥିଲା । ଭରତପୁର ଥାନା ପୁଲିସ ଗୌରାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆହୁରି ପଢନ୍ତୁ-ଏଣିକି ଖୋର୍ଦ୍ଧା ନୁହେଁ ଖୋରଧା, ସଂଶୋଧନ ହେବ ୭ ଜିଲ୍ଲାର ଇଂରାଜୀ ବନାନ

ମଙ୍ଗଳବାର ଦିନ ୧୧ଟାରେ ଗୌରାଙ୍ଗ ସୋଆ କ୍ୟାମ୍ପସରେ ପଶିଥିଲା । କ୍ୟାମ୍ପସ ନଂ-୫ରେ ଥିବା ଛାତ୍ରାବାସ କଡ଼ରୁ କିଛି ଲୁହା ସାମଗ୍ରୀ(ସାନିଟାରି ଫିଟିଙ୍ଗସ୍) ଉଠାଇ ନେଇ ପଳାଇବାକୁ ଚେଷ୍ଟା କରୁଥିଲା । ଏହାଦେଖି ସୁରକ୍ଷାକର୍ମୀମାନେ ତାକୁ ଘେରିଯାଇଥିଲେ । ସୋଆ କର୍ମଚାରୀ ବିକାଶ କୁମାର ପାତ୍ର ତୁରନ୍ତ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପୁଲିସ ଭ୍ୟାନ କ୍ୟାମ୍ପସ-୫ରେ ପହଞ୍ଚି ଗୌରାଙ୍ଗକୁ ଉଠାଇ ନେଇଥିଲା । ଚୋରି କରୁଥିବା ସାମଗ୍ରୀର ମୂଲ୍ୟ ୫ ହଜାର ଟଙ୍କାରୁ ଅଧିକ ହେବ । ତାକୁ ପଚରାଉଚରାରୁ ଜଣାପଡି଼ଛି ଯେ ଗୌରାଙ୍ଗ ପୂର୍ବରୁ ଅନେକ ଜାଗାରେ ଚୋରି, ଛିନ୍ତାଇ କରିଛି । ତା’ ବିରୋଧରେ ଆଳି ଥାନାରେ ୩ଟି ଅପରାଧିକ ମାମଲା ରହିଛି ।