ବ୍ରହ୍ମପୁର, ୨୦/୧୧ : ରାସ୍ତା ଉପରେ ଚାଲୁଛି ମୂଲଚାଲ । ହିନ୍ଦୀରେ ବାସନର ଦାମ୍ କହୁଛନ୍ତି ବ୍ୟବସାୟୀ । ଖଣ୍ଡି ହିନ୍ଦୀରେ ସାମଗ୍ରୀକୁ କିଣିବା ପାଇଁ ଦାମ କହୁଛନ୍ତି ଗ୍ରାହକ। ଏପରି କିଛି ଦେଖିବାକୁ ମିଳୁଛି ସହରର ପ୍ରବେଶ ପଥରେ । ରାସ୍ତା କଡ଼ରେ ସଜେଇ ହୋଇଛି ଭଳିକି ଭଳି ବାସନ । ରାଜସ୍ଥାନ ଚିତ୍ତୋର ଜିଲ୍ଲାରୁ ବ୍ୟବସାୟୀମାନେ ନିଜେ ତିଆରି କରିଥିବା ଜିନିଷକୁ ରାଜ୍ୟରୁ ରାଜ୍ୟକୁ ବୁଲି ବିକ୍ରି କରୁଛନ୍ତି । ସହରର ସମସ୍ତ ପ୍ରବେଶ ପଥରେ ଗତ ୩ରୁ ୪ ଦିନ ହେଲା ନୂଆଁ ବ୍ୟବସାୟ ଆରମ୍ଭ ହୋଇଛି । ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ଲୁହାରେ ତିଆରି ହୋଇଥିବା ବିଭିନ୍ନ ପାତ୍ର ବିକ୍ରି କରୁଛନ୍ତି । ରାସ୍ତାକଡ଼ରେ ସଜେଇ ହୋଇ ରହିଛି ଲୁହା କଢ଼େଇ, ଚଟୁ, ପନିକି, ତାୱା, ହେମଦସ୍ତା, ଚାଲୁଣି, ପିଠାପାତିଆ, ଜାଲିଚଟୁ ପରି ଅନେକ ସାମଗ୍ରୀ । ଲୁହାରି ତିଆରି ହୋଇଥିଲେ ମଧ୍ୟ ରାସ୍ତା କଡ଼ରେ ରହି ଚକ୍ଚକ୍ କରୁଛି । ଗ୍ରାହକଙ୍କୁ ଏହା ଆକୃଷ୍ଠ କରୁଛି । ମୁଖ୍ୟତଃ ଖୋଡାସିଙ୍ଗରୁ ଇଞ୍ଜିନିୟରିଂ ସ୍କୁଲ, ଅନ୍ଧପସରା ରୋଡ୍, ରତନପୁରରୁ ଫାଷ୍ଟଗେଟ୍, ଗୋସାଇଁନୂଆଗାଁ ପ୍ରବେଶ ପଥରେ ଏହାକୁ ଦେଖିବାକୁ ମିଳୁଛୁ ।
ଜଣେ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ସେମାନେ ରାଜସ୍ଥାନର ଚିତ୍ତୋର ଜିଲ୍ଲାର ବାସିନ୍ଦା । ବର୍ଷକୁ ୪ମାସ ସେମାନେ ନିଜ ଗାଁରେ ରହି ଲୁହାରେ ବିଭିନ୍ନ ବାସନ ସାମଗ୍ରୀ ପ୍ରସ୍ତୁତ କରନ୍ତି । ଏହାପରେ ସପରିବାର ସହ ସେହି ସାମଗ୍ରୀ ବିକ୍ରି କରିବା ପାଇଁ ଓଡିଶା ସମେତ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, କେରଳ, କର୍ଣ୍ଣାଟକ ଆଦି ରାଜ୍ୟକୁ ୮ମାସ ବୁଲିଥାନ୍ତି । ୪ମାସରେ ଜଣେ ବ୍ୟକ୍ତି ୨୦ଟନରୁ ଅଧିକ ଲୁହାରେ ନିର୍ମିତ ବିଭିନ୍ନ ସାମଗ୍ରୀ ତିଆରି କରିଥାନ୍ତି । ୧୦ରୁ ୧୨ ଜଣ ମିଶି ଗୋଟିଏ ଟ୍ରକରେ ସେହି ସାମଗ୍ରୀକୁ ନେଇ ବିଭିନ୍ନ ରାଜ୍ୟକୁ ଯାଉଛନ୍ତି । ସେଠାରେ ଏକମାସ ଧରି ବିକ୍ରି କରିବା ପରେ ଅନ୍ୟ ଏକ ରାଜ୍ୟକୁ ଯାଉଛନ୍ତି । ଗୋଟିଏ ପରିବାରର ସଦସ୍ୟ କିଛି ଦୂର ବ୍ୟବଧାନରେ ପସରା ପକାଉଛନ୍ତି । ସେମାନଙ୍କ ପାଖରେ ୨୫୦ରୁ ଆରମ୍ଭ ହୋଇ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଷେଇ ପାଇଁ ବ୍ୟବହୃତ ବାସନ ରହିଛି ।